ETV Bharat / sports

IPL 2022: ହିଟ୍‌ ମ୍ୟାନଙ୍କୁ ଜନ୍ମଦିନ ଉପହାର, ଲଗାତାର 8 ଥର ହାରିବା ପରେ ଜିତିଲା ମୁମ୍ବାଇ

author img

By

Published : May 1, 2022, 8:08 AM IST

ପ୍ରତୀକ୍ଷାର ଅନ୍ତ ଘଟିଛି । ଲଗାତାର ଅଷ୍ଟମ ପରାଜୟ ପରେ ପ୍ରଥମ ବିଜୟ ସ୍ବାଦ ଚାଖିଲା ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ଆଇପିଏଲରେ ପ୍ରଥମ ବିଜୟ ସହ ପଏଣ୍ଟ ଟେବୁଲରେ ଖାତା ଖୋଲିଛି ଇଣ୍ଡିଆନ୍ସ । ଅଧିକ ପଢନ୍ତୁ

ଲଗାତାର 8ମ ପରାଜୟ ପରେ ମୁମ୍ବାଇର ପ୍ରଥମ ବିଜୟ
ଲଗାତାର 8ମ ପରାଜୟ ପରେ ମୁମ୍ବାଇର ପ୍ରଥମ ବିଜୟ

ମୁମ୍ବାଇ: ପ୍ରତୀକ୍ଷାର ଅନ୍ତ ଘଟିଛି । ଲଗାତାର ଅଷ୍ଟମ ପରାଜୟ ପରେ ପ୍ରଥମ ବିଜୟ ସ୍ବାଦ ଚାଖିଲା ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ଆଇପିଏଲରେ ପ୍ରଥମ ବିଜୟ ସହ ପଏଣ୍ଟ ଟେବୁଲରେ ଖାତା ଖୋଲିଛି ଇଣ୍ଡିଆନ୍ସ । ରାଜସ୍ଥାନ ରୟାଲ୍ସକୁ 5 ୱିକେଟରେ ପରାସ୍ତ କରି ଏହି ବିଜୟ ହାସଲ କରିଛି ଦଳ । ଏହି ବିଜୟ ମୁମ୍ବାଇ ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇଛି । ଅଧିନାୟକ ରୋହିତ ଶର୍ମାଙ୍କ 35ତମ ଜନ୍ମଦିନରେ ଏହା ତାଙ୍କ ପାଇଁ ଉପହାର ହୋଇଛି ।

ଲଗାତାର 8ମ ପରାଜୟ ପରେ ମୁମ୍ବାଇର ପ୍ରଥମ ବିଜୟ

ମୁମ୍ବାଇ ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ରାଜସ୍ଥାନ ପାଇଁ ଷ୍ଟାର ୱିକେଟ କିପର ବ୍ୟାଟ୍‌ର ଜସ୍ ବଟଲର ସର୍ବାଧିକ ୬୭ ରନ୍‌ର ଇଂନିସ ଖେଳିଥିଲେ ଦେବଦତ୍ତ ପାଦିକ୍କଲ ୧୫ ଓ କ୍ୟାପଟେନ ସଞ୍ଜୁ ସାମସନ ୧୬ ରନ୍‌ କରିଥିଲେ । ରବିଚନ୍ଦ୍ରନ ଅଶ୍ବିନ ୨୧ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟର କୌଣସି ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସମସ୍ତ ବୋଲର ମାପିଚୁପି ବୋଲିଂ କରିବା ସହ ରାଜସ୍ଥାନ ବ୍ୟାଟ୍‌ରଙ୍କୁ ରୋକିବାରେ ସଫଳ ହୋଇଥିଲେ । ହ୍ରିତିକ ସୌକିନ ଓ ରିଲେ ମେରେଡିଥ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଡାନିଏଲ ସାମ୍ସ ଓ କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସମ୍ମୁଖରେ 159 ରନର ଟାର୍ଗେଟ ଦେଇଥିଲା ରାଜସ୍ଥାନ । ଜସ୍ ବଟଲରଙ୍କ ଲଢୁଆ ବ୍ୟାଟିଂ ବଳରେ 158 ସଂଗ୍ରହ କରିପାରିଥିଲା ଟିମ୍ ।

159 ରନ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ସଫଳ ହୋଇନଥିଲେ । 2 ରନ କରି ଆଉଟ ହୋଇଥିଲେ ରୋହିତ ଶର୍ମା । ଇଶାନ କିଷନ (24) କିଛି ଭଲ ସଟ ଖେଳି ଷଷ୍ଠ ଓଭରରେ ଆଉଟ ହୋଇଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ଚମତ୍କାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଅର୍ଦ୍ଧଶତକରେ ପହଞ୍ଚାଇଥିଲେ । ତୃତୀୟ ୱିକେଟ ବେଳକୁ ଉଭୟ 81ରନ ଯୋଡିଥିଲେ । ପରେ ସୂର୍ଯ୍ୟକୁମାର 39 ବଲରେ 51 ରନ କରି ଆଉଟ ହୋଇଥିଲେ । ଶେଷ 5 ଓଭରରେ ମୁମ୍ବାଇ 37 ରନ ଆବଶ୍ୟକ କରୁଥିଲା । ତିଲକ ବର୍ମା (35) ରନ କରି ଆଉଟ ହୋଇଥିଲେ । ଶେଷ ଓଭରରେ କିରଣ ପୋଲାର୍ଡ 10 ରନ କରି ଆଉଟ ହୋଇଥିଲେ । ଡେଭିଡ 9 ବଲରୁ ଗୋଟିଏ ଛକା ଓ 2ଟି ଚୌକା ସହ 20 ଏବଂ ଡାନିଏଲ ସାମସ ଛକାମାରି ଦଳକୁ ବିଜୟୀ କରିଥିଲେ । ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.