ETV Bharat / sports

World Cup 2023: ଭାରତ-ପାକ୍ ମ୍ୟାଚ ରୋମାଞ୍ଚ, ବଢିଲା ବିମାନ-ହୋଟେଲ ଭଡା

author img

By

Published : Aug 16, 2023, 11:23 AM IST

ଅକ୍ଟୋବର 5ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ବକପ । ଏନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ ମ୍ୟାଚକୁ ନେଇ ରୋମାଞ୍ଚ ବଢିଛି । ଅହମ୍ମଦାବାଦରେ ମ୍ୟାଚ ପୂର୍ବରୁ ହୋଟେଲ ଓ ବିମାନ ଭଡା ବଢିଛି ।

World Cup 2023
ଭାରତ-ପାକ୍ ମ୍ୟାଚ ରୋମାଞ୍ଚ

ଗାନ୍ଧୀନଗର: ଚଳିତ ବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଆଇସିସି ଦିନିକିଆ ବିଶ୍ବକପ ଆରମ୍ଭ ହେବ । ବିଶ୍ବକପ ପାଇଁ ଦିନ ଯେତିକି ନିକଟ ହେଉଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ଅହମ୍ମଦାବାଦରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ଅକ୍ଟୋବର 14ରେ ଏହି ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ମ୍ୟାଚକୁ ନେଇ ଅହମ୍ମଦାବାଦରେ ବିମାନ ଓ ହୋଟେଲ ଭଡା ବୃଦ୍ଧି ହୋଇଥିବା ସୂଚନା ମିଳିଛି ।

ଅକ୍ଟୋବର 14 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ମ୍ୟାଚକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ଭିତରେ କିଛି ଖବର ସାମ୍ନାକୁ ଆସିଛି । ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଅହମ୍ମଦାବାଦରେ ହୋଟେଲ ବୁକିଂ ରେକର୍ଡ ପାର କରିଛି । ପଞ୍ଚତାରକା ହୋଟେଲର ଗୋଟିଏ ରୁମ ଭଡା 20 ହଜାରରୁ 2.5 ଲକ୍ଷ ଟଙ୍କା ହୋଇଛି ଯାହା ସମସ୍ତଙ୍କୁ ଚକିତ କରିଛି । ଯଦି ଜଣେ ଏହି ହୋଟେଲରେ ଦୁଇ ଦିନ ରହିବାକୁ ଚାହିଁବେ ତେବେ ତାଙ୍କୁ 3 ଲକ୍ଷ 50 ହଜାର ଟଙ୍କା ଦେବାକୁ ପଡିବ । ଖାଲି ହୋଟେଲ ନୁହେଁ ବିମାନ ଭଡା ମଧ୍ୟ ବଢିଛି ।

ଅକ୍ଟୋବର 13 ଏବଂ ଅକ୍ଟୋବର 15 ତାରିଖରେ ମୁମ୍ବାଇ ଏବଂ ଦିଲ୍ଲୀରୁ ଅହମ୍ମଦାବାଦ ଯିବାକୁ ଥିବା ବିମାନ ଟିକେଟ ଦର ବଢିଛି । ପ୍ରତି ଟିକେଟ ଦର 10 ହଜାରରୁ 25 ହଜାର ପର୍ଯ୍ୟନ୍ତ ରହିଛି । ପୂର୍ବରୁ ଏହାର ଦର 5 ହଜାର ଥିଲା । ମାତ୍ର ଏବେ ଏହା 5 ଗୁଣା ବଢିଛି । ଆଗକୁ ଏହାର ଦର ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି । ପାଖାପାଖି 30-40 ହଜାର ଲୋକ ଗୁଜୁରାଟ ବାହାରୁ ଆସିବେ । ଏ ପର୍ଯ୍ୟନ୍ତ ଟିକେଟ ବିକ୍ରି ଆରମ୍ଭ ହୋଇନାହିଁ ଏହା ପରେ ଆହୁର ଦାମ ବଢିବ ବୋଲି ଆଶଙ୍କା କରାଯାଉଛି ।

ଏହା ବି ପଢନ୍ତୁ...ICC World Cup 2023: ବିଶ୍ବକପ ଟିକେଟ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କିପରି କିଣିବେ ଟିକେଟ୍‌

ଏହା ବି ପଢନ୍ତୁ...ICC World Cup: 9ଟି ମ୍ୟାଚ ଖେଳସୂଚୀରେ ପରିବର୍ତ୍ତନ, ଅଗଷ୍ଟ 25ରୁ ଟିକେଟ୍‌ ବିକ୍ରି

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ କ୍ରିକେଟ ମହାକୁମ୍ଭ ଆରମ୍ଭ ହେବ । ନଭେମ୍ବର 19 ଯାଏଁ ବିଶ୍ବକପ ମ୍ୟାଚ ଖେଳାଯିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ । କ୍ରୀଡାସୂଚୀ ମୁତାବକ ଆୟୋଜକ ଭାରତ 5ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଟୋବର 8ରେ ତାର ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମୋଟ 10ଟି ଭେନ୍ୟୁରେ ସମସ୍ତ ବିଶ୍ବକପ ମ୍ୟାଚ ଖେଳାଯିବ ।

ପ୍ରଥମେ ଅକ୍ଟୋବର 15 ତାରିଖରେ ଭାରତ ଓ ପାକିସ୍ତାନ ମ୍ୟାଚ ରହିଥିଲା । ମାତ୍ର ଏହା ପରିବର୍ତ୍ତନ ହୋଇଛି । 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚ ଖେଳାଯିବ । 25 ତାରିଖରୁ ବିଶ୍ବକପ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ। ଟିକେଟ ବିକ୍ରି ନେଇ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.