ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଇଅନ ମୋର୍ଗାନଙ୍କ ଅବସର

author img

By

Published : Jun 28, 2022, 9:30 PM IST

ଇଂଲଣ୍ଡର ବିଶ୍ବକପ ବିଜେତା ଇଅନ ମୋର୍ଗାନ କ୍ରିକେଟର ସବୁ ଫର୍ମାଟରୁ ଆଜି (ମଙ୍ଗଳବାର) ଅବସର ନେଇଛନ୍ତି । ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ (ECB) ଆନୁଷ୍ଠାନିକ ଭାବରେ ଘୋଷଣା କରିଛି । ଗତ କିଛି ଦିନ ହେବ ଇଅନ ମୋର୍ଗାନ ଖରାପ ଫର୍ମ ଦେଇ ଗତି କରୁଥିଲେ । ଅଧିକ ପଢନ୍ତୁ

ଇଅନ ମୋର୍ଗାନଙ୍କ ଅବସର ଘୋଷଣା
ଇଅନ ମୋର୍ଗାନଙ୍କ ଅବସର ଘୋଷଣା

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ୍‌ର ସବୁ ଫର୍ମାଟରୁ ଆଜି (ମଙ୍ଗଳବାର) ଅବସର ନେଇଛନ୍ତି ଇଂଲଣ୍ଡର ବିଶ୍ବକପ ବିଜେତା ଅଧିନାୟକ ଇଅନ ମୋର୍ଗାନ । ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ (ECB) ଆନୁଷ୍ଠାନିକ ଭାବରେ ଘୋଷଣା କରିଛି । ଗତ କିଛିଦିନ ହେବ ଇଅନ ମୋର୍ଗାନ ଖରାପ ଫର୍ମ ଦେଇ ଗତି କରୁଥିଲେ । ତେଣୁ ତାଙ୍କ ଅବସର ନେଇ ଇଂଲଣ୍ଡ ମିଡିଆରେ କିଛି ଦିନ ହେଲା ଚର୍ଚ୍ଚା ହୋଇ ଆସୁଥିଲା ।

ଅବସର ଘୋଷଣାରେ ଇଅନ ମୋର୍ଗାନ କହିଛନ୍ତି ଯେ, "୨୦୧୯ ବିଶ୍ବକପ ବିଜୟ ସ୍ମରଣୀୟ ଅନୁଭୂତି ଦେଇଥିଲା । ଏହି ସ୍ତରରେ ପହଞ୍ଚିବା ପାଇଁ ପରିବାର ସଦସ୍ୟଙ୍କ ସହ ଅନ୍ୟମାନଙ୍କ ସହଯୋଗ ପାଇଁ ଧନ୍ୟବାଦ । ଆପଣମାନଙ୍କ ବିନା କ୍ରିକେଟର ଏତେ ଲମ୍ବା ଯାତ୍ରା ସମ୍ଭବ ହୋଇପାରିନଥାନ୍ତା । ଦଳର ସମସ୍ତ ସହଯୋଗୀ ଏବଂ କୋଚ, ସାଥି ଖେଳାଳି ମାନଙ୍କୁ ଧନ୍ୟବାଦ । ଯେଉଁମାନେ ମୋ କ୍ରିକେଟ କ୍ୟାରିୟରକୁ ସଫଳ କରିଛନ୍ତି । ଜଣେ ଖେଳାଳି ଏବଂ ଅଧିନାୟକ ଭାବରେ ଯାହା ପାଇଛି ତାହାକ ନେଇ ମୁଁ ଗର୍ବ କରୁଛି । ଇଂଲଣ୍ଡ କ୍ରିକେଟର ଭବିଷ୍ୟତ ଖୁବ୍‌ ଉଜ୍ବଳ । ଏହି ଦଳ ଆଗକୁ ବହୁତ ଭଲ ପ୍ରଦର୍ଶନ କରିବ । ଏଥିପାଇଁ ମୁଁ ଉତ୍ସାହିତ ରହିଛି ।"

ଇଅନ ମୋର୍ଗାନଙ୍କ ଜନ୍ମ ଆୟାରଲ୍ୟାଣ୍ଡର ଉତ୍ତର ପଶ୍ଚିମ ଡବ୍ଲିନରେ ହୋଇଥିଲା । ସେ ୨୦୦୬ ମସିହାରେ ଆୟାରଲ୍ୟାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୯ ପର୍ଯ୍ୟନ୍ତ ଆୟାରଲ୍ୟାଣ୍ଡ ପକ୍ଷରୁ ଦିନିକିଆ ଖେଳୁଥିଲେ । ୨୦୦୯ ମସିହାରେ ହିଁ ସେ ଇଂଲଣ୍ଡ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ । ଏହାପରେ ୨୦୧୪ ଡିସେମ୍ବରରେ ଇଂଲଣ୍ଡର ଦିନିକିଆ ଅଧିନାୟକ ଭାବରେ ଦାୟିତ୍ବ ନେଇଥିଲେ ।

୨୦୧୯ ମସିହାରେ ବିଶ୍ବ ବିଜୟୀ ଇଂଲଣ୍ଡ ଦଳର ଅଧିନାୟକ ଥିଲେ ଇଅନ ମୋର୍ଗାନ । ଇଅନ ମୋର୍ଗାନ ଦିନିକିଆ କ୍ରିକେଟରେ ୧୨୬ଟି ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇଥିବା ବେଳେ ୭୨ଟି ଟି୨୦ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ଇଅନ ମୋର୍ଗାନ ୧୬ଟି ଟେଷ୍ଟ ମ୍ୟାଚରେ ଦୁଇଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ସେ ମୋଟ ୭୦୦ରନ କରିଛନ୍ତି । ସେହିଭଳି ୨୪୮ଟି ଦିନିକିଆରୁ ୧୪ଟି ଶତକ ଏବଂ ୪୭ଟି ଅର୍ଦ୍ଧଶତକ ହାସଲ କରି ୭୭୦୧ ରନ୍‌ କରିଛନ୍ତି । ସେହିପରି ୧୧୫ଟି ଅନ୍ତର୍ଜାତୀୟ ଟି-୨୦ରୁ ୧୪ଟି ଅର୍ଦ୍ଧଶତକ ସହ ୨୪୫୮ ରନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.