ETV Bharat / sports

କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମିଳିବ ସହଯୋଗ

author img

By ETV Bharat Odisha Team

Published : Oct 17, 2023, 8:49 PM IST

ଏସିଆନ୍‌ ଗେମ୍ସ ୨୦୨୩ରେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ଜାଭେଲିନ ଷ୍ଟାର୍‌ କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଘୋଷଣା କରିଥିବା ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହିତ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିକଟରେ ଚୀନ୍‌ର ହାଙ୍ଗଝୌରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସ ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଓଡ଼ିଶାର ଜାଭେଲିନ ଷ୍ଟାର୍‌ କିଶୋର କୁମାର ଜେନା । କିଶୋର ଦେଶ ପାଇଁ ରୌପ୍ୟ ପଦକ ଜିତିବା ସହ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଛନ୍ତି । ଏହି ଗୌରବମୟ କୀର୍ତ୍ତିମାନ ପାଇଁ ଓଡ଼ିଶାର ଜାଭେଲିନ ତାରକା କିଶୋର କୁମାର ଜେନାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ପୂର୍ବରୁ ଘୋଷଣା କରିଥିବା ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କିଶୋର ଏସୀୟ କ୍ରୀଡାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ । ତେବେ କିଶୋର ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇଛନ୍ତି । ଏହା ସହିତ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିଶୋରଙ୍କ ସମ୍ବର୍ଦ୍ଧନା ଉତ୍ସବରେ 5T ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । କିଶୋରଙ୍କ ଐତିହାସିକ ଯାତ୍ରା ପାଇଁ ସେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ଏହା ସହିତ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ପ୍ରୟାସ ଓ ସଫଳତାକୁ ସ୍ବୀକୃତି ଦେଇଥିବାରୁ କିଶୋର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କ୍ରୀଡ଼ାବିତ ମାନେ ଯେପରି ନିଜ କ୍ରୀଡ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିପାରିବେ ସେନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ସେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଏସିଆଡ୍‌ ପଦକ ବିଜେତା କିଶୋର ଜେନାଙ୍କୁ ସମ୍ବର୍ଦ୍ଧନା, ସମ୍ମାନୀତ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ

ବିଶ୍ବ ଆଥଲେଟିକ୍ସ ଦୁନିଆରେ ପୁରୀର ଏହି ଜାଭେଲିନ ଷ୍ଟାର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି । ଏହି ବର୍ଷଟି ତାଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି । ଏସୀୟ କ୍ରୀଡ଼ା ପ୍ରସ୍ତୁତି ସମୟରେ ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ପଞ୍ଚମ ସ୍ଥାନ ଅଧିକାର କରି କିଶୋର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ । କିଶୋର କ୍ରମାଗତ ଭାବରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଚାଲିଛନ୍ତି । ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏହି ଧାରାକୁ ବଜାୟ ରଖିବା ନେଇ ସେ ଆଶା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.