ETV Bharat / state

ଏସିଆଡ୍‌ ପଦକ ବିଜେତା କିଶୋର ଜେନାଙ୍କୁ ସମ୍ବର୍ଦ୍ଧନା, ସମ୍ମାନିତ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ

author img

By ETV Bharat Odisha Team

Published : Oct 16, 2023, 10:41 PM IST

Updated : Oct 16, 2023, 10:56 PM IST

ଏସିଆନ୍‌ ଗେମ୍ସ ୨୦୨୩ରେ ରୌପ୍ୟ ପଦକ ବିଜେତା ଓଡ଼ିଆ ଜାଭେଲିନ ଷ୍ଟାର କିଶୋର ଜେନାଙ୍କୁ ସମ୍ବର୍ଦ୍ଧନା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସମ୍ମାନିତ କଲେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢ଼ନ୍ତୁ

ଏସିଆଡ୍‌ ପଦକ ବିଜେତା କିଶୋର ଜେନାଙ୍କୁ ସମ୍ବର୍ଦ୍ଧନା
ଏସିଆଡ୍‌ ପଦକ ବିଜେତା କିଶୋର ଜେନାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଏସିଆନ୍‌ ଗେମ୍ସ ୨୦୨୩ରେ ଐତିହାସିକ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟକୁ ଗୌରବ ଆଣିଥିବା ଓଡ଼ିଆ ଜାଭେଲିନ ଷ୍ଟାର କିଶୋର ଜେନାଙ୍କ ପାଇଁ ସୋମବାର ଭୁବନେଶ୍ବରରେ ସମ୍ବର୍ଦ୍ଧନା ସମାରୋହ ଆୟୋଜନ ହୋଇଥିଲା । ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଏହି ସ୍ଵତନ୍ତ୍ର ସମ୍ବର୍ଦ୍ଧନା ସମାରୋହ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହୋଇଥିବା ବେଳେ ଏହି ଉତ୍ସବରେ କିଶୋରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏବଂ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଉପସ୍ଥିତ ଥିଲେ ।

ନିକଟରେ ଚୀନର ହାଙ୍ଗଝୌ ସହରରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସ ୨୦୨୩ ଜାଭେଲିନ ଥ୍ରୋ ଇଭେଣ୍ଟରେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ଭାରତକୁ ରୌପ୍ୟ ପଦକ ଭେଟି ଦେଇଥିଲେ ଓଡ଼ିଆ ମାଟିର ସୁନା ପୁଅ କିଶୋର ଜେନା । ସେ ସ୍ବର୍ଣ୍ଣ ପଦକରୁ ଅଳ୍ପ ଦୂରରେ ରହିଯାଇଥିଲେ ହେଁ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇଥିଲେ । ଏସିଆନ ଗେମ୍ସରେ ସେ କ୍ୟାରିୟରର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ‍ଫିଙ୍ଗି ଏହି ରୌପ୍ୟ ପଦକ ହାସଲ କରିଥିଲେ । ଏଥିସହ କିଶୋର ଅଲିମ୍ପିକ୍ସ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି । ସେହିଭଳି ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପୁଣିଥରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ନୀରଜ ।

ଏହା ମଧ୍ୟ ପଢ଼ନ୍ତୁ...Asian Games: କିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ଘୋଷଣା କଲେ ୧.୫ କୋଟି ପୁରସ୍କାର

ତେବେ ଓଡ଼ିଶାର ଏହି ସୁନା ପୁଅଙ୍କୁ ଆଜି ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, "ଜଣେ ଓଡ଼ିଆ ପୁଅ ଦେଶକୁ ଯେଉଁଭଳି ଗୌରବାନ୍ବିତ କଲେ, ସେଥିପାଇଁ ଆମେ ସମସ୍ତେ ଜଣେ ଜଣେ ଓଡ଼ିଆ ଭାବରେ ବେଶ ଖୁସି ଓ ଗର୍ବିତ । ଆଗକୁ ସେ ଖେଳିବାକୁ ଯାଉଥିବା ଅଲିମ୍ପିକ୍ସରେ ମଧ୍ୟ ଆହୁରି ଭଲ ପ୍ରଦର୍ଶନ କରନ୍ତୁ । ସେ ସେଠାରେ ଗୋଲ୍ଡ ମେଡଲ ଜିତନ୍ତୁ ବୋଲି ଜଣେ ଓଡ଼ିଆ ଭାବେ ମୁଁ ଆଶା କରିବି ।" ସେହିପରି କିଶୋର ନିଜେ ଏଭଳି ସମ୍ବର୍ଦ୍ଧନା ପାଇ ରାଜ୍ୟ ସରକାର ତଥା କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ା କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନକୁ ବେଶ ପ୍ରଶଂସା କରିଛନ୍ତି କିଶୋର । ପ୍ରକାଶଯୋଗ୍ୟ, କିଶୋରଙ୍କ ଏହି ଐତିହାସିକ ସଫଳତା ପରେ ମୁଖ୍ୟମନ୍ତ୍ରୀ କିଶୋର ଜେନାଙ୍କ ପାଇଁ ୧.୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2023, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.