ETV Bharat / sports

Ind vs Aus 2nd ODI: ଅଷ୍ଟ୍ରେଲିଆ ଆଗରେ ଭାରତର ଆତ୍ମସମର୍ପଣ, ୧୦ ୱିକେଟରେ ଜିତିଲା କଙ୍ଗାରୁ ଦଳ

author img

By

Published : Mar 19, 2023, 6:34 PM IST

ଦ୍ବିତୀୟ ଦିନିକିଆରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ମିଚେଲ ଷ୍ଟାର୍କଙ୍କ ୫ ୱିକେଟ ସଫଳତା ପରେ ଟ୍ରାବିସ ହେଡ୍‌ ଓ ମିଚେଲ ମାର୍ଶଙ୍କ ଅପରାଜିତ ଇନିଂନ୍ସ ବଳରେ ଭାରତ ଧରାଶାୟୀ । ୧୦ ୱିକେଟରେ ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ରେ ବରାବର କରିଛି ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

୧୦ ୱିକେଟରେ ମ୍ୟାଚ୍‌ ଜିତିଲା ଅଷ୍ଟ୍ରେଲିଆ
୧୦ ୱିକେଟରେ ମ୍ୟାଚ୍‌ ଜିତିଲା ଅଷ୍ଟ୍ରେଲିଆ

ବିଶାଖାପାଟଣା: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ ବୋଲରଙ୍କର ମଧ୍ୟ ସେଭଳି ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଫଳରେ ଦ୍ବିତୀୟ ଦିନିକିଆକୁ ୧୦ ୱିକେଟରେ ଜିତି ନେଇଛି କଙ୍ଗାରୁ ଦଳ । ଦଳର ଉଭୟ ପ୍ରାରମ୍ଭିକ ବ୍ୟାଟର ଟ୍ରାବିସ ହେଡ୍‌ ଓ ମିଚେଲ ମାର୍ଶଙ୍କ ଅପରାଜିତ ଇନିଂନ୍ସ ବଳରେ ଭାରତ ଧରାଶାୟୀ ହୋଇଛି । ଫଳରେ ଶୃଙ୍ଖଳାକୁ ୧-୧ରେ ବରାବର କରିଛି ଅଷ୍ଟ୍ରେଲିଆ । ୫ ୱିକେଟ ସଫଳତା ପାଇଥିବା ମିଚେଲ ଷ୍ଟାର୍କ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭ୍ରମଣକାରୀ ଦଳ । ପ୍ରଥମ ଦିନିକିଆ ଜିତି ୧-୦ରେ ଆଗୁଆ ରହିଥିବା ଭାରତୀୟ ଦଳ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ କଙ୍ଗାରୁ ଦଳର ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଥିଲା । ପ୍ରଥମ ପାଳିରେ ୫ ୱିକେଟ ହାସଲ କରି ଭାରତର ବ୍ୟାଟିଂ କ୍ରମକୁ ଧ୍ବଂସ କରିଦେଇଥିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ପାଳି ଆରମ୍ଭରୁ ଆକ୍ରମଣାତ୍ମକ ବୋଲିଂ ଜାରି ରଖିଥିଲେ ଅଷ୍ଟ୍ରେଲିଆ ବୋଲର । ଫଳରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ପ୍ରଥମ ଓଭରରୁ ହିଁ ଆରମ୍ଭ ହୋଇଥିଲା । ତେବେ ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୩୫ ବଲରୁ ୪ ଚୌକା ସହିତ ୩୧ ରନ ସଂଗ୍ରହ କରିଥିଲେ । ସେପଟେ ଅକ୍ଷର ପଟେଲଙ୍କ ଅପରାଜିତ ୨୯ ରନ ବଳରେ ଭାରତ ୧୧୭ ରନ ପର୍ଯ୍ୟନ୍ତ ପହଞ୍ଚିଥିଲା । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୧୩, ରାହୁଲ ୯, ହାର୍ଦ୍ଦିକ ପାଣ୍ଡ୍ୟା ୧, ଜାଡେଜା ୧୬ ଓ କୁଲଦୀପ ଯାଦବ ୪ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ଖେଳାଳି ଖାତା ଖୋଲିପାରିନଥିଲେ । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୫ ୱିକେଟ ସଫଳତା ହାସଲ କରିଥିବା ବେଳେ ସିନ୍‌ ଆବଟ୍‌ ୩ ଓ ନାଥନ ଏଲିସ ୨ଟି ସଫଳତା ପାଇଥିଲେ ।

ତେବେ ପ୍ରଥମ ପାଳିରେ ଭାରତ କେବଳ ୨୬ ଓଭର ଖେଳି ୧୧୭ ରନ କରିଥିବା ବେଳେ ୧୧୮ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ଦ୍ବିତୀୟ ପାଳି ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କୁ ଆକ୍ରମଣ କରିଥିଲେ ଉଭୟ କଙ୍ଗାରୁ ପ୍ରାରମ୍ଭିକ ବ୍ୟାଟର ଟ୍ରାବିସ ହେଡ୍‌ ଓ ମିଚେଲ ମାର୍ଶ । ଟ୍ରାବିସ ହେଡ୍‌ ୩୦ ବଲ ଖେଳି ୫୧ ରନ ସଂଗ୍ରହ କରିଛନ୍ତି । ସେଥିରେ ୧୦ ଚୌକା ସାମିଲ ରହିଛି । ଅନ୍ୟପଟେ ଧୂଆଁଧାର ବ୍ୟାଟିଂ କରି ଅଲରାଉଣ୍ଡର ମିଚେଲ ମାର୍ଶ ୩୬ ବଲରୁ ୬ ଚୌକା ଓ ୬ ଛକା ବଳରେ ୬୬ ରନ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ବିଜୟୀ କରିଛନ୍ତି । ଫଳରେ ଶୃଙ୍ଖଳା ଏବେ ୧-୧ରେ ବରାବର ହୋଇଛି ।

ଦ୍ବିତୀୟ ପାଳିରେ ଭାରତୀୟ ବୋଲରଙ୍କର ସେଭଳି ଭଲ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ୩ ଓଭର ବୋଲିଂ କରି ୨୯ ରନ ଦେଇଥିବା ବେଳେ ଆଇସିସି ଦିନିକିଆ ରାଙ୍କିଂରେ ଶୀର୍ଷ ସ୍ଥାନରେ ଥିବା ମହମ୍ମଦ ସିରାଜ ୩ ଓଭରରେ ୩୭ ରନ ବ୍ୟୟ କରିଛନ୍ତି । ସେହିଭଳି ଅକ୍ଷର ପଟେଲ ୩ ଓଭରରେ ୨୫ ରନ ଦେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ମାତ୍ର ଓଭର ବୋଲିଂ କରି ୧୮ ରନ ବ୍ୟୟ କରିଥିବା ବେଳେ କୁଲଦୀପ ଯାଦବ ଗୋଟିଏ ଓଭରରୁ ୧୨ ରନ ବ୍ୟୟ କରିଛନ୍ତି । ତେବେ ଆଜିର ମ୍ୟାଚ୍‌ରେ କୌଣସି ଭାରତୀୟ ବୋଲର ଗୋଟିଏ ମଧ୍ୟ ୱିକେଟ ନେବାରେ ସଫଳ ହୋଇ ପାରି ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.