ETV Bharat / sitara

40 ବର୍ଷରେ ସାଂସଦ ଅନୁଭବ ମହାନ୍ତି

author img

By

Published : Dec 24, 2021, 12:53 PM IST

ଅନୁଭବ ମହାନ୍ତି । ସାରା ଓଡ଼ିଶାରେ ଏକ ପରିଚିତ ଚେହେରା । ସୁପରହିଟ ଫିଲ୍ମ ପାଇଁ ହେଉ ବା ରାଜନୀତି କିଛି ନା କିଛି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଅନୁଭବ। ଆଜି ଏହି ଓଲିଉଡ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି 40 ବର୍ଷ ବୟସରେ ପାଦ ଦେଇଛନ୍ତି। ଅଧିକ ପଢନ୍ତୁ

40 ବର୍ଷରେ ସାଂସଦ ଅନୁଭବ ମହାନ୍ତି
40 ବର୍ଷରେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ବର: ଓଡିଆ ଇଣ୍ଡଷ୍ଟ୍ରିରେ ବହୁ ଲୋକପ୍ରିୟ ନେତା ଅଛନ୍ତି, ଯେଉଁମାନେ ବର୍ତ୍ତମାନ ସମୟରେ ଫିଲ୍ମ ଦୁନିଆରୁ ଦୂରେଇ ଯାଇ ରାଜନୀତିରେ ପାଦ ଥାପିଛନ୍ତି । କେବଳ ରାଜନୀତିରେ ପାଦ ଥାପି ନାହାନ୍ତି ବରଂ ଲୋକଙ୍କଠାରୁ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । ତେବେ ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି, ଯିଏ ବର୍ତ୍ତମାନ ସମୟରେ ଲୋକପ୍ରିୟ ନେତା ଭାବେ ବେଶ୍ ପରିଚିତ । ଅନୁଭବ ମହାନ୍ତି ବର୍ତ୍ତମାନ ବିଜେଡିର ସାଂସଦ ଅଟନ୍ତି।

40 ବର୍ଷରେ ସାଂସଦ ଅନୁଭବ ମହାନ୍ତି
40 ବର୍ଷରେ ସାଂସଦ ଅନୁଭବ ମହାନ୍ତି

ଲୋକପ୍ରିୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଡିସେମ୍ବର 24 ତାରିଖ 1981 ମସିହାରେ ଜନ୍ମଗ୍ରହଣ କରିଥିଲେ । କଟକ ସ୍ଥିତ ନନ୍ଦୀ ସାହିଠାରେ ଜନ୍ମ ନେଇଥିଲେ ଅନୁଭବ । ଡିଏଭି ପବ୍ଲିକ୍ ସ୍କୁଲରେ ସ୍କୁଲ ଶିକ୍ଷା ପରେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କୁ ପ୍ରଥମ ଓଡିଆ ଫିଲ୍ମ 'ଆଇ ଲଭ ୟୁ'ରେ ସୁଯୋଗ ମିଳିଥିଲା। ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ ସେ ଆଲବମ୍ ଜଗତରେ ମଧ୍ୟ ଖୁବ୍ ପ୍ରତିଷ୍ଠା ଲାଭ କରିସାରିଥିଲେ । ବର୍ତ୍ତମାନ ସୁଦ୍ଧା 33ରୁ ଅଧିକ ଓଡିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ଅର୍ଜୁନ, ପ୍ରଥମ ପ୍ରେମ, ସାଥୀରେ, ସୁନା ଚଢ଼େଇ ମୋ ରୂପା ଚଢ଼େଇ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରିବା ପରେ ଅନୁଭବଙ୍କ ଲୋକପ୍ରିୟତା ବଢ଼ିଥିଲା।

40 ବର୍ଷରେ ସାଂସଦ ଅନୁଭବ ମହାନ୍ତି
40 ବର୍ଷରେ ସାଂସଦ ଅନୁଭବ ମହାନ୍ତି

2004 ମସିହାରେ 'ଆଇ ଲଭ ୟୁ' କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଅନୁଭବ 2014 ମସିହାରେ ବଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଅର୍ଥାତ 27 ଅପ୍ରେଲ 2013 ମସିହାରେ ଅନୁଭବ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଜୁନ ମାସ 2014ରେ ରାଜ୍ୟସଭା ସାଂସଦ ରୂପେ ନିର୍ଦ୍ବନ୍ଦରେ ମନୋନୀତ ହୋଇଥିଲେ । 2019 ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଅନୁଭବ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ବୈଜୟନ୍ତ ପଣ୍ଡାଙ୍କ ସହ ପ୍ରତିଦ୍ବନ୍ଦିତା କରିଥିଲେ । ବିପୁଳ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିଲେ ଅନୁଭବ ।

40 ବର୍ଷରେ ସାଂସଦ ଅନୁଭବ ମହାନ୍ତି
40 ବର୍ଷରେ ସାଂସଦ ଅନୁଭବ ମହାନ୍ତି

ଦୀର୍ଘ ଦିନରୁ ରାଜନୀତି କ୍ୟାରିୟର ପାଇଁ ବ୍ୟସ୍ତ ଥିବା ଅନୁଭବ ବର୍ତ୍ତମାନ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ବି ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ସମ୍ପର୍କରେ ତିକ୍ତତା ଥମିବାର ନାଁ ନେଉନାହିଁ । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଚାଲିଥିବା ପାରିବାରିକ ବିବାଦ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଏବେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଧରିଛି। ସିରିଜ୍ ଟୁଇଟ୍ କରି ଏହି ମାମଲାରେ ନିଜକୁ ପୀଡିତ ଦର୍ଶାଇ ନ୍ୟାୟ ଲୋଡିଥିଲେ ଅଭିନେତାରୁ ରାଜନେତା ବନିଥିଲେ ଅନୁଭବ। ଏଥିରେ ସେ ଗତ ବର୍ଷର କିଛି ସିସିଟିଭି ଭିଡିଓକୁ ପୋଷ୍ଟ କରି ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଥିଲେ।

ତେବେ ଗୋଟେ ପଟେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ବି ଦର୍ଶକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଅନୁଭବ ମହାନ୍ତି ଚଳଚ୍ଚିତ୍ର ଜଗତକୁ ଫେରିବେ କି ନାହିଁ । କାରଣ ଦୀର୍ଘ ଦିନରୁ ନିଜର ରାଜନୀତି କ୍ୟାରିୟର ପାଇଁ ବ୍ୟସ୍ତ ଥିବା ଅନୁଭବ ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି । ନିକଟରେ ‘ଆସ୍କ ଅନୁଭବ’ ନାମକ ଏକ ଅନଲାଇନ ସାକ୍ଷାତକାରରେ ଅନୁଭବ କହିଥିଲେ ଯେ, ଯଦି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡାବାସୀ ଚାହିଁବେ ତାହେଲେ ସେ ଫିଲ୍ମ ଜଗତକୁ ଫେରିବେ । ସେ ଫିଲ୍ମ କରିବେ କି ନ କରିବେ ତାହା ଭୋଟରଙ୍କ ଉପରେ ନିର୍ଭର କରେ । ତେବେ କେନ୍ଦ୍ରାପଡାବାସୀ ଯଦି କହିବେ ଫିଲ୍ମ କରିବି ଓ ସେଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ନେବେ ବୋଲି କହିଥିଲେ ଅନୁଭବ । ଶେଷଥର ପାଇଁ ଅନୁଭବଙ୍କୁ ଫିଲ୍ମ ‘ବିଜୁବାବୁ’ରେ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କର କିଛି ଫିଲ୍ମ ରିଲିଜ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.