ETV Bharat / international

ପୁଣି ଗୋଟିଏ କଥା ଦୋହରାଇଲେ ଟ୍ରୁଡୋ, କହିଲେ ‘ଆମ ଅଭିଯୋଗକୁ ଗୁରୁତ୍ୱ ଦେଉ ଭାରତ, ଆମକୁ ସହଯୋଗ କରୁ’

author img

By ETV Bharat Odisha Team

Published : Sep 23, 2023, 11:57 AM IST

Updated : Sep 23, 2023, 4:41 PM IST

ତୀବ୍ର ହେଉଛି କାନାଡା-ଭାରତ ବିବାଦ । ନିଜ୍ଜାର ହତ୍ୟା ମାମଲାରେ କିଛି ସପ୍ତାହ ପୂର୍ବରୁ ଭାରତକୁ ପ୍ରମାଣ ଦେଇସାରିଛୁ ବୋଲି ଦାବି କଲେ ଜଷ୍ଟିନ ଟ୍ରୁଡୋ । ଅଧିକ ପଢନ୍ତୁ

ତୀବ୍ର ହେଉଛି କାନାଡା-ଭାରତ ବିବାଦ
ତୀବ୍ର ହେଉଛି କାନାଡା-ଭାରତ ବିବାଦ

ଓଟୱା: ଭାରତ ଓ କାନାଡା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଉନି । କାନାଡାରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ନିଜ୍ଜାରର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । ଏହି ବଢୁଥିବା ତିକ୍ତତା ଭିତରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣିଥରେ ଭାରତ ବିରୋଧରେ ବଡ଼ ବୟାନ କରିଛନ୍ତି । ଶୁକ୍ରବାର ଦିନ ଟ୍ରୁଡୋ କହିଛନ୍ତି ଯେ, ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡ ଘଟଣାରେ କିଛି ସପ୍ତାହ ପୂର୍ବରୁ ଆମେ ଭାରତକୁ ସମସ୍ତ ପ୍ରମାଣ ଦେଇଥିଲୁ । ସତ ସାମ୍ନାକୁ ଆଣିବା ପାଇଁ ଭାରତ କାନାଡାକୁ ତଦନ୍ତରେ ସହଯୋଗ କରୁ ବୋଲି ଆମେ ଚାହୁଁଛୁ ।

ଶୁକ୍ରବାର କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସମ୍ମିଳନୀରେ ନିଜ୍ଜାର ହତ୍ୟାକାଣ୍ଡ ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନରେ ଟ୍ରୁଡୋ କହିଥିଲେ, ''ସୋମବାର ଦିନ ମୁଁ ଯେଉଁ କଥା କହିଥିଲି, ସେହି ଅଭିଯୋଗ ସମ୍ପର୍କରେ ବହୁ ଦିନ ଆଗରୁ ଭାରତକୁ ସୂଚୀତ କରାଯାଇଛି । କିଛି ସପ୍ତାହ ପୂର୍ବରୁ ଆମେ ନିଜ୍ଜାର ହତ୍ୟା ସହ ଜଡିତ ପ୍ରମାଣ ଭାରତକୁ ଦେଇଥିଲୁ । ଏହି ଗମ୍ଭୀର ମାମଲାରେ ଆମେ ଭାରତ ସହ ସକରାତ୍ମକ ଭାବେ କାମ କରିବାକୁ ଚାହୁଁଛୁ । ଭାରତ ତଦନ୍ତରେ ଆମକୁ ସହଯୋଗ କରୁ, ଯଦ୍ବାରା ଆମେ ଘଟଣା ମୂଳ ଯାଏଁ ପହଞ୍ଚି ପାରିବୁ ।''

ଏହାମଧ୍ୟ ପଢନ୍ତୁ: କାନାଡା-ଭାରତ ବିବାଦ: ନିଜ୍ଜାର ହତ୍ୟାକାଣ୍ଡର ତଦନ୍ତ ଜରୁରୀ କହିଲା ଆମେରିକା

ସୋମବାର ଦିନ ଜଷ୍ଟିନ ଟ୍ରୁଡୋ ସଂସଦର କହିଥିଲେ, ଜୁନ ୧୮ରେ ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ନେତା ନିଜ୍ଜାରଙ୍କୁ ହତ୍ୟା କରାଯିବା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଛି । କାନାଡା ମାଟିରେ ଏହାର ନାଗରିକଙ୍କୁ ହତ୍ୟା କରାଯିବାକୁ ବରଦାସ୍ତ କରାଯିବନି । ଏନେଇ ସେ କାନାଡାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ । ଟ୍ରୁଡୋଙ୍କ ଏଭଳି ସାଂଘାତିକ ଅଭିଯୋଗକୁ ଭାରତ ପକ୍ଷରୁ ଅଯଥା ଓ ଉଦ୍ଦେଶ୍ୟମୂଳକ କହି ଦୃଢ ଭାବେ ଖଣ୍ଡନ କରାଯିବା ସହିତ ଦିଲ୍ଲୀରେ ଥିବା କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଥିଲା । ଏହାପରଠୁ ଦୁଇ ଦେଶ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । ଭାରତ କାନାଡା ନାଗରିକଙ୍କ ପାଇଁ ଭିସା ସେବା ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ କରିଛି ।

କାନାଡା ପ୍ରସଙ୍ଗରେ ଆମେରିକା ଗୁରୁବାର କହିଥିଲା ଯେ, ଭାରତ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ କାନାଡା ଯେଉଁ ଦାବି କରୁଛି ତାହାକୁ ଆମେ ସମର୍ଥନ କରୁଛୁ । କାନାଡା ମାଟିରେ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ସମ୍ପର୍କିତ ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଆମେରିକା ଖୁବ୍ ଚିନ୍ତିତ । ଏହି ମାମଲାର ତଦନ୍ତ ନିହାତି ଜରୁରୀ । ଏନେଇ ଉଭୟ ଦେଶର କୂଟନୈତିକ ପ୍ରତିନିଧିଙ୍କ ସହ ସମ୍ପର୍କରେ ଅଛୁ ବୋଲି ଆମେରିକାର ବୈଦେଶିକ ସଚିବ କହିଥିଲେ ।

Last Updated : Sep 23, 2023, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.