ETV Bharat / international

କରାଚିରେ ଭାଙ୍ଗିଲା 150ବର୍ଷ ପୁରାତନ ମନ୍ଦିର, ମଲ୍‌ ନିର୍ମାଣ ପାଇଁ ଚାଲିଲା ବୁଲଡୋଜର

author img

By

Published : Jul 16, 2023, 7:40 PM IST

ପାକିସ୍ତାନରେ ମନ୍ଦିର ଉପରେ ଚାଲିଲା ବୁଲଡୋଜର । ମଲ ନିର୍ମାଣ ପାଇଁ 150 ବର୍ଷର ପୁରାତନ ମନ୍ଦିରକୁ ଭାଙ୍ଗିଲା ପ୍ରଶାସନ । ଅଧିକ ପଢନ୍ତୁ

Hindu Temple demolished in Karachi
Hindu Temple demolished in Karachi

ଇସଲାମବାଦ: ପାକିସ୍ତାନର କରାଚି ସହରରେ ଭାଙ୍ଗିଲା ଦୀର୍ଘ 150 ବର୍ଷ ତଳର ପୁରାତନ ମନ୍ଦିର । ଏହି ମନ୍ଦିରକୁ ବିପଦପୂର୍ଣ୍ଣ ଦର୍ଶାଇ ସ୍ଥାନୀୟ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି । ସବୁଠାରୁ ବଡ଼ କଥା ହେଉଛି ସ୍ଥାନୀୟ ହିନ୍ଦୁ ଧର୍ମାବଲମ୍ବୀ କିମ୍ବା ଏହାର ରକ୍ଷାଣବେକ୍ଷଣରେ ଥିବା ବ୍ୟକ୍ତିଙ୍କୁ ନ ଜଣାଇ ଏହାକୁ ପ୍ରଶାସନ ଭୋର ସକାଳୁ ଭାଙ୍ଗି ଦେଇଛି । କରାଚି ସୋଲଜର ବଜାର ସ୍ଥିତ ଏହି ମାତା ମନ୍ଦିର ଭଙ୍ଗାଯିବା ପରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ପ୍ରଶାସନ ମଲ୍‌ ନିର୍ମାଣ ପାଇଁ ଏହି ମନ୍ଦିରକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି ।

ଗତ ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା । ମନ୍ଦିର ଭଙ୍ଗାଯିବା ସମୟରେ ଉକ୍ତ ସ୍ଥାନରେ ଭାରି ମାତ୍ରାରେ ପୋଲିସ ଫୋର୍ସ ମୁତୟନ ରହିଥିଲା । ଏନେଇ ମନ୍ଦିର ରକ୍ଷାଣବେକ୍ଷଣରେ ଥିବା ବ୍ୟକ୍ତି ରାମନାଥ ମିଶ୍ର ମହାରାଜ କହିଛନ୍ତି, "ପ୍ରଶାସନ ଭୋର ସକାଳୁ ଆସି ଏହି ମନ୍ଦିରକୁ ଭାଙ୍ଗି ଦେଇଛି । ଏ ସମ୍ପର୍କରେ ଆମକୁ ସୂଚିତ ମଧ୍ୟ କରାଯାଇନାହିଁ ।" ମିଶ୍ର ନିକଟ ଶ୍ରୀପଞ୍ଚ ମୁଖି ହନୁମାନ ମନ୍ଦିରର ରକ୍ଷାଣବେକ୍ଷଣ ମଧ୍ୟ କରନ୍ତି । ପ୍ରଶାସନ ମନ୍ଦିରର ବାହାର କାନ୍ଥ ଓ ମୁଖ୍ୟ ଦ୍ବାରକୁ ଛାଡ଼ି ଦେଲେ ଭିତର ପାର୍ଶ୍ବକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦିଆଯାଇଛି । ଏହି ମନ୍ଦିର 150 ବର୍ଷ ପୁରାତନ । ମନ୍ଦିରର କିମ୍ବଦନ୍ତୀ ଅନୁସାରେ ଏହାର ତଳେ ବହୁ ସ୍ବର୍ଣ୍ଣ ଅଳଙ୍କାର ପୋତା ଯାଇଛି ବୋଲି କହିଛନ୍ତି ମିଶ୍ର ।

ଏହା ବି ପଢନ୍ତୁ- ମାଟିରେ ମିଶିଲା ମନ୍ଦିର, କାନ୍ଦିକାନ୍ଦି ବେହାଲ ଶ୍ରଦ୍ଧାଳୁ

ମିଶ୍ରଙ୍କ ସୂଚନା ମୁତାବକ ମନ୍ଦିରଟି ପ୍ରାୟ 400ରୁ 500 ବର୍ଗ କ୍ଷେତ୍ର ମଧ୍ୟରେ ପରିବେଷ୍ଟିତ । ଏହା ଉପରେ ଜମି ମାଫିଆ ଓ କିଛି ଶିଳ୍ପପତିଙ୍କ ନଜର ଥିଲା । ସେଥିପାଇଁ ହିନ୍ଦୁ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥଳକୁ ସେମାନଙ୍କ ଅଜାଣତରେ ଭାଙ୍ଗି ଦିଆଯାଇଛି । ସେପଟେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ପୁରାତନ ମନ୍ଦିରଟି ବହୁ ପୁରୁଣା ହୋଇଥିବାରୁ ଏହା ଅସୁରକ୍ଷିତ ଅବସ୍ଥାରେ ଥିଲା । ଯାହାକି ସ୍ଥାନୀୟ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା । ସ୍ଥାନୀୟ ପ୍ରଶାସନ ଏହାକୁ ଜନତାଙ୍କ ପାଇଁ ବିପଦସଙ୍କୁଳ ସ୍ଥାନ ବୋଲି ଘୋଷଣା କରିବା ପରେ ଏହାକୁ ଭାଙ୍ଗି ଦିଆଯାଇଛି ।

କରାଚିରେ ଥିବା ମଦରାସି ହିନ୍ଦୁ ସମ୍ପ୍ରଦାୟ ଏହି ମନ୍ଦିରକୁ ଚଲାଉଥିଲେ । ଏହା ବହୁ ପୁରୁଣା ହେବା ସହ ବିପଦପୂର୍ଣ୍ଣ ସ୍ଥଳ ବୋଲି ସେମାନ ମଧ୍ୟ ସ୍ବୀକାର କରିଥିଲେ । ମନ୍ଦିର ପରିଚାଳନା କମିଟି ଏଠାରେ କାର୍ଯ୍ୟରତ ସେବାୟତମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା । ଅନ୍ୟପଟେ ହିନ୍ଦୁ ସମ୍ପ୍ରଦାୟର ମୁଖ୍ୟ ରମେଶ କହିଛନ୍ତି, "ମନ୍ଦିର ପରିଚାଳନା କମିଟି ଚାପଗ୍ରସ୍ତ ଥିଲା । ଏହି ଜମି ଉପରେ ବ୍ୟବସାୟିକ ଅନୁଷ୍ଠାନ ନିର୍ମାଣ କରିବା ଲାଗି ଯୋଜନା ରହିଛି । ଏଣୁ କ୍ରମାଗତ ଭାବେ ମନ୍ଦିର ଭାଙ୍ଗିବା ଲାଗି ଚାପ ପକାଯାଉଥିଲା ।"

ମନ୍ଦିର ଭଙ୍ଗାଯିବା ପରେ ହିନ୍ଦୁ ସମ୍ପ୍ରଦାୟ ଘଟଣା ଉପରେ ତଦନ୍ତ କରିବା ଲାଗି ପାକିସ୍ତାନ-ହିନ୍ଦୁ କାଉନ୍ସିଲ୍‌ ନିକଟରେ ଆବେଦନ କରିଛି । ସୂଚନା ଥାଉ କି କରାଚିରେ ଅଧିକାଂଶ ହିନ୍ଦୁ ସମ୍ପ୍ରଦାୟ ରହୁଥିବା ବେଳେ ଏଠାରେ ବହୁ ପୁରାତନ ହିନ୍ଦୁ ମନ୍ଦିରଗୁଡ଼ିକ ରହିଛି । ପାକିସ୍ତାନରେ ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟ ହୋଇଥିବା ବେଳେ କରାଚିରେ ସିନ୍ଧୁ ପ୍ରଦେଶରେ ହିନ୍ଦୁ ଭାଇଭଉଣୀମାନେ ବାସ କରନ୍ତି । ସେମାନେ ମୁସଲିମ ଅଧିବାସୀଙ୍କ ସହିତ ନିଜର ସଂସ୍କୃତି, ପରମ୍ପରାକୁ ବାଣ୍ଟିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.