ETV Bharat / international

ଲଗାତାର ଚତୁର୍ଥ ଥର ତୁର୍କୀରେ ଭୂକମ୍ପ, ସହାୟତା ପାଇଁ ଭାରତକୁ କହିଲା ଦୋସ୍ତ

author img

By

Published : Feb 7, 2023, 12:12 PM IST

ତୁର୍କୀର ଗୋଲବାସି ସହରରେ ଭୂକମ୍ପ ଝଟକା। ଲଗାତାର ଚତୁର୍ଥ ଭୂକମ୍ପ ହୋଇଥିବା ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ତରଫରୁ ସୂଚନା। ଅଧିକ ପଢନ୍ତୁ

Etv Bharat
Etv Bharat

ଇସ୍ତାନବୁଲ: ତୁର୍କୀରେ ପୁଣି ଥରେ ଭୂକମ୍ପ । ଲଗାତାର ଚତୁର୍ଥ ଥର ପାଇଁ ତୁର୍କୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତୁର୍କୀର ଗୋଲବାସି ସହରରେ 5.5 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବା ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ତରଫରୁ ସୂଚନା ମିଳିଛି । ମଙ୍ଗଳବାର ସକାଳ 8ଟା 43 ମିନିଟରେ ଅନୁଭୁତ ହୋଇଥିବା ଏହି ଭୂକମ୍ପର ଗଭୀରତା 10 କିଲୋମିଟର ରହିଥିଲା । ତେବେ ଗତକାଲି(ସୋମବାର) ତିନି ଥର ଭୂକମ୍ପ ପରେ ତୁର୍କୀରେ ମୃତ୍ୟୁ ସଂଖ୍ୟା କ୍ରାମଗତ ଭାବେ ବୃଦ୍ଧି ହେବାରେ ଲାଗିଛି । ଭୂକମ୍ପର ପ୍ରଭାବ ସିରିଆରେ ମଧ୍ୟ ଅନୁଭୂତ ହୋଇଥିବା ବେଳେ ବର୍ତ୍ତମାନ ଉଭୟ ଦେଶର ମୋଟ ମୃତ୍ୟୁସଂଖ୍ୟା 4ହଜାର ପାର କରିଛି । ବାରମ୍ବାର ଭୂକମ୍ପ ଉଦ୍ଧାର କାର୍ଯ୍ୟକୁ ପ୍ରଭାବିତ କରିବା ସହ କ୍ଷୟକ୍ଷତି ବଢିବାରେ ଲାଗିଛି ।

ଗୋଟିଏ ପଟେ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଇଛି । ଲଗାତାର ଭୂକମ୍ପ ଯୋଗୁଁ ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ବହୁ ବଡବଡ କୋଠା ଭୂଶୁଡି ପଡିଥିବା ବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି । ପ୍ରତିକୂଳ ପରିବେଶ ତଥା ବିପର୍ଯ୍ୟୟ ବିଭୀଷିକା ମଧ୍ୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ତୁର୍କୀ ସରକାର ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ତେବେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପରେ ବିଭିନ୍ନ ଦେଶ ତୁର୍କୀକୁ ସାହାଯ୍ୟରେ ହାତ ବଢାଇଛନ୍ତି । ଭାରତ ମଧ୍ୟ ତୁର୍କୀକୁ ଉଦ୍ଧାରକାରୀ ଟିମ୍‌ ପଠାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୁଣି ଭୂକମ୍ପ ହୋଇଛି । ଫଳରେ ଛାରଖାର ହୋଇଯାଇଛି ତୁର୍କୀ ।

ଗତକାଲି(ସୋମବାର) ସକାଳ ସମୟରେ ତୁର୍କୀ ଓ ସିରିଆରେ 7.8 ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାପରେ ଅପରାହ୍ନ ସମୟରେ ଆଉ ଦୁଇ ଥର ଭୂକମ୍ପ ହୋଇଥିଲା। ଆଜି ସକାଳ ପୁଣି ଥରେ ଭୂକମ୍ପ ହେବା ପରେ ତୁର୍କୀରେ ସ୍ଥିତି ଅଣାୟତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପ ପରେ ଉଭୟ ଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ବଡ଼ବଡ଼ କୋଠା ଭୁଶୁଡି ପଡିଥିବା ବେଳେ ମୃତାହତଙ୍କୁ ଉଦ୍ଧାର ଜାରି ରହିଛି । ତୁର୍କୀ ସେନା ଓ ଉଦ୍ଧାରକାରୀ ଟିମ୍‌ ସହ ଅନ୍ୟ ଦେଶର ଉଦ୍ଧାରକାରୀ ଦଳ ମଧ୍ୟ ପହଞ୍ଚିଛନ୍ତି । ଆଜି ସକାଳ ସମୟରେ ଭାରତର ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ତୁର୍କୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ।

ତୁର୍କୀରେ ଭୂକମ୍ପ ତାଣ୍ଡବ ରଚୁଥିବା ପ୍ରଥମେ ଭାରତ ସହଯୋଗର ହାତ ବଢ଼ାଇଥିଲା । ଏହାକୁ ନେଇ ସମୋବାର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଭାରତର ଏହି ପଦକ୍ଷେପ ପରେ ଧନ୍ୟବାଦ ଜଣାଇଛି ତୁର୍କୀ । ଦିଲ୍ଲୀସ୍ଥିତ ତୁର୍କୀ ଦୂତାବାସରେ ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ ଅରିନ୍ଦମ ବାଗଚୀ । ଏହି ଅବସରରେ ଭାରତକୁ ଦୋସ୍ତ କହି ସମ୍ବୋଧନ କରିଛନ୍ତି ତୁର୍କୀ ରାଷ୍ଟ୍ରଦୂତ । ସେ କହିଛନ୍ତି, "ଦୋସ୍ତ ଶବ୍ଦର ଅର୍ଥ ଉଭୟ ତୁର୍କୀ ଓ ହିନ୍ଦୀରେ ସମାନ । ଆବଶ୍ୟକ ସମୟରେ ସହାୟତା କରୁଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.