ETV Bharat / international

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା 4.1 ରେକର୍ଡ

author img

By ETV Bharat Odisha Team

Published : Nov 21, 2023, 8:14 AM IST

Earthquake in Afghanistan: ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 4.1 ରେକର୍ଡ କରାଯାଇଥିବା ବେଳେ ଏବେସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଅଧିକ ପଢନ୍ତୁ

ପୁଣି ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ
ପୁଣି ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

କାବୁଲ: ପୁଣି ଆଫଗାନିସ୍ତାନରେ ଭୂମିକମ୍ପ ଝଟକା । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ରେକର୍ଡ କରାଯାଇଛି । ତେବେ ଏହି ଭୂମିକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର ରାତି 12ଟା 03 ସେକେଣ୍ଡରେ ଆଫଗାନିସ୍ତାନରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ରେକର୍ଡ ଯାଇଥିବା ବେଳେ ଏହାର କେନ୍ଦ୍ର କାବୁଲରେ 73 କିମି ଗଭୀରତା ଥିବା ଜଣାପଡିଛି । ଏହାର ଅକ୍ଷାଂଶ 35.07 ରହିଥିବା ବେଳେ ଏହାର ଦ୍ରାଘିମା 63.38 ରହିଛି ।

ଏହାମଧ୍ୟ ପଢନ୍ତୁ.. Afghanistan Earthquake: ଦୁଇ ଥର ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

ପ୍ରକାଶ ଥାଉକି, ଏହାପୂର୍ବରୁ ଅକ୍ଟୋବର ମାସର ଆରମ୍ଭରେ ଆଫଗାନିସ୍ତାନରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିଲା । ଲଗାତର ଭାବେ ସେଠାରେ ଭୂକମ୍ପ ଝଟକା ଅନୂଭୁତ ହୋଇଥିଲା । ଗତ ୭ ତାରିଖରେ ଆଫଗାନିସ୍ତାନରେ ୧ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳୀ ହେରାତ ସହର ହୋଇଥିବାବେଳେ ତାହାର କମ୍ପନ ପ୍ରାୟ ୭.୭ କିମି ଗଭୀରରେ ହୋଇଥିଲା । ପ୍ରଥମ ଝଟ୍‌କାର ତୀବ୍ରତା ୬.୩ ମ୍ୟାଗ୍ନିଚ୍ୟୁଡ୍‌ ଥିଲା । ପରେ ପୁଣିଥରେ ୫.୯ ତୀବ୍ରତାର କମ୍ପନ ମଧ୍ୟ ହୋଇଥିଲା ।

ତେବେ ସେହି ପ୍ରଳୟଙ୍କାରୀ ଭୂକମ୍ପ ଯୋଗୁଁ ୨୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୯୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ୧୩୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା । ସେହିପରି ଗତ ମାସରେ ଆଫଗାନିସ୍ତାନରେ ଲଗାତାର ୨ଥର ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମେ 6.2 ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ପରେ 5.4 ତୀବ୍ରତାର ଭୂକମ୍ପ ହୋଇଥିଲା ।

କିଭଳି ମପାଯାଏ ଭୂମିକମ୍ପର ତୀବ୍ରତା: ତେବେ ଭୂକମ୍ପ ମାପିବା ପାଇଁ ରିକ୍ଟର ସ୍କେଲ ରହିଥାଏ । ଏହି ରିକ୍ଟର ସ୍କେଲକୁ ମାଗ୍ନିଚ୍ୟୁଡ ସ୍କେଲ କୁହାଯାଏ । ରିକ୍ଟର ସ୍କେଲରେ ଭୂକମ୍ପକୁ 1ରୁ 9 ଆଧାରରେ ମପାଯାଏ । ଭୂକମ୍ପକୁ ଏହାର କେନ୍ଦ୍ର ଅର୍ଥାତ ଏପିସେଣ୍ଟରରେ ମପାଯାଏ । ଭୂକମ୍ପ ସମୟରେ ମାଟି ମଧ୍ୟରୁ ଏକ ଶକ୍ତି ବାହାରିଥାଏ । ଯାହାର ତୀବ୍ରତାକୁ ମପାଯାଏ । ଏହି ତୀବ୍ରତାରୁ ଭୂକମ୍ପ ଝଟକାର ଭୟବହତାର ଆକଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.