ETV Bharat / entertainment

Chandra Mohan Passes Away: ହୃଦଘାତରେ ତେଲୁଗୁ ଅଭିନେତା ଚନ୍ଦ୍ର ମୋହନଙ୍କ ଦେହାନ୍ତ

author img

By ETV Bharat Odisha Team

Published : Nov 11, 2023, 1:17 PM IST

Updated : Nov 11, 2023, 1:24 PM IST

ଆଉ ନାହାନ୍ତି ତେଲୁଗୁ ସିନେ ଜଗତର ଜଣାଶୁଣା ଅଭିନେତା ଚନ୍ଦ୍ର ମୋହନ । ୭୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ଘଟିଛି । ଅଧିକ ପଢନ୍ତୁ

veteran actor chandra mohan passes away
veteran actor chandra mohan passes away

ହାଇଦ୍ରାବାଦ: ତେଲୁଗୁ ସିନେ ଜଗତ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ବରିଷ୍ଠ ତେଲୁଗୁ ଅଭିନେତା ଚନ୍ଦ୍ର ମୋହନ । ୭୮ ବର୍ଷ ବୟସରେ ହୃତଘାତରେ ଆଜି ତାଙ୍କର ପରଲୋକ ଘଟିଛି । ହାଇଦ୍ରାବାଦର ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୯ଟା ୪୫ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସୂଚନା ରହିଛି । ତେଲୁଗୁ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା ଥିଲେ ଚନ୍ଦ୍ର ମୋହନ । ତାଙ୍କର ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ସୋମବାର ଦିନ ହାଇଦ୍ରାବାଦରେ ଅଭିନେତାଙ୍କ ଅନ୍ତିମ ସଂସ୍କାର ହେବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ଅଭିନେତା ଚନ୍ଦ୍ର ମୋହନଙ୍କ ବିୟୋଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆରଆରଆର ଚଳଚ୍ଚିତ୍ରର ଅଭିନେତା ଜୁନିଅର ଏନଟିଆରଙ୍କ ସମେତ ବହୁ ତେଲୁଗୁ ଅଭିନେତା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏକ୍ସରେ ଟ୍ବିଟ କରି କହିଛନ୍ତି ଯେ, ଚନ୍ଦ୍ର ମୋହନଙ୍କ ପ୍ରେରଣାରେ ଅନେକ ଅଭିନେତା ଓ ଅଭିନେତ୍ରୀ ଉଚ୍ଚ ସ୍ତରରେ ପହଞ୍ଚିଛନ୍ତି । କଲାମଟଲୀଙ୍କ ପ୍ରିୟ ସନ୍ତାନ ଭାବରେ ଚନ୍ଦ୍ର ମୋହନ ବହୁ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ ଲୋକଙ୍କ ପ୍ରଶଂସା ଲାଭ କରିଥିଲେ । ସେହିପରି ଅଭିନେତା ଜୁନିଅର ଏନଟିଆର ଏକ୍ସରେ କହିଛନ୍ତି, "ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଚନ୍ଦ୍ର ମୋହନଙ୍କ ଅକାଳ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ତାଙ୍କର ଅମର ଆତ୍ମାକୁ ​​ଶାନ୍ତି ମିଳୁ ।"

ଏହା ମଧ୍ୟ ପଢନ୍ତୁ- ଆଉ ନାହାନ୍ତି ହାସ୍ୟ ଅଭିନେତା ବିରବଲ ଖୋସଲା, ବଲିଉଡରେ ଶୋକର ଛାୟା

ପ୍ରକାଶ ଥାଉକି, 1943 ମସିହା ମେ' 23 ତାରିଖରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଚନ୍ଦ୍ର ମୋହନ ଜନ୍ମଗ୍ରହଣ କରିଥିଲେ । 1966 ମସିହାରେ ଫିଲ୍ମ 'ରଙ୍ଗୁଲା ରତନମ୍' ଜରିଆରେ ସେ ତେଲୁଗୁ ଫିଲ୍ମ ଇଣ୍ଟଷ୍ଟ୍ରୀରେ ଡେବ୍ୟୁ କରିଥିଲେ । ଏହି ଭେଟେରାନ ଅଭିନେତା ବହୁ ତେଲୁଗୁ ଚଳଚ୍ଚିତ୍ର ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ତାଙ୍କର ନିଖୁଣ ଅଭିନୟ ଯାଦୁରେ ସେ ଦର୍ଶକଙ୍କ ମନ ଜିଣିଥିଲେ । ଚନ୍ଦ୍ର ମୋହନଙ୍କୁ ଗୋଟିଏ ଫିଲ୍ମଫେୟାର ଆୱାର୍ଡ ଏବଂ ଦୁଇଟି ନନ୍ଦୀ ପୁରସ୍କାର ମିଳିଥିଲା । ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ଥିଲା 'ନଲାଇ ନମଧେ' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 11, 2023, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.