ETV Bharat / entertainment

Jiah khan suicide case: ସୁରଜ ପଞ୍ଚୋଲି ନିର୍ଦ୍ଦୋଷରେ ଖଲାସ

author img

By

Published : Apr 28, 2023, 12:52 PM IST

Updated : Apr 28, 2023, 1:08 PM IST

ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସୁରଜ ପଞ୍ଚୋଲି ଦୋଷମୁକ୍ତ । ସ୍ବତନ୍ତ୍ର ସିବିଆଇ କୋର୍ଟରେ ସରିଲା ମାମଲାର ଶୁଣାଣି । ଅଧିକ ପଢନ୍ତୁ

Jiah khan suicide case
Jiah khan suicide case

ମୁମ୍ବାଇ: 10 ବର୍ଷ ପରେ ଦୋଷମୁକ୍ତ ହେଲେ ଅଭିନେତା ସୁରଜ ପଞ୍ଚୋଲି । ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସୁରୋଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ବମ୍ବେ ସିବିଆଇ କୋର୍ଟ । ଜିଆଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ସହ ସୁରଜଙ୍କ କୌଣସି ସମ୍ପର୍କ ନଥିବା କୋର୍ଟ ଦର୍ଶାଇଛନ୍ତି । 2013ରେ ଜିଆଙ୍କ ମୃତ୍ୟୁ ପାଇଁ ସୁରଜଙ୍କୁ ଦାୟୀ କରିଥିଲେ ତାଙ୍କ ମାଆ ରବିଆ । ଆଜି ମାମଲାର ଶୁଣାଣି କରି ସ୍ବତନ୍ତ୍ର ସିବିଆଇ କୋର୍ଟ ସୁରଜଙ୍କୁ ଦୋଷମୁକ୍ତ ଦର୍ଶାଇଛନ୍ତି ।

ସୂଚନା ଅନୁସାରେ, ଜୁନ୍ 3, 2013ରେ ଜିଆ ଖାନ୍ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପୋଲିସ ପ୍ରଥମେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରିଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଶ୍ବାସରୁଦ୍ଧ କାରଣରୁ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା । ମାତ୍ର ଏହାର ଗୋଟିଏ ଦିନ ପରେ ଜିଆଙ୍କ ମାଆ ରବିଆ ଖାନ ଝିଅର ମୃତ୍ୟୁ ଆତ୍ମହତ୍ୟା ଜନିତ ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରୁ 6 ପୃଷ୍ଠା ବିଶିଷ୍ଟ ସୁଇସାଇଡ୍ ନୋଟ୍ ଜବତ କରିଥିଲା । ଏହି ନୋଟ୍ ଆଧାରରେ ଜୁନ୍ 10 ରେ ପୋଲିସ୍ ଜିଆଙ୍କ ଏକ୍ସ ବୟଫ୍ରେଣ୍ଡ ସୁରଜ ପଞ୍ଚୋଲିଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ:- Filmfare Awards 2023: ଗଙ୍ଗୁବାଇ କାଠିଆୱାଡି ଓ ବଧାଇ ଦୋକୁ ଆୱାର୍ଡ ବର୍ଷା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ପରେ ଜୁଲାଇ 2, 2013 ରେ ବମ୍ବେ ହାଇକୋର୍ଟ ସୁରଜ ପଞ୍ଚୋଲିଙ୍କୁ ଜାମିନ ପ୍ରଦାନ କରିଥିଲେ । 22 ଦିନ ପରେ ଜେଲରୁ ମୁକୁଳିଥିଲେ ପଞ୍ଚୋଲି । ଏହିଠାରେ ଘଟଣାରେ ପଡିନଥିଲା ପୂର୍ଣ୍ଣଚ୍ଛେଦ । ପରବର୍ତ୍ତୀ ସମୟରେ ମାମଲାରେ ସିବିଆଇ ହସ୍ତକ୍ଷେପ ଲୋଡିଥିଲେ ରବିଆ । ଝିଅ ଜିଆଙ୍କୁ ସୁରଜ ପଞ୍ଚୋଲି ଶାରୀରିକ ନିର୍ଯାତନା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରି ଅକ୍ଟୋବର 2013ରେ ସିବିଆଇର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଜୁଲାଇ 3, 2014ରେ ବମ୍ବେ ହାଇକୋର୍ଟ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ । 2015 ମେ'ରେ ସିବିଆଇ ସୁରଜ ଏବଂ ତାଙ୍କ ପିତା ଆଦିତ୍ୟ ପଞ୍ଚୋଲିଙ୍କୁ ସେମାନଙ୍କ ବାସଭବନରେ ଜେରା କରିଥିଲା ।

ଏହାରି ମଧ୍ୟରେ ପୁନର୍ବାର ମାମଲାରେ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍(ଏସଆଇଟି)ର ହସ୍ତକ୍ଷେପ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ରବିଆ । ମାତ୍ର ଫେବୃଆରୀ 2017ରେ ବମ୍ବେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । 2018ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ମଧ୍ୟ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାର ହସ୍ତକ୍ଷେପ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଥିଲେ । ସେହିପରି 2021ରେ ସେସନ୍ କୋର୍ଟ ଏବଂ 2022ରେ ପୁନର୍ବାର ବମ୍ବେ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଥିଲା । ମାମଲାର ସମ୍ପୂର୍ଣ୍ଣ ଅନୁସନ୍ଧାନର ଦାୟିତ୍ବ ସ୍ବତନ୍ତ୍ର ସିବିଆଇ କୋର୍ଟକୁ ଦିଆଯାଇଥିଲା ।

ଶେଷରେ ଦୀର୍ଘ 10 ବର୍ଷ ପରେ ଆଜି(ଅପ୍ରେଲ 28, 2023)ରେ ମାମଲାର ଶୁଣାଣି ସରିଛି । ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଏ.ଏସ୍ ସୟଦ ମାମଲାର ଶୁଣାଣି କରିଛନ୍ତି । ଜିଆଙ୍କ ଆତ୍ମହତ୍ୟା ମାମଲାରେ ସୁରଜଙ୍କର କୌଣସି ସମ୍ପର୍କ ନଥିବା ଅଦାଲତ ଦର୍ଶାଇଛନ୍ତି । ଶେଷରେ ସୁରଜ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

Last Updated : Apr 28, 2023, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.