ETV Bharat / city

ଶୀତଳଷଷ୍ଠୀ ପ୍ରସ୍ତୁତି, ଶେଷ ପର୍ଯ୍ୟାୟରେ କନ୍ୟା ପିତାମାତାଙ୍କ କିଣାବିକା

author img

By

Published : May 30, 2022, 10:08 PM IST

ଆସନ୍ତା 4 ତାରିଖରେ ହେବ ଶିବ ପାର୍ବତୀଙ୍କ ବିବା ହ। ଶୀତଳଷଷ୍ଠୀର ପରମ୍ପରା ମୁତାବକ ଏହି ବିବାହ ସମ୍ପୂର୍ଣ୍ଣ ମାନବୀୟ ଲୋକଚାରରେ ହେବାର ପରମ୍ପରା ରହିଛି । ଅଧିକ ପଢନ୍ତୁ

ଶେଷ ପର୍ଯ୍ୟାୟରେ କନ୍ୟା ପିତାମାତାଙ୍କ କିଣାବିକା
ଶେଷ ପର୍ଯ୍ୟାୟରେ କନ୍ୟା ପିତାମାତାଙ୍କ କିଣାବିକା

ସମ୍ବଲପୁର: ଆସନ୍ତା 4 ତାରିଖରେ ହେବ ଦେବ ଦମ୍ପତିଙ୍କ ବିବାହ । ଏଥିପାଇଁ ଉତ୍ସବ ମୁଖର ସମ୍ବଲପୁର ସହର। ଶିବ ପାର୍ବତୀଙ୍କ ଏହି ବିବାହ ପାଇଁ କନ୍ୟା ପକ୍ଷ ପୁରାପୁରି ପ୍ରସ୍ତୁତ । ଶୀତଳଷଷ୍ଠୀ ଯାତ୍ରାର ପରମ୍ପରା ମୁତାବକ ଥାଳ ଉଠା ପରେ ପରେ କନ୍ୟା ପିତା ମାତା ଭାବେ ଚୟନ ହୋଇଥିବା ଦମ୍ପତି ବିବାହ ପାଇଁ ବିବାହ ପ୍ରସ୍ତୁତିରେ ଲାଗି ପଡିଥାନ୍ତି। ଭାଗ୍ୟରେ ଥିଲେ ମାତା ପାର୍ବତୀଙ୍କ ପିତା ମାତା ହେବାର ସୌଭାଗ୍ୟ ମିଳିଥାଏ । ତେଣୁ ସମ୍ବଲପୁରର ପ୍ରତ୍ୟେକ ଶୀତଳଷଷ୍ଠୀ ଯାତ୍ରା କମିଟିର କନ୍ୟା ପିତା ମାତା ହୋଇଥିବା ଦମ୍ପତ୍ତି ବିବାହ ପାଇଁ ସବୁ କିଛି କିଣା କିଣି କରି ସାରିଲେଣି।

ଶୀତଳଷଷ୍ଠୀ ପ୍ରସ୍ତୁତି, ଶେଷ ପର୍ଯ୍ୟାୟରେ କନ୍ୟା ପିତାମାତାଙ୍କ କିଣାବିକା

ଆସନ୍ତା 4 ତାରିଖରେ ହେବ ଶିବ ପାର୍ବତୀଙ୍କ ବିବାହ। ଶୀତଳଷଷ୍ଠୀର ପରମ୍ପରା ମୁତାବକ ଏହି ବିବାହ ସମ୍ପୂର୍ଣ୍ଣ ମାନବୀୟ ଲୋକଚାରରେ ହେବାର ପରମ୍ପରା ରହିଛି। ଏହା ସହ ଏହି ବିବାହରେ ପଶ୍ଚିମ ଓଡିଶାର ବିବାହ ପରମ୍ପରା ପ୍ରତିଫଳିତ ହୋଇଥାଏ। ଏଥିପାଇଁ କନ୍ୟା ପକ୍ଷ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସମ୍ବଲପୁରର ସର୍ବ ପୁରାତନ ଶୀତଳଷଷ୍ଠୀ କୁହାଯାଉଥିବା ବାଲିବନ୍ଧା ସୋମନାଥ ବାବା ଶୀତଳଷଷ୍ଠୀ ଯାତ୍ରାର କନ୍ୟା ପିତା ମାତା ହୋଇଥିବା ପଟ୍ଟନାୟକପଡାର ଶ୍ରୀନାଥ ଦାସ ଓ ସଂଗୀତା ଦାସଙ୍କ ଘରେ ଏବେଠୁ ଗହଳି।

ମାତା ପାର୍ବତୀଙ୍କ ବିବାହ ପାଇଁ ପ୍ରସାଧନ ସାମଗ୍ରୀ ଠାରୁ ଆରମ୍ଭ କରି ଲୁଗାପଟା,ସୁନା ଗହଣା,କଂସା ବାସନ ସବୁକିଛି କିଣା ସାରିଲାଣି। ଠିକ ସେହିପରି ଝାଡୁଆପଡା ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରାର କନ୍ୟା ପିତାମାତା ହୋଇଥିବା ପୋଦାର କଲୋନୀର ସୁନୀଲ ବରେଳିଆ ଓ କବିତା ଅଗ୍ରୱାଲଙ୍କ ଘରେ ମଧ୍ୟ ବିବାହ ପାଇଁ ସବୁ କିଛି କିଣା କିଣି ସାରିଯାଇଛି। ଘରକୁ ଅତିଥିମାନେ ଆସି ସାରିଲେଣି। ଆଉ ବର୍ତ୍ତମାନ ମାତା ପାର୍ବତୀଙ୍କ ବିବାହ କିପରି ମହା ଆଡମ୍ବରରେ ହେବ ସେଥିପାଇଁ ସମସ୍ତେ ତତ୍ପର।

ଅନ୍ୟପଟେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ମୁଦିପଡା ଜାଗେଶ୍ବର ବାବା ଶୀତଳଷଷ୍ଠୀ ଯାତ୍ରାର କନ୍ୟା ପିତା ମାତା ହୋଇଛନ୍ତି ସମ୍ବଲପୁର SRIT କଲୋନୀ ର ବିପିନ ବିହାରୀ ପଟେଲ ଓ ତାଙ୍କ ପତ୍ନୀ ବିନତା ନାଏକ। ମାତା ପାର୍ବତୀଙ୍କୁ କନ୍ୟା ରୂପେ ପାଇଥିବା ଏହି ଦମ୍ପତ୍ତି ବେଶ ଖୁସି। ଆଉ ବିବାହ ପାଇଁ ସବୁ ପ୍ରସ୍ତୁତି ଶେଷ କରି ଥିବା କହିଛନ୍ତି।

ଆସନ୍ତା 31 ମେ ରେ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାର 'ପତରପେଣ୍ଡି'( ନିର୍ବନ୍ଧ) ନୀତି ଅନୁଷ୍ଠିତ ହେବ। 1 ଜୁନ ରେ ନନ୍ଦପଡା ଯାତ୍ରା କମିଟିର ନୃସିଂହ ନିଉତା (ଦେବନିମନ୍ତ୍ରଣ)ନୀତି ସମ୍ପନ୍ନ ହେବ। ଏହା ପରେ ଜୁନ 2 ରେ ଅନ୍ୟ ସମସ୍ତ ଯାତ୍ରା କମିଟି ର ‘ପତରପେଣ୍ଡି' ନୀତି ଓ ଜୁନ 3 ରେ ହନୁମାନ ନିଉତା (ଦେବ ନିମନ୍ତ୍ରଣ)ନୀତି ସମ୍ପନ୍ନ ହେବ। ଏହା ପରେ ଜୁନ 4 ତାରିଖ ରାତି ପ୍ରାୟ ସାଢେ 10 ଟାରେ ଭଗବାନ ଶିବଙ୍କ ବରଯାତ୍ରୀ ଶୋଭାଯାତ୍ରା ବାହାରିବ ଓ ରାତ୍ରୀ 4 ଟାରେ ବିବାହ ସମ୍ପନ୍ନ ହେବ। ଏହା ପରେ ଜୁନ 5 ତାରିଖ ରାତି 10 ଟାରେ ବାହାରିବ ଯୁଗଳ ଦର୍ଶନ ଶୋଭାଯାତ୍ରା । ଯାହା ଜୁନ 6 ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସନ୍ଧ୍ୟାରେ ଯୁଗଳ ମୂର୍ତ୍ତିଙ୍କ ମନ୍ଦିର ପ୍ରବେଶ ହେବ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.