ETV Bharat / city

ରାଜ୍ୟର ୮୭ ଜେଲ୍‌ରେ ରହିଛି ୨୧ ଆମ୍ବୁଲାନ୍ସ, ଜେଲ୍ ସଂସ୍କାର ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

author img

By

Published : Jul 29, 2022, 8:10 AM IST

ହାଇକୋର୍ଟରେ ଜେଲ୍ ସଂସ୍କାର ମାମଲା । ରାଜ୍ୟର ସବୁ ଜେଲ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ବାରୋପ କଲେ କୋର୍ଟ । ଅଧିକ ପଢନ୍ତୁ

ରାଜ୍ୟର ୮୭ ଜେଲ୍‌ରେ ରହିଛି ୨୧ ଆମ୍ବୁଲାନ୍ସ, ଜେଲ୍ ସଂସ୍କାର ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ
ରାଜ୍ୟର ୮୭ ଜେଲ୍‌ରେ ରହିଛି ୨୧ ଆମ୍ବୁଲାନ୍ସ, ଜେଲ୍ ସଂସ୍କାର ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

କଟକ: ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଜେଲ ସଂସ୍କାର ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ ଜେଲରୁ ଭିଡ ଏଡାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି । ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ, ରାଜ୍ୟର ଜେଲ ଗୁଡିକର ଭିଡ ଦୂର ପ୍ରସଙ୍ଗରେ କିଛିଟା ଉନ୍ନତି ହୋଇଛି । କିନ୍ତୁ ଏବେ ମଧ୍ୟ ୪ଟି ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ୫୦ ପ୍ରତିଶତରୁ ଅଧିକ ବନ୍ଦୀ ରହିଛନ୍ତି । ଯାଜପୁର ଜେଲ ଅବସ୍ଥା ନ କହିଲେ ଭଲ । ଯାଜପୁର ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ୧୦୫ ପ୍ରତିଶତ ଅଧିକ ବନ୍ଦୀ ରହିଛନ୍ତି । ଜେଲଗୁଡିକରେ ଅଧିକ ବନ୍ଦୀଙ୍କୁ ରଖିବା ଲାଗି କ୍ଷମତା ବୃଦ୍ଧି ପାଇଁ ପ୍ରସ୍ତାବ ରହିଥିବା ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ।

ପୋଲିସ ଗୃହ ନିର୍ମା‌ଣ ବୋର୍ଡ ସହିତ ଜେଲ ଗୁଡିକର କ୍ଷମତା ବୃଦ୍ଧି ପ୍ରସଙ୍ଗରେ ଖୁବଶୀଘ୍ର ଆଲୋଚନା କରାଯିବ ବୋଲି ସରକାର ଅବଗତ କରିଥିଲେ । ଏହି ପ୍ରସଙ୍ଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଜ୍ୟର ୮୭ଟି ଜେଲରେ ମାତ୍ର ୨୧ଟି ଆମ୍ବୁଲାନ୍ସ ରହିଛି । ସବୁ ଜେଲ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଜେଲରେ ବନ୍ଦୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଦେବା ପାଇଁ ଚୁକ୍ତିଭିତ୍ତିକ ଡାକ୍ତର ନିଯୁକ୍ତି ପାଇଁ ପ୍ରସ୍ତାବ ରହିଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ।

ଏଥିସହିତ ଜେଲରେ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ଅନ୍ୟ କର୍ମଚାରୀଙ୍କୁ ଆଉଟ ସୋର୍ସିଂ ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇଁ ଅନୁମତି ଦିଆଯିବ । ଜେଲରେ ବନ୍ଦୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମନସ୍ତତ୍ତ୍ବବିତ୍ ଓ ଡାକ୍ତରଙ୍କୁ ଚୁକ୍ତିଭିତ୍ତିରେ ନିୟୋଜନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଯୁବବନ୍ଦୀଙ୍କୁ ଅନ୍ୟ ବୟସ୍କ ବନ୍ଦୀଙ୍କ ଠାରୁ ପୃଥକ ଭାବେ ରଖିବା ପ୍ରସଙ୍ଗରେ ମେ’ ୨୧ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯କୁ ଧାର୍ଯ୍ୟ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.