ETV Bharat / city

ଦୀପ ତଳ ଅନ୍ଧାର, ରାଜଧାନୀବାସୀଙ୍କୁ ମିଳୁନି ପିଇବା ପାଣି

author img

By

Published : Apr 24, 2021, 8:14 PM IST

ଖରା ଦିନ ଆରମ୍ଭ ହେଉହେଉ ଭୁବନେଶ୍ବରରେ ଦେଖାଦେଇଛି ଜଳର ଉତ୍କଟ ସମସ୍ୟା । କେବଳ ବସ୍ତି ଅଞ୍ଚଳ ନୁହେଁ ବଡବଡ ଅଟ୍ଟାଳିକାରେ ମଧ୍ୟ ଦେଖାଦେଇଛି ଜଳାଭାବ । ଦେଖନ୍ତୁ ଏହି ରିପୋର୍ଟ...

ପାନୀୟ ଜଳ ପାଇଁ ଅସ୍ତବ୍ୟସ୍ତ ରାଜଧାନୀବାସୀ
ପାନୀୟ ଜଳ ପାଇଁ ଅସ୍ତବ୍ୟସ୍ତ ରାଜଧାନୀବାସୀ

ଭୁବନେଶ୍ବର: ଖରା ଦିନ ଆରମ୍ଭ ହୋଇସାରିଲାଣି, ଖରାରୁ ଉପଶମ ମିଳିବା ପାଇଁ ଜଳ ହିଁ ଏକମାତ୍ର ପାନୀୟ ସମ୍ପଦ । ହେଲେ ଖରା ଦିନ ପାଣି ନମିଳିବା ବା ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବା ଏକ ବଡ଼ ବିପଦ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଆସିଛି ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ । ସହରି ଜୀବନରେ ବଡ ବଡ ଅଟାଳିକା ଠାରୁ ଆରମ୍ଭ କରି ବସ୍ତିରେ ମଧ୍ୟ ଦେଖାଦେଇଛି ଜଳ କଷ୍ଟ । ଯାହାକୁ ନେଇ ସାଧାରଣ ଲୋକେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆ ଯାଉଥିବା ସୁବିଧା ସୁଯୋଗ ଉପରେ ଆଙ୍ଗୁଳି ଉଠାଇଛନ୍ତି । ସେପଟେ ପ୍ରଶାସନର ଯୁକ୍ତି ଏହାର ତୁରନ୍ତ ସମାଧାନ ହେବ।

ପାନୀୟ ଜଳ ପାଇଁ ଅସ୍ତବ୍ୟସ୍ତ ରାଜଧାନୀବାସୀ
ଖରାଦିନେ ପାଣି ନମିଳିବା ଏକ ବଡ଼ ଯନ୍ତ୍ରଣାଦାୟ ସ୍ଥିତି ସୃଷ୍ଟି କରିଛି । ସ୍ମାର୍ଟସିଟି ଭୁବନେଶ୍ୱରରେ ୱାଟକୋ ଏବଂ ବିଏମସି ପକ୍ଷରୁ ଘରକୁ ଘର ୨୪ ଘଣ୍ଟା ପାଇପ ଦ୍ୱାରା ପାଣି ଯୋଗାଇ ଦିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ ଡିଣ୍ଡିମ ପିଟା ଯାଉଛି । ହେଲେ ତାର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏପରିକି ଦୀର୍ଘ ବର୍ଷ ହେବ ଟାଙ୍କି ରହିଛି ହେଲେ ଟୋପାଏ ପାଣି ଆସେନି ବୋଲି ଅଭିଯୋଗ ହୋଇଛି ।ଏ ହେଉଛି ସ୍ମାର୍ଟସିଟି ଭୁବନେଶ୍ୱର ପ୍ରେସ କଲୋନୀ, ୱାର୍ଡ ନଂ ୪୧ ଅଧୀନରେ ଥିବା ଜଗନ୍ନାଥ ବସ୍ତି । ଏଠାରେ ପାଖାପାଖି ୫୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଜନସଂଖ୍ୟା କହିଲେ ପ୍ରାୟ ୨୦୦୦ ପାଖାପାଖି । ଏଠାରେ ବହୁଦିନ ହେବ ପାଣି ପାଇଁ ହାହାକାର ପରିସ୍ଥିତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା । ଖରାଦିନ ଚାଲିଛି ହେଲେ ଜଳକଷ୍ଟ ଉତ୍କଟ ରୂପ ଧାରଣ କରିଛି । ୨୪ ଘଣ୍ଟା ପାଣି ସୁବିଧା କଥା କହୁଛନ୍ତି ସରକାର ହେଲେ ୨୪ ମିନିଟ ପାଣି ଆସିବା ସ୍ୱପ୍ନ ପରି ମନେ ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ବସ୍ତି ବାସିନ୍ଦା ।ଖାଲି ବସ୍ତି ବାସିନ୍ଦା ନୁହେଁ, ପ୍ରେସ କଲୋନୀରେ ରହୁଥିବା ସରକାରୀ କର୍ମଚାରୀ ମଧ୍ୟ ଜଳ କଷ୍ଟ ସହି ଆସୁଛନ୍ତି । ଦୀର୍ଘବର୍ଷ ହେବ ପାଣି ପାଇଁ ଉଦ୍ଧିଷ୍ଟ ଟାଙ୍କି ଖାଲି ପଡ଼ିଛି । ନୂଆ ପାଇପ ଲାଗିଛି କିନ୍ତୁ, ପାଣି ଆସୁନି ଏମିତି କି ପାଣି ପାଇପ ଡ୍ରେନ ପାଣି ମଧ୍ୟରେ ଯାଇଥିବାରୁ ଅସୁସ୍ଥକର ପରିବେଶ ମଧ୍ୟରେ ପାଣି ଯୋଗାଇ ଦିଆଯାଉଛି । ତୁରନ୍ତ ଏହା ଉପରେ ବିଏମସି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।ଖରା ଦିନ ଆରମ୍ଭରୁ ଉତ୍କଟ ଜଳ ସମସ୍ୟା ନେଇ ସାଧାରଣରେ ଅଭିଯୋଗ ହୋଇ ଆସୁଛି । ସରକାରୀ ଯୋଜନା ଗୋଟିଏ ପଟେ ଆଉ କାର୍ଯ୍ୟକାରିତା ଆଉ ଗୋଟିଏ ପଟେ । ସ୍ମାର୍ଟସିଟିରେ ଏଭଳି ଜଳ ସମସ୍ୟା ସାଧାରଣ ଲୋକଙ୍କ ଦୁଖଃ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ।

ସେପଟେ ଭୁବନେଶ୍ୱର ସହରରେ ଜଳ ଯୋଗାଣ ଠିକ ରହିଛି। ନୂଆ ପାଇପ ଲାଇନ ଓ ଟ୍ୟାପ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ବସ୍ତିରେ ପାଣି ପହଂଚିବା ନେଇ ବିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ହେଲେ ଯଦି ନିର୍ଦ୍ଧିଷ୍ଟ ଅଭିଯୋଗ ଆସେ ତାହାକୁ ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।

ରାଜଧାନୀରେ ଉତ୍କଟ ଜଳ ସମସ୍ୟାକୁ ତୁରନ୍ତ ସମାଧାନ କରିବାର ଆବଶ୍ୟକତା ରହିଛି ନଚେତ ଆଗକୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଛି, ଯାହା ସାଧାରଣ ଲୋକଙ୍କୁ ଅସହ୍ୟ ଜଳ କଷ୍ଟ ଦେବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.