ETV Bharat / city

ସିଙ୍ଗଲ ୱିଣ୍ଡୋରେ ୧୦ ପ୍ରକଳ୍ପକୁ ମଞ୍ଜୁରୀ: ବିନିଯୋଗ ହେବ 2005 କୋଟି, 3545 ନିଯୁକ୍ତି

author img

By

Published : Aug 30, 2022, 8:47 PM IST

Updated : Aug 30, 2022, 10:57 PM IST

ସିଙ୍ଗଲ ୱିଣ୍ଡୋରେ ୧୦ ପ୍ରକଳ୍ପକୁ ମଞ୍ଜୁରୀ । 112ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବୈଠକରେ 10ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ରାଜ୍ୟରେ 3545 ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟିହେବ । ଅଧିକ ପଢ଼ନ୍ତୁ

state level single window committee in bhubaneswar
ସିଙ୍ଗଲ ୱିଣ୍ଡୋରେ ୧୦ ପ୍ରକଳ୍ପକୁ ମଞ୍ଜୁରୀ: ବିନିଯୋଗ ହେବ 2005 କୋଟି, 3545 ନିଯୁକ୍ତି

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି 112ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବୈଠକ (state level single window committee) । ଏଥିରେ 10ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ରାଜ୍ୟରେ 3545 ପ୍ରତ୍ୟକ୍ଷ ନିଯୁକ୍ତିର ସୁଯୋଗ ରଖିଥିବା 2005.89 କୋଟି ଟଙ୍କା ବିନିଯୋଗ ହେବ । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଟାଲ ଓ ମେଟାଲ ଡାଉନଷ୍ଟ୍ରିମ୍ ଫାର୍ମାସିଟୁକାଲ, ରସାୟନ, ଭିତ୍ତିଭୂମି ଏବଂ ପର୍ଯ୍ୟଟନ ଶିଳ୍ପ ସମ୍ବନ୍ଧୀୟ ପ୍ରକଳ୍ପ ରହିଛି ।

state level single window committee in bhubaneswar
ସିଙ୍ଗଲ ୱିଣ୍ଡୋରେ ୧୦ ପ୍ରକଳ୍ପକୁ ମଞ୍ଜୁରୀ: ବିନିଯୋଗ ହେବ 2005 କୋଟି, 3545 ନିଯୁକ୍ତି

ଖୋର୍ଦ୍ଧା ଜିଲ୍ଲାର ଗୋଠପାଟଣା ଅଞ୍ଚଳରେ ସୁମା ରିୟଲ ମିଡିଆ ଲି ଫାର୍ମାସିଟ୍ୟୁକାଲ ଗବେଷଣା ଓ ବିନିର୍ମାଣ ସମ୍ପର୍କିତ ପ୍ରକଳ୍ପ କରାଯିବ । ପ୍ରାୟ 200 କୋଟି ଟଙ୍କା ବିନିଯୋଗରେ 1280 ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ରହିଛି । ନିର୍ମାଣ ହେବାକୁ ଥିବା 1.6 ବିଲିୟନ ୟୁନିଟ ଏପିଆଇ ବିନିର୍ମାଣ ଓ ଫାର୍ମାସିଟ୍ୟୁକାଲ ରିସର୍ଜ ଏଣ୍ଡ ଡେଭଲପମେଣ୍ଟ ଭାବେ ପରିଚିତ ହେବ । ସେହିପରି ଯାଜପୁର ଜିଲ୍ଲା ଦାନଗଦିରେ 205.44 କୋଟି ଟଙ୍କା ବିନିଯୋଗରେ ସନଭିରା ଇଣ୍ଡଷ୍ଟ୍ରିଜ୍ ଲି ଦ୍ବାରା କାର୍ବନ ଇଲେକଟ୍ରୋଡ ପେଷ୍ଟ ମ୍ୟାନୁଫାକ୍ଚରିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏଥିରେ ପ୍ରାୟ ୨୬୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଜଗତସିଂହପୁର ଜିଲ୍ଲା ପାରାଦୀପରେ ସାଇ ବକ୍ସ ପ୍ରାଲି ଦ୍ବାରା କ୍ୟାମିକାଲ ମାନୁଫାକ୍ଚରିଂ ୟୁନିଟ୍ ମଧ୍ୟ ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପରେ 135.95 କୋଟି ଟଙ୍କା ନିବେଶ କରାଯାଉଥିବାବେଳେ 301 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଯାଜପୁର ଜିଲ୍ଲାର ବଡ଼ଚଣାରେ ୟୁନାଇଟେଡ ଫେରୋକାଷ୍ଟ ପ୍ରା ଲିଂ ହାରା 0.11 ଏମଟିପିଏ ଫେରୋ ଆଲୟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଉକ୍ତ ପ୍ରକଳ୍ପରେ 2611 କୋଟି ଟଙ୍କା ବିନିଯୋଗ କରାଯାଇ 376 ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ । କେନ୍ଦୁଝର ଜିଲ୍ଲା ଝୁମ୍ପୁରାରେ 5 ନିୟୁତ ଟନ କ୍ଷମତା ବିଶିଷ୍ଟ ଲୁହା ପଥର ବେନିଫିକେସନ ପ୍ଳାଣ୍ଟ ଏବଂ 3 ନିୟୁତ ଟନ୍ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏ ସମ୍ପର୍କିତ 775 କୋଟିର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 314 ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାରରେ 88 କୋଟି ଟଙ୍କା ବିନିଯୋଗରେ ଓରିକ୍ଲିନ୍‌ଫ୍ରା ଲିଂ ସସ, ଜାମ, ଜେଲି ଏବଂ ମାରମାଲାଡେସ ପ୍ରସ୍ତୁତ କରାଯିବ ଏବଂ 160 ଲୋକ ନିଯୁକ୍ତି ପାଇପାରିବେ । ସେହିପରି ପ୍ରାୟ 50 କୋଟି 40 ଲକ୍ଷ ଟଙ୍କା ଆୟରେ ଖୋର୍ଦ୍ଧା ଜିଲ୍ଲା ଡେରାସରେ ଡିଏନ ସି ସେଲ ପ୍ରା.ଲି ଦ୍ବାରା ସିରମ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠାକୁ ଅନୁମୋଦନ ମିଳିଛି । ଯାହା ଫଳରେ 409 ଲୋକଙ୍କ ପାଇଁ ଚାକିରି ସୃଷ୍ଟି ହେବ ।

ଏହା ମଧ୍ୟ ପଢ଼ନ୍ତୁ: ନୂଆଁଖାଇରେ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

ରୁନାୟା ଆଲୁମିନିୟମ ପ୍ରା.ଲି ଦ୍ବାରା 5000 ନିୟୁତ ଟନ ଆଲୁମିନିୟମ ପାଉଡର ଓ ପିଗମେଣ୍ଟ ପ୍ଳାଣ୍ଟ ଝାରସୁଗୁଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପରେ 80 କୋଟି ଟଙ୍କା ବିନିଯୋଗ କରାଯାଇ 125 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗଞ୍ଜାମ ଜିଲ୍ଲାରେ ଗୋପାଳପୁରରେ ମେ ଫେୟାର ହୋଟେଲ ଏବଂ ରିସୋର୍ଟ ନିଃକୁ ୮୫ କୋଟି ଟଙ୍କା ବିନିଯୋଗ କରାଯାଇ ସମ୍ପ୍ରସାରଣ କରାଯିବ । ସେଥିରେ 120 ଲୋକଙ୍କୁ ରୋଜଗାର ଦିଆଯାଇପାରିବ । ଆୟୋଜିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର, ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 30, 2022, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.