ETV Bharat / city

Cabinet Decision: କ୍ୟାବିନେଟରେ 32 ପ୍ରସ୍ତାବ ଉପରେ ବାଜିଲା ମୋହର

author img

By

Published : May 19, 2022, 8:56 AM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ 32ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ଅଧିକ ପଢନ୍ତୁ

Cabinet Decision: କ୍ୟାବିନେଟରେ 32 ପ୍ରସ୍ତାବ ଉପରେ ବାଜିଲା ମୋହର
Cabinet Decision: କ୍ୟାବିନେଟରେ 32 ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସମୁଦାୟ 32ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଶ୍ରୀମନ୍ଦିର ସୁରକ୍ଷା ବଳୟର ଉନ୍ନତି ପାଇଁ ରାଜ୍ୟ ସରକାର ମେଘନାଦ ପାଚେରୀ ଚତୁଃପାର୍ଶ୍ଵର 75 ମିଟର ଦୂରତା ମଧ୍ୟରେ ଥିବା ବେସରକାରୀ ଜମି, ବାସଗୃହ, ଦୋକାନ, ମଠ, ଲଜ ଆଦିକୁ ଅଧିଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ପୁନର୍ବାସ ଓ ଥଇଥାନ ପ୍ୟାକେଜ ଅନୁଯାୟୀ ବିସ୍ଥାପିତ ହେଉଥିବା ମଠ ଗୁଡିକର ଥଇଥାନ ନିମନ୍ତେ ଉଦ୍ଦିଷ୍ଟ 1 ଏକର 320 ଡିସିମିଲ ସରକାରୀ ଜମିକୁ ବିନାଦେୟରେ ପ୍ରଦାନ କରିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଉକ୍ତ ସରକାରୀ ଜମିକୁ ବିସ୍ଥାପିତ ହୋଇଥିବା 13ଟି ମଠ ନାମରେ ପଞ୍ଜୀକରଣ କରିବା ପାଇଁ ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫିକୁ ମଧ୍ୟ ଛାଡ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ରାଜ୍ୟ ସରକାର ସମ୍ବଲପୁର ଜିଲ୍ଲାର ସମ୍ବଲପୁର ତହସିଲ ଅନ୍ତର୍ଗତ ବସନ୍ତପୁର ମୌଜାରେ ଦ୍ବିତୀୟ ସୈନିକ ସ୍କୁଲ ପ୍ରତିଷ୍ଠା ନିମନ୍ତେ 100 ଏକର 5 ଡିସିମିଲ ସରକାରୀ ଜମିକୁ ସରକାର ବିନା ମୂଲ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଲିଜ୍ ସୂତ୍ରରେ ଦେବେ । ତେବେ, ପ୍ରିନ୍ସିପାଲ, ସୈନିକ ସ୍କୁଲ, ସମ୍ବଲପୁରଙ୍କୁ ବାର୍ଷିକ ଭୂ-ରାଜସ୍ବ ବାବଦକୁ ଏକର ପିଛା ଏକ ଟଙ୍କା ହିସାବରେ ଓ ସେସ ବାବଦକୁ ଭୂ-ରାଜସ୍ବର ୭୫ % ହିସାବରେ ଦେବାକୁ ପଡିବ ।

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର "OMBADC” ଯୋଜନାରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଉକ୍ତ ପ୍ରକଳ୍ପଗୁଡିକ ଦ୍ବାରା ଉପରୋକ୍ତ ଜିଲ୍ଲାର ୨ ଗୋଟି ବ୍ଲକ ଅଧୀନରେ ଥିବା ୧୯ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୬୪ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧,୧୩,୫୪୦ ଜଣ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ରରୁଆଁ ବ୍ଲକ ଅଧୀନରେ ଥିବା ୯ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୭ ଟି ଗ୍ରାମର ପ୍ରାୟ ୫୦,୯୪୬ ଜଣ ଲୋକ ଓ ଶୁକୃଳି ବ୍ଲକ ଅଧୀନରେ ଥିବା ୧୦ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୭ ଟି ଗ୍ରାମର ପ୍ରାୟ ୬୨,୫୯୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ ।

ବର୍ତ୍ତମାନ ରାଜ୍ୟ କ୍ୟାବିନେଟ ଉପରୋକ୍ତ ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକାଦାର ସଂସ୍ଥା Zuberi Engineering Constructions Pvt. Ltd., Jajpur, Rajasthanଙ୍କ ୧୫୧ କୋଟି ୪୩ ଲକ୍ଷ ୨୮ ହଜାର ୨୪୦ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି । ଉକ୍ତ ପ୍ରକଳ୍ପଗୁଡିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର “JJM” ଯୋଜନାରେ ରାଜ୍ୟର ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଦୁଇଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଉକ୍ତ ପ୍ରକଳ୍ପ ଦ୍ବାରା ସମ୍ବଲପୁର ଜିଲ୍ଲାର ୩ଟି ବ୍ଲକ ଯଥା କୁଚିଣ୍ଡା, ଯମନକିରା ଓ ରେଙ୍ଗାଳୀ ଏବଂ ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଅଧୀନରେ ଥିବା ମୋଟ ୫୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୮୧ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧,୬୮, ୪୧୮ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ ।

ବର୍ତ୍ତମାନ ରାଜ୍ୟ କ୍ୟାବିନେଟ ଉପରୋକ୍ତ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକାଦାର ସଂସ୍ଥା M/s Krishna_Corporation_Pvt._Ltd._in_JV_with_UMSL_Ltd., Ahmedabadଙ୍କ ୩୬୯ କୋଟି ୧୧ ଲକ୍ଷ ୭୯ ହଜାର ୮୫୦ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି । ଉକ୍ତ ପ୍ରକଳ୍ପଗୁଡିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ରାଜ୍ୟ କ୍ୟାବିନେଟ "ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍" ନାମକ ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି । IDCO ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଅଧୀନରେ ଏକ ଲକ୍ଷ ଏକର ଜମି ବିଶିଷ୍ଟ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାଦ୍ବାରା ରାଜ୍ୟରେ ବିଭିନ୍ନ ଧରଣର ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ହୋଇପାରିବ । ଯାହା ରାଜସ୍ବ ଓ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ । ବୃହତ ଶିଳ୍ପ ୟୁନିଟ୍ ପାଇଁ 'ପ୍ଲଟ୍-ଏଣ୍ଡ-ପ୍ଲେ' ସୁବିଧା ସହିତ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର IDCOକୁ ଦାୟିତ୍ବ ଦେଇଛନ୍ତି ।

ଏହି ଯୋଜନା ଶିଳ୍ପ ଅଭିବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ ଅଭିମୁଖୀ ସ୍ଥାନଗୁଡିକରେ ଘରୋଇ ଜମି ହାସଲ କରିବାକୁ IDCOକୁ ସକ୍ଷମ କରିବ । ନୂତନ "ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍" ଅଧୀନରେ ବଜେଟ୍ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ସରକାର 856 କୋଟି ଟଙ୍କା (2021-22 ରୁ 2025-26 ପର୍ଯ୍ୟନ୍ତ) ଆର୍ଥିକ ସହାୟତା ପ୍ରଦାନ କରିବେ । ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ସମ୍ଭାବ୍ୟ ନିବେଶକମାନଙ୍କୁ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବିନିଯୋଗ କରିବାକୁ ଉତ୍ସାହିତ କରିବ । ଶିଳ୍ପ କ୍ଷେତ୍ରରେ ରାଜ୍ୟର ନିରନ୍ତର ବିକାଶ ପାଇଁ IDCO ଉକ୍ତ ଯୋଜନା ଅଧୀନରେ ପ୍ରକଳ୍ପଗୁଡିକୁ ହାତକୁ ନେଇଛି ।

ରାଜ୍ୟର ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟାପକମାନଙ୍କର ଚୟନ, ନିଯୁକ୍ତି ଓ ପଦୋନ୍ନତି ନିମନ୍ତେ ସରକାର ଗତବର୍ଷ ଫେବୃୟାରୀ 18 ତାରିଖରେ ଓଡ଼ିଶା ଶିକ୍ଷା ସେବା (ମହାବିଦ୍ୟାଳୟ ଶାଖା) ମାର୍ଗଦର୍ଶିକା, ୨୦୨୦ ପ୍ରଣୟନ କଲେ । ଉକ୍ତ ମାର୍ଗଦର୍ଶିକା ଅନୁଯାୟୀ କଲେଜ ଶାଖାରେ ନିଯୁକ୍ତିପ୍ରାପ୍ତ ଆସିଷ୍ଟାଣ୍ଟ୍ ପ୍ରଫେସର (ଷ୍ଟେଜ୍-୧)ରୁ ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ୍-୨)ରୁ ଆସିଷ୍ଟାଣ୍ଟ୍ ପ୍ରଫେସର (ଷ୍ଟେଜ୍-୩) ଓ ଆସୋସିଏଟ୍ ପ୍ରଫେସର ପାହ୍ୟାକୁ ପଦୋନ୍ନତି ନିମନ୍ତେ ପୂର୍ବ ପାହ୍ୟାରେ ଯଥାକ୍ରମେ ୮ ବର୍ଷ, ୮ ବର୍ଷ ଓ ୫ ବର୍ଷର ନିୟମିତ ଚାକିରି ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପୃକ୍ତ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ରିଫ୍ରେସର କୋର୍ସ କରିବା ଆବଶ୍ୟକ ।

ଉକ୍ତ ମାର୍ଗଦର୍ଶିକାର ପ୍ରଚଳନ ପୂର୍ବରୁ ଓଡ଼ିଶା ଶିକ୍ଷା ସେବା (ମହାବିଦ୍ୟାଳୟ ଶାଖା) ମାର୍ଗଦର୍ଶିକା, ୧୯୯୦ ପ୍ରଚଳିତ ଥିଲା । ଯେଉଁଥରେ ମହାବିଦ୍ୟାଳୟ ଶାଖାର ଅଧ୍ୟାପକମାନଙ୍କର ଚୟନ, ନିଯୁକ୍ତି ଓ ପଦୋନ୍ନତି ହେଉଥିଲା । ଉକ୍ତ ମାର୍ଗଦର୍ଶିକା ଅନୁଯାୟୀ ମହାବିଦ୍ୟାଳୟ ଶାଖାର ଅଧ୍ୟାପକମାନେ ଅଧ୍ୟାପକ ପାହ୍ୟାରୁ ଅଧ୍ୟାପକ (ସିନିଅର ସ୍କେଲ) ଏବଂ ଅଧ୍ୟାପକ (ସିନିଅର ସ୍କେଲ)ରୁ ରିଡର ପାହ୍ୟା ପର୍ଯ୍ୟନ୍ତ ଯଥାକ୍ରମେ ୮ ବର୍ଷ ଓ ୮ ବର୍ଷ ଅନ୍ତରରେ ପଦୋନ୍ନତି ପାଉଥିଲେ । ଏଥିପାଇଁ ସେମାନଙ୍କୁ ଉକ୍ତ ମାର୍ଗଦର୍ଶିକା ଅନୁଯାୟୀ ଆବଶ୍ୟକ ମୁତାବକ ରିଫ୍ରେସର୍ କୋର୍ସ କରିବାକୁ ପଡୁଥିଲା ।

୨୦୨୦ ମାର୍ଗଦର୍ଶିକା ଅନୁଯାୟୀ ଜଣେ ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ–୧)ଙ୍କର ତୃତୀୟ ବୃତ୍ତିଗତ ପଦୋନ୍ନତି (ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ୍-୩)ରୁ ଆସୋସିଏଟ୍ ପ୍ରଫେସର ପାହ୍ୟା)କୁ ବ୍ୟବସ୍ଥା ଥିବାବେଳେ ଏହାର ପୂର୍ବ ପ୍ରଚଳିତ ୧୯୯୦ର ମାର୍ଗଦର୍ଶିକାରେ ଏହି ତୃତୀୟ ପଦୋନ୍ନତି ବ୍ୟବସ୍ଥା ନଥିଲା । ତେଣୁ ଜଣେ ଅଧ୍ୟାପକ ରିଡର ପାହ୍ୟାରେ ସ୍ଥାଣୁ ହୋଇଯାଉଥିଲେ । ଏହି ସ୍ଥାଣୁତାକୁ ଦୂର କରିବା ପାଇଁ ସରକାର ORSP (CT) Rule, 2001, ORSP (CT) Rule, 2010ରେ ରିଡର ପାହ୍ୟାରେ ୫ ବର୍ଷ କାର୍ଯ୍ୟ ସମ୍ପାଦନ କରିବା ପରେ ସଂପୃକ୍ତ ଶିକ୍ଷକଙ୍କୁ ତାଙ୍କର ବର୍ଦ୍ଧିତ ଗ୍ରେଡ୍‌ ପେ ପ୍ରଦାନ ନିମିତ୍ତ ବ୍ୟବସ୍ଥା କରିଥିଲେ ।

ଏହି ବ୍ୟବସ୍ଥା 2016 ଜାନୁୟାରୀ ପହିଲାରୁ ଲାଗୁ ହୋଇଥିବା ORSP (CT) Rule, 2019ରେ ନଥିଲା । ଏହି ସମସ୍ୟାକୁ ଦୂର କରିବା ପାଇଁ 2016 ଜାନୁଆରୀ 1 ତାରିଖରୁ ଗତବର୍ଷ ଫେବୃୟାରୀ 17 ତାରିଖ ମଧ୍ୟରେ ୫ ବର୍ଷ ସମ୍ପୂର୍ଣ୍ଣ କରୁଥିବା ରିଡର ପାହ୍ୟାର ଅଧ୍ୟାପକଙ୍କୁ ORSP (CT) Rule, 2019ର ସଂଶୋଧନ କରି ସଂପୃକ୍ତ ଅଧ୍ୟାପକମାନଙ୍କୁ ପୂର୍ବ ଭଳି ପ୍ରଦାନ କରାଯାଉଥିବା ଉଚ୍ଚ ଗ୍ରେଡ୍ ପେ ଅନୁଯାୟୀ ନିର୍ବାଚିତ Level-13A ଅନ୍ତର୍ଗତ ସେଲ୍‌ରେ ବେତନ ଦେବା ପାଇଁ ବ୍ୟବସ୍ଥା କରିଯାଇଛି । ଏଥିସହ ସେମାନଙ୍କୁ ଆସୋସିଏଟ୍ ପ୍ରଫେସର ପାହ୍ୟା ପ୍ରଦାନ ପାଇଁ ଏହି ସଂଶୋଧନ ପ୍ରସ୍ତାବ ଆଗତ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.