ETV Bharat / city

ଦୁର୍ବଳ ହୋଇ ଫେରିଲା ବାତ୍ୟା 'ଗୁଲାବ', ଦକ୍ଷିଣ ଓଡ଼ିଶା ପ୍ରଭାବିତ

author img

By

Published : Sep 27, 2021, 6:15 PM IST

Updated : Sep 27, 2021, 6:27 PM IST

ଫେରିଗଲା ସାମୁଦ୍ରିକ ଝଡ଼ ବାତ୍ୟା 'ଗୁଲାବ୍' । ରାଜ୍ୟରେ ଏହି ବାତ୍ୟା ବିଶେଷ ପ୍ରଭାବ ପକାଇ ପାରିନାହିଁ । ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ତେବେ ଦକ୍ଷିଣ ଓଡ଼ିଶାରେ ଗୁଲାବର ପ୍ରଭାବ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ଦୁର୍ବଳ ହୋଇ ଫେରିଲା 'ଗୁଲାବ', ଦକ୍ଷିଣ ଓଡ଼ିଶା ବାତ୍ୟାରେ ପ୍ରାଭାବିତ
ଦୁର୍ବଳ ହୋଇ ଫେରିଲା 'ଗୁଲାବ', ଦକ୍ଷିଣ ଓଡ଼ିଶା ବାତ୍ୟାରେ ପ୍ରାଭାବିତ

ଭୁବନେଶ୍ବର: ଫେରିଗଲା ସାମୁଦ୍ରିକ ଝଡ଼ ବାତ୍ୟା 'ଗୁଲାବ୍' । ରାଜ୍ୟରେ ଏହି ବାତ୍ୟା ବିଶେଷ ପ୍ରଭାବ ପକାଇ ପାରିନାହିଁ । ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ତେବେ ଦକ୍ଷିଣ ଓଡ଼ିଶାରେ ଗୁଲାବର ପ୍ରଭାବ ଦେଖିବାକୁ ମିଳିଛି । କେଉଁସ୍ଥାନରେ ପାହାଡ଼ ଧସି ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ କେଉଁଠି ଲୋକଙ୍କ ଘର ଭାଙ୍ଗିଛି ବାତ୍ୟା ଗୁଲାବ । ବିଶେଷ କରି ମାଲକାନଗିରି ଓ କୋରାପୁଟରେ ଗୁଲାବର ପ୍ରଭାବ ପଡ଼ିଛି ।

ଦୁର୍ବଳ ହୋଇ ଫେରିଲା 'ଗୁଲାବ', ଦକ୍ଷିଣ ଓଡ଼ିଶା ବାତ୍ୟାରେ ପ୍ରାଭାବିତ

ମାଲକାନଗିରି ଜିଲ୍ଲାରେ ବାତ୍ୟାର ପ୍ରଭାବରେ ଗତକାଲି ରାତିରୁ ହିଁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ସୋମବାର ମଧ୍ୟ ପ୍ରବଳ ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ବର୍ଷାର ପରିମାଣ ଧିରେଧିରେ ବଢ଼ିବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଅନେକ ଘର ଭାଙ୍ଗିଛି । ମାଲକାନଗିରି ସଦର ବ୍ଲକରେ ବର୍ତ୍ତମାନ ସୁଦ୍ଧା ୭୫ଟି ଘର ଭାଙ୍ଗିଥିବା ବେଳେ ୬୦ଟି ଗଛ ଉପୁଡ଼଼ି ପଡ଼ିଛି । ମାଲକାନଗିରି ମ୍ୟୁନିସିପାଲିଟିର ଟେକଭାଟି ସାହି, ବୁଟିଗୁଡା ଓ ପୁରୁଣା ମେଡିକାଲ କଲୋନୀରେ ଗଛ ପଡ଼ି ୭ଟି ଘର ଭାଙ୍ଗିଥିବା ବେଳେ ରାସ୍ତା ମଧ୍ୟ ଅବରୋଧ ହୋଇଛି । ପ୍ରବଳ ବର୍ଷାରେ ମୋଟୁକୁ ସଂଯୋଗ କରୁଥିବା କାଙ୍ଗୁରକୋଣ୍ଡା ଓ ଏମଭି ୭୯ ପୋଲ ଉପରେ ଦୁଇଫୁଟର ପାଣି ପ୍ରବାହିତ ହେଉଛି ।

ମାଲକାନଗିରି ଜିଲ୍ଲାରେ ୬୩ଟି ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୧୦ ହଜାର ଲୋକଙ୍କୁ ସ୍ଥାନନ୍ତର କରାଯାଇଛି ସେମାନଙ୍କ ମଧ୍ୟରେ ୧୨୪ ଜଣ ଗର୍ଭବତୀ ରହିଛନ୍ତି । କ୍ଷୟକ୍ଷତି ହୋଇଥିବା ସ୍ଥାନଗୁଡ଼ିକରେ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ NDRF ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କୁ ତୁରନ୍ତ ପଲିଥିନ ଓ ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ବଣ୍ଡାଘାଟି ଓ ଗୋବିନ୍ଦପାଲି ଘାଟିରେ ଭୁସ୍ଖଳନ ହେବାର ଆଶଙ୍କା ରହିଥିବାରି ଏହି ରାସ୍ତାରେ BSF ଯବାନଙ୍କୁ ମୁତୟନ କରାଯାଇଛି । ତେବେ ବୁଟିଗୁଡା ଓ ଆଶୀର୍ବାଦ କୋଲୋନିର କ୍ଷତିଗ୍ରସ୍ତଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ରିଲିଫ ସାମଗ୍ରୀ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମାଲକାନଗିରିର ୭ଟି ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନଙ୍କୁ ଆଲର୍ଟ କରିଛନ୍ତି ଜିଲ୍ଲାପାଳ।

କୋରାପୁଟ ଜିଲ୍ଲାରେ ମଧ୍ୟ ସାମୁଦ୍ରିକ ଝଡ଼ ଗୁଲାବର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ଲାଗି ରହିଛି । ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ୧୪୮ ମିମି ବର୍ଷା ରେକର୍ଡ କରାଯାଇଛି । ଫଳରେ ସୋମବାର ସକାଳୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା ସୁଙ୍କି ଓ ରାଲ୍ଲେଗାଡ଼ା ନିକଟରେ ଦୁଇଟି ପାହାଡ଼ ଧସି ଯାଇଛି । ଫଳରେ ଏହି ପାର୍ଶ୍ବରେ ଥିବା ଜାତୀୟ ରାଜପଥ ଅବରୋଧ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଶାଖାପାଟଣା ଓ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଯାତ୍ରୀଙ୍କୁ ଆର୍‌କୁ ଓ ନାରାୟଣପାଟଣା ବାଟଦେଇ ଯିବା ପାଇଁ ଅନୁରୋଧ କରାଯାଇଛି । ସୁଙ୍କି ରାଲେଗୁଡ଼ା ରାସ୍ତାର ଅନ୍ୟସ୍ଥାନରେ ମାଟି ଅତଡ଼ା ଖସିବାର ସମ୍ଭାବନା ଥିବାରୁ ଏହି ମାର୍ଗ ଦେଇ ଯାତାୟତ ନକରିବାକୁ ଅପିଲ୍‌ କରିଛନ୍ତି ଜିଲ୍ଲାପାଳ । ବାତ୍ୟା ଗୁଲାବ ପ୍ରଭାବରେ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ।

ତେବେ ନବରଙ୍ଗପୁର ଜିଲ୍ଲାରେ ବାତ୍ୟା ଗୁଲାବର ବିଶେଷ ପ୍ରଭାବ ପଡ଼ିନାହିଁ । ଜିଲ୍ଲାରେ ସାମାନ୍ୟରୁ ଅଧିକ ବର୍ଷା ହୋଇଛି । କୌଣସି ଅଘଟଣ କିମ୍ବା କ୍ଷୟକ୍ଷତି ହୋଇନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ୧୦ ବ୍ଳକ ରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି । ତେବେ ପାପଡାହାଣ୍ଡି ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଓ ଇନ୍ଦ୍ରାବତୀ ନଦୀର ତଳିଆ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ବି ସାମୁଦ୍ରିକ ଝଡ଼ ଗୁଲାବର ଆଂଶିକ ପ୍ରଭାବ ପଡ଼ିଛି । ମା' କାଳିଜାଈ ମନ୍ଦିର ବେଢ଼ାରେ ପାଣି ପଶିଥିବା ଦେଖାଯାଇଛି । ପୂର୍ବରୁ କେବେ ମଧ୍ୟ ମନ୍ଦିର ବେଢ଼ାରେ ପାଣି ପଶିନଥିଲା । ବାତ୍ୟା ଗୁଲାବ ଯୋଗୁଁ ଚିଲିକା ହ୍ରଦର ପାଣି ମଧ୍ୟ ଫୁଲିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Sep 27, 2021, 6:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.