ETV Bharat / city

‘ପରିଚୟ’ କିନ୍ନରଙ୍କୁ ମିଳିଲା ସ୍ୱାବଲମ୍ବୀ ପରିଚୟପତ୍ର

author img

By

Published : Mar 3, 2021, 7:16 PM IST

Updated : Mar 3, 2021, 7:28 PM IST

ରାଜଧାନୀରେ ଟିକସ ଆଦାୟ କରିବା ପାଇଁ କିନ୍ନରଙ୍କୁ ଦାୟିତ୍ୱ ଦେଲା ବିଏମସି । ‘ପରିଚୟ’ ଏସଏଚଜି ଗ୍ରୁପର କିନ୍ନରଙ୍କୁ ଆନୁଷ୍ଠାନିକ ଭାବେ ଆଜି ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ....

ରାଜଧାନୀର ପରିଚୟ ଏସଏଚଜି ଗ୍ରୁପର କିନ୍ନରଙ୍କୁ ମିଳିଲା ସ୍ୱାବଲମ୍ବୀର ପରିଚୟପତ୍ର
ରାଜଧାନୀର ପରିଚୟ ଏସଏଚଜି ଗ୍ରୁପର କିନ୍ନରଙ୍କୁ ମିଳିଲା ସ୍ୱାବଲମ୍ବୀର ପରିଚୟପତ୍ର

ଭୁବନେଶ୍ୱର: ଏଣିକି ରାଜଧାନୀରେ ଟିକସ ଆଦାୟ କରିବେ କିନ୍ନର । ପରିଚୟ ଏସଏଚଜି ଗ୍ରୁପର କିନ୍ନର ଏବେ ହୋଲ୍ଡିଂ ଟିକସ ଓ ପାର୍କିଂ ଫି ଆଦାୟ କରିବେ । ଆଜି(ବୁଧବାର) ପରିଚୟ କିନ୍ନର ଗ୍ରୁପଙ୍କୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଟିକସ ଆଦାୟ ପ୍ରକ୍ରିୟା ଶୁଭାରମ୍ଭ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

‘ପରିଚୟ’ କିନ୍ନରଙ୍କୁ ମିଳିଲା ସ୍ୱାବଲମ୍ବୀ ପରିଚୟପତ୍ର

କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସ୍ୱାବଲମ୍ବୀ ହେବାକୁ ବିଏମସି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି । ଟିଜି ଗ୍ରୁପଙ୍କୁ ପୂର୍ବରୁ ହୋଲ୍ଡିଂ ଟିକସ ଆଦାୟ କ୍ଷେତ୍ରରେ ନିୟୋଜିତ କରିବା ସହ ସେମାନଙ୍କୁ ପାର୍କିଂ ଫି ଆଦାୟ କ୍ଷେତ୍ରରେ ମଧ୍ୟ ନିୟୋଜିତ କରିଛି ବିଏମସି । ପୂର୍ବରୁ ଟିଜି ସ୍ୱୀକୃତି ଗ୍ରୁପକୁ ପାର୍କିଂ ସ୍ଲଟ ଦିଆଯାଇଥିବା ବେଳେ ଆଜି ପରିଚୟ କିନ୍ନର ଗ୍ରୁପକୁ ପାର୍କିଂ ସ୍ଲଟ ପ୍ରଦାନ କରାଯାଇଛି ।


ତେବେ ଏହି କିନ୍ନରମାନେ ବିଏମସିରେ ବକେୟା ଥିବା ହୋଲ୍ଡିଂ ଟିକସ ଓ ପାର୍କିଂ ଫି ଆଦାୟ କରିବେ । ସମାଜରେ ରୋଜଗାରକ୍ଷମ ହେବା ସହ ପରିବାର ପ୍ରତିପୋଷଣ କରିପାରିବେ ଏହି କିନ୍ନର । ଏହି ଅଭିନବ ପ୍ରୟାସ ଆରମ୍ଭ କରିଛି ବିଏମସି । ସମାଜର ବିଭିନ୍ନ ବର୍ଗର ମହିଳା ଏହାକୁ ସ୍ୱାଗତ କରିଛନ୍ତି । ପାର୍କିଂ ଫି ଆଦାୟ କରି ନିଜେ ରୋଜଗାର କରି ପେଟ ପୋଷିପାରିବୁ । କୋରୋନା ଭଳି କଠିନ ସମୟରେ ବିଏମସି ଆମକୁ ନିୟୋଜିତ କରିଛି । ଖାଲି ମୁଁ ନୁହେଁ ମୋ ଭଳି ବହୁତ କିନ୍ନର ଏଠି କାର୍ଯ୍ୟକରି ଗୁଜୁରାଣ ମେଣ୍ଟାଇପାରିବେ ବୋଲି କହିଛନ୍ତି ପଲାସପଲ୍ଲୀର କିନ୍ନର ପୂଜା ବେହେରା ।


ପରିଚୟ କିନ୍ନର ଗ୍ରୁପ ସର୍ବଦା ସମାଜ ପାଇଁ କାର୍ଯ୍ୟ କରିଛି । ରାଜରାସ୍ତାରେ ଆଉ ଲଢେଇ କରିବେନି କିନ୍ନର, ସମାଜରେ ସମ୍ମାନ ସହ ରୋଜଗାର କରି ବଞ୍ଚିବେ । ଭୁବନେଶ୍ୱର ମହାନଗର ନିଗମ ସାରା ଦେଶରେ ଏକ ଇତିହାସ ସୃଷ୍ଟି କରିଛି । କିନ୍ନରଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ମାସକୁ ୧୦,୦୦୦ ଟଙ୍କା ପାରିଶ୍ରମିକ ଦିଆଯିବା ନେଇ ସୂଚନା ଦେଇଛନ୍ତି ପରିଚୟ କିନ୍ନର ଗ୍ରୁପର ମୁଖ୍ୟ ମୀରା ପରିଡା ।


ସେହିପରି ବିଏମସିର ଏଭଳି ପଦକ୍ଷେପକୁ ସାଧୁବାଦ ଦେଇଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା । କିନ୍ନରଙ୍କୁ ସମ୍ମାନ ସହକାରେ ରୋଜଗାର ଦେଲା ବିଏମସି ଯାହା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ କହିଛନ୍ତି ।
ସେପଟେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହାକୁ ଏକ ପ୍ରୟାସ ବୋଲି କହିଛନ୍ତି । ସମାଜରେ କିନ୍ନରଙ୍କୁ ରୋଜଗାରକ୍ଷମ କରିବା ପାଇଁ ସେମାନଙ୍କୁ ପାର୍କିଂ ଟିକସ, ହୋଲ୍ଡିଂ ଟିକସ ଆଦାୟ କରିବା ପାଇଁ ନିୟୋଜିତ କରାଯାଇଛି । ଆଜି ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ସେ କହିଛନ୍ତି ।




ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 3, 2021, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.