ETV Bharat / city

ପ୍ଲାଷ୍ଟିକ ନିଷିଦ୍ଧ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

author img

By

Published : Aug 27, 2022, 10:17 AM IST

ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ି ଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ଆଜି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

single use plastic ban strictly enforced across the state
ପ୍ଲାଷ୍ଟିକ ନିଷିଦ୍ଧ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କର- ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ି ଭାବେ ସାରା ରାଜ୍ୟରେ ଲାଗୁ କରିବା ନେଇ ବୈଠକ ଅନୁଷ୍ଠିତ । ଲୋକସେବା ଭବନରୁ ଭିସି ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ନିୟମ ଏବଂ ତାହାର ଅନୁପାଳନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଜି ଜିଲ୍ଲାପାଳ, ଡି.ଏଫ.ଓ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ନିଷିଦ୍ଧ ପ୍ଲାଷ୍ଟିକ ଉତ୍ପାଦନ ୟୁନିଟ ଓ ବିକ୍ରି କରୁଥିବା ଦୋକାନୀମାନଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଓ ବନଖଣ୍ଡରେ ହାଟ, ବଜାର, ପର୍ଯ୍ୟଟନସ୍ଥଳୀ, ସାଧାରଣ ସମାଗମ ସ୍ଥାନ ଆଦିରେ ପ୍ଲାଷ୍ଟିକ ବ୍ୟବହାର ବାରଣର ଅନୁପାଳନ ବିଷୟରେ ପ୍ରତି ମାସରେ ରିପୋର୍ଟ ଦେବାପାଇଁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକକ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ, ପଲିଥିନ ବ୍ୟାଗ, କ୍ୟାରି ବ୍ୟାଗ, ପ୍ଲାଷ୍ଟିକ ଗ୍ଲାସ ଆଦି ବ୍ୟବହାର ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି ।

ଏଥିସହ ବିଦ୍ୟାଳୟମାନଙ୍କରେ ଗଠନ ହୋଇଥିବା ଇକୋ-କ୍ଲବ, ସାମ୍ବାଦିକ, ବରିଷ୍ଠ ନାଗରିକ, ସମ୍ମାନିତ ବ୍ୟକ୍ତି ବିଶେଷ, ନିର୍ବାଚିତ ପ୍ରତିନିଧି, ବାର ଆସୋସିଏସନ, ରୋଟାରୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କୁ ଅଭିଯାନରେ ସକ୍ରିୟ ଭାବେ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସ୍ବତନ୍ତ୍ର ସ୍କ୍ବାର୍ଡ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିଷିଦ୍ଧ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାରକାରୀ ଦୋକାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି । ତେବେ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ବିଷୟ ବୈଠକରେ ସବିଶେଷ ଭାବେ ଆଲୋଚନା ହୋଇଛି । ଏଥିପାଇଁ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳ ମାନଙ୍କ ମଧ୍ୟରେ ସମନ୍ବୟକୁ ଅଧିକ ଦୃଢ଼ିଭୂତ ଓ ସୁଗମ କରାଯିବ ।

ପ୍ଲାଷ୍ଟିକର ପୁନଃ ବ୍ୟବହାର ଉପରେ ଗୁରୁତ୍ବାରୋପ କରି ମୁଖ୍ୟ ଶାସନ ସଚିବ ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନା ଆଦିରେ ଏହାର ବ୍ୟବହାର ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ, ପୂର୍ତ୍ତ, ଗ୍ରାମ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କ ସହ ବୈଠକ କରି ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ ନିୟମିତ ଯୋଗାଣ ଓ ବ୍ୟବହାର ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୧୧,୬୯୩ ଟି ଗ୍ରାମରେ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ତିଆରି ହୋଇଛି । ୩୦୯୭ ଗ୍ରାମ ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା କଠିନ ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କରାଯାଉଛି । ୧୩୦୬ ଗ୍ରାମରେ ଘରକୁ ଘର ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି । ୧୩,୮୩୪ ଟି ବର୍ଜ୍ୟ ପୃଥକୀକରଣ ସ୍ଥାନ ତିଆରି କରାଯିବା ସହ ପ୍ରାୟ ୧୩,୪୫୫ ତିନି ଚକିଆ ଗାଡ଼ିକୁ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି । ୨୦୨୧-୨୨ ବର୍ଷରେ ପ୍ରାୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୬ ଟନରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ୍ ବର୍ଜ୍ୟ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇ ନିକଟତମ ସହରାଞ୍ଚଳ ବର୍ଜ୍ୟ ପରିଚାଳନା କେନ୍ଦ୍ରରେ ପହଞ୍ଚା ଯାଇଛି । ଏହା ବ୍ୟତୀତ ପ୍ରାୟ ୧୯୦୦ ବର୍ଜ୍ୟ ଏକତ୍ରୀକରଣ ସଂସ୍ଥା ଇତି ମଧ୍ୟରେ ୨୩୦୧ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରିଥିବାର ଜଣାଇଛନ୍ତି ।

ପର୍ଯ୍ୟାୟକ୍ରମେ ସମସ୍ତ ପଞ୍ଚାୟତ ଓ ଗ୍ରାମକୁ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନା କାର୍ଯ୍ୟକ୍ରମ ସହ ସଂଯୋଜିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବର୍ଜ୍ୟ ପୃଥକୀକରଣ ଏବଂ ପୁନଃ ବ୍ୟବହାର କେନ୍ଦ୍ର ଏବଂ ପ୍ଲାଷ୍ଟିକ୍ ରୂପାନ୍ତରଣ ୟୁନିଟ୍ ଗୁଡ଼ିକର ଦକ୍ଷତା ବଢ଼ାଇବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଆଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍, ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦର ସଦସ୍ୟ ସଚିବ ଡାକ୍ତର କେ. ମୁରୁଗେଶାନଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.