ETV Bharat / city

ମିଶନ ଇନ୍ଦ୍ରଧନୁଷ ଯୋଜନା: ପୁରସ୍କୃତ ହେବେ ଗଞ୍ଜାମ ଓ ଖୋର୍ଦ୍ଧା

author img

By

Published : Oct 21, 2019, 11:48 PM IST

ମିଶନ ଇନ୍ଦ୍ରଧନୁଷ ଯୋଜନାରେ 90 ପ୍ରତିଶତରୁ ଅଧିକ ଟୀକାକରଣ କରିଥିବାରୁ ଜାତୀୟସ୍ତରରେ ପୁରସ୍କୃତ ହେବେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା । ପଲ୍ସ ପୋଲିଓ କାର୍ଯ୍ୟକ୍ରମର ରୌପ୍ୟ ଜୟନ୍ତୀ ଅବସରରେ ଆସନ୍ତା 31 ତାରିଖ ଦିନ ନୂଆଦିଲ୍ଲୀରେ ଦୁଇ ଜିଲ୍ଲାର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିବେ ।

ଡିଜାଇନ ଫଟୋ

ଭୁବନେଶ୍ବର: ମିଶନ ଇନ୍ଦ୍ରଧନୁଷ ଯୋଜନାରେ 90 ପ୍ରତିଶତରୁ ଅଧିକ ଟୀକାକରଣ କରିଥିବାରୁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ଜାତୀୟସ୍ତରରେ ପୁରସ୍କୃତ ହେବେ । ପଲ୍ସ ପୋଲିଓ କାର୍ଯ୍ୟକ୍ରମର ରୌପ୍ୟ ଜୟନ୍ତୀ ଅବସରରେ ଆସନ୍ତା 31 ତାରିଖ ଦିନ ନୂଆଦିଲ୍ଲୀରେ ଦୁଇ ଜିଲ୍ଲାର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିବେ । ଏନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ମନୋଜ ଝଲାନି ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

mission indradhanus
ମିଶନ ଇନ୍ଦ୍ରଧନୁଷ ଯୋଜନା

ଲେଖିଥିବା ପତ୍ରରେ ଝଲାନି ଦର୍ଶାଇଛନ୍ତି ଯେ, 2011 ମସିହାରୁ ଭାରତ ପୋଲିଓ ମୁକ୍ତ ହୋଇଛି । 1994 ମସିହାରୁ ପୋଲିଓ ବିରୁଦ୍ଧରେ ଦିଲ୍ଲୀରୁ ଆରମ୍ଭ ହୋଇଥିବା ଯୋଜନାକୁ ସମଗ୍ର ଦେଶରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିଲେ । ପଲ୍ସ ପୋଲିଓ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ 25ବର୍ଷ ପୂରିଛି । ସାର୍ବଜନୀନ ଟୀକାକରଣ ଯୋଜନାରେ ପିଲାମାନଙ୍କୁ ଟୀକାଦାନ ସହିତ ବିଭିନ୍ନ ରୋଗରୁ ଦୂରେଇ ରଖିବା ପାଇଁ ପଦକ୍ଷେପ ନିଆଯାଉଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା 31 ତାରିଖରେ ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ପଲ୍ସ ପୋଲିଓର ରୌପ୍ୟ ଜୟନ୍ତୀ ପାଳନ କରାଯିବ । ଯେଉଁଠାରେ 90 ପ୍ରତିଶତରୁ ଅଧିକ ଟୀକାକରଣ ହୋଇଥିବା ଜିଲ୍ଲା ଗୁଡିକ ପୁରସ୍କୃତ ହେବେ । ତଦନୁଯାୟୀ 90 ପ୍ରତିଶତରୁ ଅଧିକ ଟୀକାକରଣ କରିଥିବା ଓଡିଶାର ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସେଠାରେ ପୁରସ୍କାର ପାଇବେ ।

2017-18 ବର୍ଷରେ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମରେ ଏହି ଦୁଇ ଜିଲ୍ଲାରେ ସଫଳତାର ସହ ଟୀକାକରଣ କରାଯାଇଥିଲା । ପୁରସ୍କାର ଗ୍ରହଣ ଲାଗି ଜିଲ୍ଲାପାଳ କିମ୍ବା ସିଡିଏମ୍‍ଓ ଯିବେ ତାହା ଆଗୁଆ ଭାବେ ଅବଗତ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.