ETV Bharat / city

Newspaper Hawkers ପାଇଁ ବଡ ଘେଷଣା: ଦୁର୍ଘଟଣାଜନିତ ମୃତ୍ୟୁରେ ୨ ଲକ୍ଷ ସହାୟତା

author img

By

Published : Nov 30, 2021, 7:38 PM IST

ହକର୍‌ଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାଜନିତ ମୃତ୍ୟୁରେ ୨ ଲକ୍ଷ ସହାୟତା ସହିତ ଅନ୍ୟାନ୍ୟ ସହାୟତା ମିଳିବା ନେଇ ବ୍ୟବସ୍ଥା । ଅଧିକ ପଢନ୍ତୁ

ହକର୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘେଷଣା: ଦୁର୍ଘଟଣାଜନିତ ମୃତ୍ୟୁରେ ୨ ଲକ୍ଷ ସହାୟତା
ହକର୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘେଷଣା: ଦୁର୍ଘଟଣାଜନିତ ମୃତ୍ୟୁରେ ୨ ଲକ୍ଷ ସହାୟତା

ଭୁବନେଶ୍ବର: ସୂଚନା ଓ ସମ୍ବାଦପତ୍ର ବିତରଣରେ ହକରମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା,ବର୍ଷା,ଶୀତ ସବୁ ସମୟରେ ସାଧାରଣ ନାଗରିକଙ୍କୁ ଖବର ବା ସୂଚନା ସହ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଏମାନେ । ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକରଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି (Odisha CM announces social security benefits for newspaper hawkers) ।

ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକରଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ । ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା (accidental death assistance of 2 lakh) ଓ ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ (1 lakh in case of natural death) ଟଙ୍କା ସହାୟତା ଯୋଗାଇ ଦିଆଯିବ । ସେହିପରି ଦୁର୍ଘଟଣା ଯୋଗୁ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକରଙ୍କୁ ଦେଢ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ଉଭୟ ଅଙ୍ଗ ହରାଇଥିବା (Loss of both limbs) ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା (Loss of one limb) ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ସହାୟତା ଦିଆଯିବ ।

କୋଭିଡ ଯୋଗୁଁ ସେମାନେ ସମ୍ମୁଖୀନ ହୋଇଥିବା ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପଞ୍ଜୀକୃତ ଖବରକାଗଜ ହକରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର ସହାୟତା ଦେବା ପାଇଁ ନିଷ୍ପତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ । କାମ କରିବା ପାଇଁ ବହୁତ ସମୟରେ ହକରମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ ସବ୍‌ଡିଭିଜନ ଓ ଜିଲ୍ଲାସ୍ତରରେ ଉପଯୁକ୍ତ ୱାର୍କସେଡ୍‌ ନିର୍ମାଣ କରି ଯୋଗାଇଦେବାକୁ ନିଷ୍ପତ୍ତି କରାଯାଇଛି । ଏହାସହିତ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ହକର୍‌ ମାନଙ୍କର ଏକ ଡିଜିଟାଲ ଡାଟା ବେସ୍‌ ପରିଚାଳନା କରାଯାଇ ସମସ୍ତ ହକର୍‌ ମାନଙ୍କୁ ଜିଲ୍ଲା ସ୍ତରରେ ଯାଂଚ କରାଯାଇ ପରିଚୟ ପତ୍ର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.