ETV Bharat / city

ଦୈନିକ ୧୫ ଲକ୍ଷ ଶ୍ରମ-ନିଯୁକ୍ତି ସୃ​‌ଷ୍ଟି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

author img

By

Published : Aug 10, 2020, 9:59 PM IST

ଚଳିତ ଆର୍ଥିକ ବର୍ଷରେ ୫ ଅଗଷ୍ଟ ସୁଦ୍ଧା ୧ ଲକ୍ଷ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଚଳିତ ବର୍ଷ ଶେଷସୁଦ୍ଧା ୭ ଲକ୍ଷ ଗୃହ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡ଼ିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦୈନିକ ୧୫ ଲକ୍ଷ ଶ୍ରମ-ନିଯୁକ୍ତି ସୃ​‌ଷ୍ଟି
ଦୈନିକ ୧୫ ଲକ୍ଷ ଶ୍ରମ-ନିଯୁକ୍ତି ସୃ​‌ଷ୍ଟି

ଭୁବନେଶ୍ବର: ବିଶ୍ୱ ମହାମାରୀ କୋଭିଡ଼ ନିମନ୍ତେ ଲାଗୁ କରାଯାଇଥିବା ସଟଡ଼ାଉନ୍ ଓ ଲକଡ଼ାଉନ୍ ସମ୍ବନ୍ଧିତ ଅସୁବିଧା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଗ୍ରାମୀଣ ଆବାସ ଓ ଶ୍ରମ ନିଯୁକ୍ତି ଯୋଜନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡ଼ିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।

ଜିଲ୍ଲାଓ୍ୱାରୀ ସମୀକ୍ଷାରୁ ଜଣାପଡିଥିଲା ଯେ ଚଳିତ ଆର୍ଥିକ ବର୍ଷରେ ୫ ଅଗଷ୍ଟ ସୁଦ୍ଧା ୧ ଲକ୍ଷ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଗତ ବର୍ଷ ଏହି ସମୟ ମଧ୍ୟରେ ୪୪,୦୦୦ ଗୃହ ସଂପୂର୍ଣ୍ଣ ହୋଇଥିଲା । ଚଳିତ ବର୍ଷ ଶେଷସୁଦ୍ଧା ୭ ଲକ୍ଷ ଗୃହ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ପ୍ରତି ଜିଲ୍ଲାକୁ ଟାର୍ଗେଟ୍ ଦିଆଯାଇଥିଲା ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ଶେଷ ସହ ନିର୍ମାଣର ଗୁଣାତ୍ମକମାନ ନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବ ବ୍ଲକ୍ ସ୍ତରୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଗ୍ରାମ ସଭା ମାଧ୍ୟମରେ ତିଆରି ହୋଇଥିବା ପକ୍କାଘର ପାଇଁ 'ୱେଟିଂ ଲିଷ୍ଟ' ରେ ପ୍ରାୟ ୫୭,୦୦୦ ଭୂମିହୀନ ପରିବାର ଅଛନ୍ତି ବୋଲି ସମୀକ୍ଷାରୁ ଜଣାପଡିଥିଲା । ଏମାନଙ୍କୁ ତୁରନ୍ତ ଘରବାଡି ଯୋଗାଇଦେଇ ପକ୍କାଘର ମଞ୍ଜୁର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ପ୍ରଚଳିତ ରାଜସ୍ୱ ବିଭାଗ ନିୟମ ଅନୁସାରେ ଜମି ଯୋଗାଯାଇ ପାରୁନଥିବା ପରିବାରମାନଙ୍କ ବିବରଣୀ ସରକାରଙ୍କ ନିକଟକୁ ତୁରନ୍ତ ପଠାଇବା ପାଇଁ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଯେପରିକି ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ।

ବର୍ଷା ଋତୁରେ ଅଧିକ ଶ୍ରମ-ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଚଳିତ ବର୍ଷ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ଦୈନିକ ୮.୫ ଲକ୍ଷ ଶ୍ରମ-ଦିବସ ସୃଷ୍ଟି କରାଯାଇ ପାରୁଛି । ଏହାକୁ ମାସ ଶେଷ ସୁଦ୍ଧା ୧୫ ଲକ୍ଷ ଶ୍ରମ-ଦିବସକୁ ବଢ଼ାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସେଥିରୁ ୫ ଲକ୍ଷ ଶ୍ରମ-ଦିବସ ବିଭିନ୍ନ ବିଭାଗ ଏବଂ ୧୦ ଲକ୍ଷ ଶ୍ରମ-ଦିବସ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ମାଧ୍ୟମରେ ସୃଷ୍ଟି କରାଯିବ ।

ବର୍ଷା ଋତୁରେ ଗୋ-ଖାଦ୍ୟ ପାଇଁ ଘାସ ଚାଷ, ଟ୍ରେଞ୍ଚ୍ ନିର୍ମାଣ, ଆଡ଼ି ବନ୍ଧ ନିର୍ମାଣ, ପୃଷ୍ଟି ବଗିଚା ସୃଷ୍ଟି, ବୃକ୍ଷ ରୋପଣ, ପାନ ବରଜ ନିର୍ମାଣ, ଉଦ୍ୟାନ ଚାଷ, ମୁର୍ତ୍ତିକା ସଂରକ୍ଷଣ ଆଦି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରତି ଗ୍ରାମ ପାଇଁ ଅନୁନ୍ୟ ୫ ରୁ ୬ ଟି ଶ୍ରମ ନିଯୁକ୍ତି ଭିତ୍ତିକ ପ୍ରକଳ୍ପ ମଞ୍ଜୁର କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.