ETV Bharat / city

କେନ୍ଦ୍ର ପାଣ୍ଠି ହଡପ କରୁଛନ୍ତି ରାଜ୍ୟ ସରକାର: ଲେଖାଶ୍ରୀ

author img

By

Published : Dec 16, 2020, 1:18 PM IST

କେନ୍ଦ୍ରର ପାଣ୍ଠିକୁ ରାଜ୍ୟ ସରକାର ହଡପ କରୁଥିବା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ...

ଲେଖାଶ୍ରୀ ସାମନ୍ତସିଂହାର
ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ବର:ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । କେନ୍ଦ୍ର ସରକାରଙ୍କ ଯୋଜନା ପାଣ୍ଠିକୁ ହଡପ କରୁଥିବାର ଅଭିଯୋଗ ଆଣି ଦଳ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଉପରେ ବର୍ଷିଛି । ଏନେଇ ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ।

ଲେଖାଶ୍ରୀ ସାମନ୍ତସିଂହାର

ସେ କହିଛନ୍ତି,‘ଦୁଇଦିନ ତଳେ ରାଜ୍ୟ ସରକାର ଏକ ଘୋଷଣା କଲେ ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ହେବ । କିନ୍ତୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ କୌଣସି ବଜେଟ ମଧ୍ୟ ନାହିଁ । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାକୁ କିଭଳି ହଡପ କରିବେ ସେନେଇ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।’

ସେହିପରି ପୂର୍ବରୁ ମଧ୍ୟ 5ଟି ମେଡିକାଲ କଲେଜକୁ କେନ୍ଦ୍ର ସରକାରଙ୍କ ଅନୁଦାନ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଯୋଜନା ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ । 60-40 କେନ୍ଦ୍ର ଓ ରାଜ୍ୟ ଭାଗ ଅନୁସାରେ କାମ ହେଉଛି । କିନ୍ତୁ ରାଜ୍ୟ ସରକାର 40 ପ୍ରତିଶତ ଅନୁଦାନ ଦେଇପାରୁନାହାନ୍ତି ବୋଲି ଅନେକ ପ୍ରକଳ୍ପ ବିଳମ୍ବ ହେଉଥିବା ସେ କହିଛନ୍ତି ।

ଏହାସହ କେନ୍ଦ୍ର ସରକାର ସିଂହ ଭାଗ ଦେଉଛନ୍ତି ହେଲେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ହଡପ କରି ରାଜ୍ୟ ସରକାର ନିଜ ନାଁ ନେବା ପାଇଁ ସମସ୍ତ ଯୋଜନା କରୁଛନ୍ତି ବୋଲି ସେ ଦର୍ଶାଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟକୁ ଦେଇଥିବା ଟଙ୍କାର ହିସାବ ଦେଇଛନ୍ତି ଲେଖାଶ୍ରୀ ।

ସେ କହିଛନ୍ତି,‘ 2018 ମସିହାରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ କେନ୍ଦ୍ର ସରକାର 3262 କୋଟି ଟଙ୍କା ଦେଇଛନ୍ତି । ଯେଉଁଥିରେ 2018-19ରେ 743କୋଟି 57 ଲକ୍ଷ ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର । 2019-20ରେ 1438 କୋଟି 3 ଲକ୍ଷ ସହିତ 37 କୋଟି 11 ଲକ୍ଷ କୋଭିଡ୍‌ ଫଣ୍ଡ ବି ଦେଇଛନ୍ତି କେନ୍ଦ୍ର ସରକାର ।’ ସେହିପରି 2020-21ରେ 1080.69 କୋଟି ସହ 84 କୋଟି କୋଭିଡ୍‌ ପାଇଁ କେନ୍ଦ୍ର ସରକାର ଦେଇଥିବା ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ହେବାକୁ ଥିବା 5ଟି ମେଡିକାଲ ପାଇଁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ 189 କୋଟି ଟଙ୍କାରୁ 113 କୋଟି ଦେଇଥିବା କହିବା ସହ ରାଜ୍ୟ ସରକାର କେତେ ଟଙ୍କା ଦେଇଛ ବୋଲି ପ୍ରଶ୍ନ କରିଛନ୍ତି ସେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.