ETV Bharat / city

ସଂରକ୍ଷଣ ବୃଦ୍ଧି ଦାବି ଦୋହରାଇଲା BJD, ମିଛୁଆ ରାଧୁଆ ସରକାର କହିଲା BJP

author img

By

Published : Aug 24, 2021, 5:09 PM IST

ପଛୁଆବର୍ଗଙ୍କ ସଂରକ୍ଷଣ ସୀମା ପ୍ରସଙ୍ଗରେ ଗର୍ଜିଲା ବିଜେଡି । ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ବଦ୍ଧପରିକର । ପଛୁଆ ବର୍ଗଙ୍କ ଯୋଜନା ପ୍ରସ୍ତୁତ ପୂର୍ବରୁ ତାଙ୍କ ସଂଖ୍ୟା ଜାଣିବା ନିହାତି ଦରକାର ବୋଲି ବିଜେଡି ଦାବି କରିଛି । ସେପଟେ ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କଲା ବିଜେପି ।

ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ବଦ୍ଧପରିକର; ଲଢେଇରେ ସାମିଲ ହେବାକୁ ବିଜେଡିର ଆହ୍ୱାନ
ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ବଦ୍ଧପରିକର; ଲଢେଇରେ ସାମିଲ ହେବାକୁ ବିଜେଡିର ଆହ୍ୱାନ

ଭୁବନେଶ୍ବର: ରାଜ୍ୟ ପଛୁଆବର୍ଗ ସୀମା ସଂରକ୍ଷଣ ବୃଦ୍ଧି ପ୍ରସଙ୍ଗରେ ତେଜୁଛି ରାଜନୀତି । ଜାତିଭିତ୍ତିକ ଜନଗଣନା ଓ 50 ପ୍ରତିଶତ ସୀମା ସଂରକ୍ଷଣ ହଟାଇବାକୁ ସମ୍ବାଦିକ ସମ୍ମିଳନୀ ଜରିଆରେ ଜୋରଦାର ଦାବି କରିଛି ବିଜେଡି । ପଛୁଆବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ ପୂର୍ବରୁ ତାଙ୍କ ସଂଖ୍ୟା ଜାଣିବା ନିହାତି ଦରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିଭିତ୍ତିକ ଜଣଗଣନା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ହେଲେ କେନ୍ଦ୍ର ଏହାକୁ ପ୍ରତ୍ୟାଖାନ କରିଥିଲା । ଓଡିଶା ସରକାର ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ବଦ୍ଧପରିକର ।

ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟର ନେତା ଓ ରାଜନୈତିକ ଦଳ ମଧ୍ୟ ଅନୁସରଣ କରୁଛନ୍ତି । ହେଲେ ସଂଘୀୟ ଢାଞ୍ଚା ଓ ଆଇନଗତ କଟକଣା ଏଥିରେ ବାଧକ ହୋଇଛି । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓବିସି ସୀମା ସଂରକ୍ଷଣ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଅରୁଣ ସାହୁ । ରାଜ୍ୟରେ ଏହି ଲଢେଇରେ ସାମିଲ ପାଇଁ ବିଜେପି ତଥା ଅନ୍ୟ ରାଜନୈତିକ ଦଳକୁ ଆହ୍ୱାନ କରିଛି ବିଜେଡି । ଦାବି ହାସଲ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ଦଳ ଆଜି ଘୋଷଣା କରିଛି ।

ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ବଦ୍ଧପରିକର; ଲଢେଇରେ ସାମିଲ ହେବାକୁ ବିଜେଡିର ଆହ୍ୱାନ

ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି । ପଛୁଆ ବର୍ଗଙ୍କ ବିକାଶ ନାଁରେ ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ସାଧରଣ ସମ୍ପାଦକ ଗୋଲକ ମହାପାତ୍ର । ବିଜେଡ଼ି ଚାହେଁନି ଓବିସି ବର୍ଗଙ୍କ ବିକାଶ ହେଉ । ଓବିସିଙ୍କୁ ଚାକିରୀ ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦେବା ନେଇ କେନ୍ଦ୍ର ସରକାରଙ୍କର ବ୍ୟବସ୍ଥା ରହିଛି । ହେଲେ ତାହା ରାଜ୍ୟ ସରକାର ଆଜି ଯାଏ ଦେଇନାହାନ୍ତି । ଏହାର କାହିଁକି ଏହି ସଂରକ୍ଷଣ ଦିଆଯାଇ ନାହିଁ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ରାଜ୍ୟ ସରକାର ଦେଉନାହାନ୍ତି । ଏପରିକି ସରକାର ଓବିସି ଫାଇନାନ୍ସ କମିଶନ ମାଧ୍ୟମରେ ମଧ୍ୟ ପଛୁଆ ବର୍ଗଙ୍କୁ କୌଣସି ସହାୟତା ଦେଉନାହାନ୍ତି । ତେଣୁ ଓଡିଶା ସରକାର କେବଳ ମିଛୁଆ ରାଧୁଆ ସରକାର ବୋଲି ଗୋଲକ କହିଛନ୍ତି ।

ଏପଟେ ବିଜେଡି ନେତା କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର ମନା କରିବା ପରେ ରାଜ୍ୟ ସରକାର ୨୦୨୦ ମସିହା ଜାନୁଆରୀ ୧୧ ତାରିଖରେ କ୍ୟାବିନେଟ ବୈଠକ ଡକାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜାତିଭିତ୍ତିକ ଜନଗଣନା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହାର କିଛି ଦିନ ପରେ ରାଜ୍ୟ ସରକାର ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ଓବିସି କମିଶନ ଗଠନ କରିଥିଲେ । ଏହାର ୫ ଦିନ ପରେ ଫେବୃୟାରୀ ୧୭ ତାରିଖରେ କ୍ୟାବିନେଟ୍ ବୈଠକରେ ପଛୁଆବର୍ଗ କମିଶନ (ସଂଶୋଧନ) ବିଧେୟକ ଗୃହିତ କରାଯାଇଥିଲା । ସେହିଦିନ ହିଁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଜେ ପ୍ରସ୍ତାବ ଆଗତ କରିଥିଲେ । ଇତି ମଧ୍ୟରେ କମିଶନ କାର୍ଯ୍ୟକ୍ଷମ ହୋଇସାରିଛି । ଓଡିଶାରେ ଅନ୍ୟ ପଛୁଆ ବର୍ଗ (ଓବିସି) ସାମାଜିକ ଆର୍ଥିକ ପଛୁଆବର୍ଗ (ଏସ୍‍ଇବିସି) ସଂଖ୍ୟା ରାଜ୍ୟରେ ମୋଟ ଜନସଂଖ୍ୟା ଅଧାରୁ ଅଧିକ । ସେମାନଙ୍କ ସଂଖ୍ୟାର ଅଧା ସଂରକ୍ଷଣ ବି ସେମାନଙ୍କୁ ଦିଆଯାଇପାରି ନାହିଁ । ଏହାର କାରଣ ହେଉଛି- ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରା ରଖାଯାଇଥିବା ୫୦% ସୀମା । ଓଡିଶାକୁ ଅନ୍ୟ କୌଣସି ରାଜ୍ୟ ସହିତ ତୁଳନା କରାଯାଇପାରିବ ନାହିଁ । ତେଣୁ ଭାରତବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ପଛୁଆବର୍ଗ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗ ସେତେବେଳେ ସାଧିତ ହୋଇପାରିବ ଯେତେବେଳେ ୫୦% ଆଇନଗତ ସଂରକ୍ଷଣ କଟକଣା ଉଠିଯିବ । ତେଣୁ ଜାତିଭିତିକ ଜନଗଣନା ଓ ୫୦% ସଂରକ୍ଷଣ ସୀମା ଉଠାଯିବା ସମୟର ଏକ ଆହ୍ୱାନ ହୋଇଛି ।


ନିକଟରେ ଏହି ଦାବି ନେଇ ବିଜେଡି ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହାଙ୍କୁ ଭେଟିଛନ୍ତି । ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇ ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ଏହି ଦାବିକୁ ଭାରତବର୍ଷର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜନୈତିକ ଦଳ ବି ସମର୍ଥନ ଜଣାଇଛନ୍ତି । ଇତିମଧ୍ୟରେ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରି ଜାତିଭିତିକ ଜନଗଣନା ଏବଂ ୫୦% ସଂରକ୍ଷଣ କଟକଣା ଉଠାଇବା ସପକ୍ଷରେ ବିଜେପିର ସହଯୋଗୀ ଦଳମାନେ ମଧ୍ୟ ମତ ପ୍ରକାଶ କଲେଣି । ଏମାନଙ୍କ ମଧ୍ୟରେ ଜେଡି(ୟୁ)ର ନୀତିଶ କୁମାରଙ୍କ ନେତୃତ୍ୱରେ ଅପ୍‌ନା ଦଳର ଅନୁପ୍ରିୟା ପଟେଲ, ହାମ୍‌ର ଜୀତନରାମ ମାଝୀ, ଭିଆଇପି ଦଳର ମୁକେଶ ଶୈନୀ, ନିଷାଦ ପାଟିର ସଞ୍ଜୟ ନିଷାଦ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଓମ୍ ପ୍ରକାଶ ରାଜଭର, ଆରପିଆଇ(ଏ)ର ରାମଦାସ ଅଠାୱାଲେ, ଏଲ୍‍ଜେପିର ପଶୁପତି ପାରସ ଆଦି ରହିଛନ୍ତି ।


ବିହାରର ବିଭିନ୍ନ ରାଜନୈତିକ ଦଳର ୧୦ ଜଣିଆ ପ୍ରତିନିଧି ଦଳ ନିତିଶ କୁମାରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖି ସାରିଛନ୍ତି । ଏହି ପ୍ରତିନିଧି ଦଳରେ ବିହାର ବିଜେପି ନେତା ମଧ୍ୟ ସାମିଲ ଅଛନ୍ତି । ଜନଗଣନା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ବ୍ୟାପାର ଏବଂ ୫୦% ସରଂକ୍ଷଣ ସୀମା କଟକଣା ଉଠାଇବା ମଧ୍ୟ କେନ୍ଦ୍ରୀୟ କ୍ଷମତା ପରିସରଭୁକ୍ତ । ପଛୁଆବର୍ଗର ସାମାଜିକ, ଆର୍ଥିକ ବିକାଶ ଓ ସେମାନଙ୍କୁ ଦୀର୍ଘମିଆଦୀ ସୁବିଧା ଦେବା ପାଇଁ ରାଜ୍ୟ ସରକାର ତତ୍ପର ।

ଓଡିଶାକୁ ଦେଖି ଅନ୍ୟ ରାଜ୍ୟମାନେ ଏହି ଦାବି ଉଠାଇ ସାରିଛନ୍ତି । ହେଲେ ଓଡିଶା ବିଜେପି ନେତୃତ୍ୱ ଓ ଜନପ୍ରତିନିଧିମାନେ ଭୟଙ୍କର ନୀରବତା ଅବଲମ୍ବନ କରୁଛନ୍ତି । ଏହି ନିରବତା ସେମାନଙ୍କୁ ଓବିସି/ଏସ୍‍ଇବିସି ବର୍ଗ ବିରୋଧି ବୋଲି ଦର୍ଶାଉଛି । ରାଜ୍ୟର ବିଜେପି ନେତା ଓ ଅନ୍ୟ ରାଜନୈତିକ ଦଳ ଏହି ଦାବି ଉଠାନ୍ତୁ । ଏହି ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପଲ୍ଲୀ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ଏବଂ ଅରୁଣ ସାହୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.