ETV Bharat / city

ସଫଳ ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ୪ଶହ ହସ୍ପିଟାଲରେ ମିଳୁଛି ଚିକିତ୍ସା

author img

By

Published : Apr 29, 2022, 10:58 PM IST

ରାଜ୍ୟ ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରତିଶୃତି ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାଜ୍ୟ ସ୍ବାସ୍ଥ୍ୟ ସୋସାଇଟି ପରିଚାଳନା ପରିଷଦ ବୈଠକରୁ ଏହା ଜଣାପଡିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ସମୀକ୍ଷା ବୈଠକ । ଅଧିକ ପଢନ୍ତୁ

ସଫଳ ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ୪ ଶହ ହସ୍ପିଟାଲରେ ମିଳୁଛି  ଚିକିତ୍ସା
ସଫଳ ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ୪ ଶହ ହସ୍ପିଟାଲରେ ମିଳୁଛି ଚିକିତ୍ସା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରତିଶୃତି ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାଜ୍ୟ ସ୍ବାସ୍ଥ୍ୟ ସୋସାଇଟି ପରିଚାଳନା ପରିଷଦ ବୈଠକରୁ ଏହା ଜଣାପଡିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ସମୀକ୍ଷା ବୈଠକ ।

ଲୋକସେବା ଭବନରୁ ଭିସିରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି । କାର୍ଯ୍ୟାନ୍ଵୟନ ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବିଭାଗର ସଫଳତାରେ ମୁଖ୍ୟ ଶାସନ ସଚିବ ସନ୍ତୋଷବ୍ୟକ୍ତ କରିଛନ୍ତି । ବ୍ୟବସ୍ଥାକୁ ରୋଗୀମାନଙ୍କ ନିମନ୍ତେ ଅଧିକ ସହଜଲବ୍ଧ, ତୃଟିଶୂନ୍ୟ ଓ ଭରଷାଯୋଗ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି ଯୋଜନା ଯୋଗୁଁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ଖର୍ଚ୍ଚବହୁଳ ଘରୋଇ ହସ୍ପିଟାଲରେ ବହୁ ଦୁଃସାଧ୍ୟ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଯୋଜନାଟି ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ରୋଗୀମାନଙ୍କ ପାଇଁ ଘରୋଇ ହସ୍ପିଟାଲମାନେ ସ୍ବତନ୍ତ୍ର ହେଲ୍ପଡେକ୍ସ ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଭିତର ଏବଂ ବାହାର ଘରୋଇ ହସ୍ପିଟାଲ୍ ମାନଙ୍କରୁ ଲୋକଙ୍କ ଚିକିତ୍ସା ବାବଦରେ ଆସୁଥିବା ବିଲର ପୈଠ ପ୍ରକ୍ରିୟା ତ୍ଵରାନ୍ଵିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଲ୍‌ ପୈଠ ପ୍ରକ୍ରିୟା ସୁଗମ ଓ ବାଧାମୁକ୍ତ ହେଲେ ଲୋକମାନେ ସହଜରେ ଚିକିତ୍ସା ପାଇପାରିବେ । ରାଜ୍ୟ ବାହାରେ ଓଡ଼ିଆ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଓ ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାଳିନୀ ପଣ୍ଡିତ । ସେ କହିଛନ୍ତି ଯେ, ରାଜ୍ୟର ସମୁଦାୟ ୯୬.୫ ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ ପାଇଁ ଚିହ୍ନଟ କରାଯାଇଛି । ଏବେ ସୁଦ୍ଧା ସେମାନଙ୍କ ମଧ୍ୟରୁ ପ୍ରାୟ ୯୮ ପ୍ରତିଶତ ପରିବାରଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ ସରିଛି ।

ଅବଶିଷ୍ଟ ପରିବାରଙ୍କୁ ଅଭିଯାନ ଭିଭିରେ କାର୍ଡ ବଣ୍ଟନ କରାଯାଉଛି । କାର୍ଡ ପାଇ ନଥିବା ଯୋଗ୍ୟ ବିବେଚିତ ପରିବାରର ସଦସ୍ୟମାନେ ମଧ୍ୟ ନିଜର ଖାଦ୍ୟ ସୁରକ୍ଷା କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୨୮ ଟି ଏବଂ ୧୫ ଟି ବାହାର ରାଜ୍ୟରୁ ୬୫ ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ୍‌କୁ ଯୋଜନାରେ ତାଲିକାଭୁକ୍ତ କରାଯାଇଛି । ପ୍ରମୁଖ ହସ୍ପିଟାଲ ହେଉଛନ୍ତି ଟାଟା ମେମୋରିଆଲ ହସ୍ପିଟାଲ, ମୁମ୍ବାଇ ଓ କୋଲକତା ସିଏମସି ଭେଲୋର, ନାରାୟଣ ହୃଦୟାଳୟ ହସ୍ପିଟାଲ ଗ୍ରୁପ, ଶଙ୍କରା - କ୍ୟାନ୍‌ସର ହସ୍ପିଟାଲ ଗ୍ରୁପ୍, ଆପୋଲୋ ବିଶାଖାପାଟଣା, କେଆର ବିଶାଖାପାଟଣା, ସେଭେନ୍‌ ହିଲ୍ ବିଶାଖାପାଟଣା; ମହାତ୍ମାଗାନ୍ଧି କ୍ୟାନସର ପ୍ରତିଷ୍ଠାନବିଶାଖାପାଟଣା ଏବଂ ପୋର୍ଟିସ୍ ହେଲଥ କେୟାର ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ଥିବା ହସ୍ପିଟାଲ ।

ସେହିପରି ରାଜ୍ୟ ଭିତରେ ଥିବା ସମ, ଆପୋଲୋ, ହାଇଟେକ, ସଦଗୁରୁ, ସାଇ ଶାନ୍ତି, ଜୟପ୍ରକାଶ ହସ୍ପିଟାଲ୍, ପଣ୍ଡା କ୍ୟାନ୍‌ସର ସେଣ୍ଟର, ଭୌମିକା ହସ୍ପିଟାଲ, ସର୍ବେଶ୍ବର ମେମୋରିଆଲ୍ ହସ୍ପିଟାଲ୍ ଆଦି ୩୨୮ ଟି ଘରୋଇ ହସପିଟାଲରେ ଲୋକମାନେ ଚିକିତ୍ସା ପାଇପାରୁଛନ୍ତି । ଏହାଛଡା ସମସ୍ତ ସରକାରୀ ହସ୍ପିଟାଲରେ ମଧ୍ୟ ମାଗଣାରେ ଚିକିତ୍ସା ଓ ଔଷଧ ଦିଆଯାଉଛି । ପ୍ରାୟ ୧୫୯୨ ଟି ଗ୍ରୁପ୍ ଅନ୍ତର୍ଗତ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ମାସିକ ହାରାହାରି ୪୦ ହଜାର ରୋଗୀ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ୍‌ମାନଙ୍କରେ ଦେୟ - ମୁକ୍ତ ଚିକିତ୍ସା ପାଉଛନ୍ତି । ସେମାନଙ୍କ ଚିକିତ୍ସା ବାବଦକୁ ସରକାର ମାସିକ ହାରାହାରି ୯୦ କୋଟି ଟଙ୍କା ଏହି ହସ୍ପିଟାଲମାନଙ୍କୁ ପୈଠ କରୁଛନ୍ତି ।

୨୦୨୧-୨୨ ଆର୍ଥିକ ବର୍ଷରେ ସମୁଦାୟ ୧, ୯୭,୩୫୫ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୩୮୪ କୋଟି ଟଙ୍କା ଦେୟ ପୈଠ କରିଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଶାସନ ସଚିବ ଭାଷ୍କର ଜ୍ୟୋତି ଶର୍ମା, ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତଙ୍କ ସମେତ ପରିଚାଳନା ପରିଷଦର ବରିଷ୍ଠ ସଦସ୍ୟ ଓ ସଂପୃକ୍ତ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.