ETV Bharat / city

ପ୍ରସ୍ତୁତ ପଥ, 2 ବର୍ଷ ପରେ ଆଜି ଗଡ଼ିବ ରୁକୁଣା ରଥ

author img

By

Published : Apr 8, 2022, 7:27 PM IST

Updated : Apr 9, 2022, 8:46 AM IST

ଆଜି ରୁକୁଣା ରଥଯାତ୍ରା । ଦୁଇବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବାକୁ ଯାଉଛି ମହାମିଳନ । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଏକାମ୍ର କ୍ଷେତ୍ର । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ, ପ୍ରସ୍ତୁତ ରଥ ଓ ପଥ
ଆସନ୍ତାକାଲି ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ, ପ୍ରସ୍ତୁତ ରଥ ଓ ପଥ

ଭୁବନେଶ୍ବର: ଦୀର୍ଘ ୨ ବର୍ଷ ପରେ ଭକ୍ତ ଭଗବାନଙ୍କର ପୁଣି ଭେଟ ହେବ । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ପ୍ରଭୁ ଲିଙ୍ଗରାଜ । ଆଜି(ଶନିବାର) ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ବିନା କୌଣସି ବାଧକରେ ପଥରେ ରଥ ଦଉଡି ଟାଣି ଆଶିଷ ପାଇବେ ଶ୍ରଦ୍ଧାଳୁ । ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଆସନ୍ତାକାଲି ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ, ପ୍ରସ୍ତୁତ ରଥ ଓ ପଥ

ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଦଶପଲ୍ଲାରୁ କାଠ ଆସିବା ପରେ ୬୫ ଜଣ ମହାରଣା ସେବାୟତ ରଥ ନିର୍ମାଣରେ ନିୟୋଜିତ ହୋଇଥିଲେ । ସେପଟେ ଆଜି ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ ।

ରୁକୁଣା ରଥଯାତ୍ରାକୁ ନେଇ କଣ କହେ କିମ୍ବଦନ୍ତୀ ?

ରୁକୁଣା ରଥଯାତ୍ରାକୁ ନେଇ କିଛି ପୌରାଣିକ କିମ୍ବଦନ୍ତୀ ରହିଛି । ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ । ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା । ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ନିକଟକୁ ଯାଇଥିଲେ । ତାଙ୍କ କଥା ଅନୁସାରେ ଶ୍ରୀରାମଚନ୍ଦ୍ର ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ବରରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜା କଲେ ।

ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ବର ଦେବାକୁ ଉଭା ହୋଇଥିଲେ । ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ରଥରେ ବସି ହରିହର (ଲିଙ୍ଗରାଜ) ରାମେଶ୍ବର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । ସେହିଦିନ ଠାରୁ ତାଙ୍କୁ ଦର୍ଶନ ଦେବାପାଇଁ ଲିଙ୍ଗରାଜ ମହାପ୍ରଭୁ ରାମେଶ୍ବର ମନ୍ଦିରକୁ ୫ ଦିନ ପାଇଁ ରଥଯାତ୍ରାରେ ଆସୁଥିବା କିମ୍ବଦନ୍ତୀ ରହିଛି ।

ଏହାଛଡ଼ା ମା ଭୁବନେଶ୍ବରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବା ପାଇଁ ଯାତ୍ରା କରୁଥିବା ଲୋକକଥା ମଧ୍ୟ ରହିଛି । 50 ଫୁଟ ଉଚ୍ଚ ଓ 4 ଚକ, 2 ଓରା, 16 ନାହାକା, 5ଦଣ୍ଡା ବିଶିଷ୍ଟ ଲିଙ୍ଗରାଜଙ୍କ ରଥର ନାମ ରୁକ୍ମଣୀ ବା ରୁକୁଣା ରଥ । ଏହି ରଥଟିର ବିଶେଷତ୍ବ ହେଉଛି ରଥଟି ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ବର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟେ ଦ୍ବାର ଖୋଲାଯାଇ ଘୋଡ଼ା ଜଚାଯିବା ପରେ ଏହା ପଛକୁ ପଛ ଫେରିଥାଏ । ମହାପ୍ରଭୁଙ୍କ ରଥ ଭଳି ଏହି ରଥ ଦକ୍ଷିଣ ମୋଡ଼ ବୁଲି ନଥାଏ ।

ଶନିବାର 3ଟା 30ରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଭୋର 6ଟା 30ରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । 6ଟା 30ରେ ଅବକାଶ ଓ ମଙ୍ଗଳଆଳତୀ ନୀତି ପରେ 8ଟା 30ରେ ରୋଷ ଓ ହୋମ କାର୍ଯ୍ୟ ହେବ । ସେହିପରି 6ଟା 30ରୁ 9 ଟା 30ଯାଏଁ ସାଧାରଣ ଦର୍ଶନ ହେବ । 10ଟାରେ ମହାସ୍ନାନ ସହ ଅନ୍ୟାନ୍ୟ ପୂଜାବିଧି ହେବ । 12ଟା ୩ ରଥରେ ବିରାଜ ହୋଇ ମାଉସୀ ମାଆ ଘର ଅଭିମୁଖେ ବାହାରିବେ ପ୍ରଭୁ ଲିଙ୍ଗରାଜ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 9, 2022, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.