ETV Bharat / business

PM Jan Dhan Yojana: 9 ବର୍ଷ ମଧ୍ୟରେ ଖୋଲାଯାଇଛି 50 କୋଟିରୁ ଅଧିକ ଆକାଉଣ୍ଟ

author img

By ETV Bharat Odisha Team

Published : Aug 27, 2023, 5:05 PM IST

9ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ 50 କୋଟିରୁ ଅଧିକ ଖାତା ଖୋଲାଯାଇଛି । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ମିଳିଛି ବଡ଼ ସଫଳତା । ଗତ 9ବର୍ଷ ମଧ୍ୟରେ ଏହି ଯୋଜନାରେ 50 କୋଟିରୁ ଅଧିକ ଖାତା ଖୋଲାଯାଇଛି । ତେବେ ଏହି ଖାତାଗୁଡ଼ିକରେ ଜମା ରାଶି ବୃଦ୍ଧି ପାଇ 2.03 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ଏନେଇ ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆର୍ଥିକ ସେବା ସଚିବ ବିବେକ ଜୋଶିଙ୍କ କହିବା ଅନୁସାରେ, 2023 ଅଗଷ୍ଟ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଖାତାଧାରୀଙ୍କୁ 33.98କୋଟି ରୂପେ କାର୍ଡ ଜାରି କରାଯାଇଛି, ଯାହା 2015 ମସିହା ଶେଷ ସୁଦ୍ଧା ମାତ୍ର 13କୋଟି ଥିଲା । ତେବେ ଜୋଶି ଏହା ମଧ୍ୟ କହିଛନ୍ତି ଯେ, 2015 ମାର୍ଚ୍ଚରେ ଜନ ଧନ ଯୋଜନା ଅଧିନରେ ଜିରୋ ଆକାଉଣ୍ଟ ଖାତା 58 ପ୍ରତିଶତ ଥିଲା । ଏହା ବର୍ତ୍ତମାନ 8 ପ୍ରତିଶତକୁ ହ୍ରାସ ଘଟିଛି । ତେବେ ଜନ ଧନ ଯୋଜନାକୁ 9ବର୍ଷ ପୂରଣ ହେବା ପୂର୍ବରୁ ଏହି ଯୋଜନା ମାଧ୍ୟମରେ 50 କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯିବାର ସଫଳତା ହାସଲ କରାଯାଇଛି । ଏହାସହ ପ୍ରତିବର୍ଷ ହାରାହାରି 2.5ରୁ 3କୋଟି ଜନ ଧନ ଯୋଜନା ଖାତା ଖୋଲାଯାଉଥିବା ଜୋଶି କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ..ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି, ପ୍ରିମିୟମ ରାଶି ଦେବ ରାଜ୍ୟ

ତେବେ 2015 ମାର୍ଚ୍ଚରେ ଜନ ଧନ ଯୋଜନା ଆକାଉଣ୍ଟରେ ହାରାହାରି ଜମା 1056 ଥିଲା, ଯାହା 2023 ଅଗଷ୍ଟ ସୁଦ୍ଧା 3.8 ଗୁଣ ବୃଦ୍ଧି ପାଇ ହାରାହାରି 4063 ଟଙ୍କା ରହିଛି । ସବୁଠାରୁ ବଡ଼ କଥା ହେଉଛି ଖୋଲାଯାଇଥିବା ଜନଧନ ଯୋଜନା ଆକାଉଣ୍ଟ ମଧ୍ୟରୁ 56 ପ୍ରତିଶତ ଆକାଉଣ୍ଟ କେବଳ ମହିଳାମାନଙ୍କର । ସେହିପରି 67 ପ୍ରତିଶତ ଆକାଉଣ୍ଟ କେବେଳ ଗ୍ରାମାଞ୍ଚଳ ଏବଂ ସେମି ଅର୍ବାନ ଅଞ୍ଚଳରେ ଖୋଲାଯାଇଛି ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା 2014 ଅଗଷ୍ଟ 28ରେ ପ୍ରଥମେ ଆରମ୍ଭ କରାଯାଇଥିଲା । ବ୍ୟାଙ୍କ ସେବା ଉପଲବ୍ଧ ନଥିବା ଅଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କିଂ ସେବା ପ୍ରଦାନ କରିବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଆରମ୍ଭ କରିଥିଲେ । ତେବେ ଏହି ଯୋଜନା ମାଧ୍ୟମରେ ଜିରୋ ଆକାଉଣ୍ଟ ଖୋଲାଯିବା ସହ ନିଶୁଳ୍କରେ ଡେବିଟ୍‌ କାର୍ଡ ଏବଂ ଓଭରଡ୍ରାଫ୍ଟ ଆଦି ସୁବିଧା ଯୋଗାଇ ଦିଆଯାଉଛି । ତେବେ 2023 ଅଗଷ୍ଟ 28ରେ ଏହି ଯୋଜନାକୁ 9ବର୍ଷ ପୂରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.