ETV Bharat / bharat

ଭାରତ-ପାକ୍‌ ସୀମାରୁ ଧରାପଡିଲା ଗୁପ୍ତଚର ଇଗଲ

author img

By ETV Bharat Odisha Team

Published : Dec 28, 2023, 4:53 PM IST

BSF caught Trained eagle: ରାଜସ୍ଥାନ ଜୈସଲମେର ଜିଲ୍ଲାକୁ ଲାଗି ରହିଥିବା ଭାରତ-ପାକ୍‌ ସୀମାରୁ ଧରାପଡିଲା ଗୁପ୍ତଚର ଇଗଲ । ଗୋଡରେ ଲାଗିଛି ଜିପିଏସ ଟ୍ରାକର । ଅଧିକ ପଢନ୍ତୁ

Trained eagle caught by BSF
Trained eagle caught by BSF

ଜୟପୁର: ରାଜସ୍ଥାନ ଜୈସଲମେର ଜିଲ୍ଲାକୁ ଲାଗିଥିବା ଭାରତ ଓ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରୁ ଧରାପଡ଼ିଲା ଗୁପ୍ତଚର ଛଞ୍ଚାଣ (ଇଗଲ) । ଗତକାଲି (ବୁଧବାର) ସୀମା ସୁରକ୍ଷା ବଳ ଏହି ତାଲିମପ୍ରାପ୍ତ ଛଞ୍ଚାଣକୁ କାବୁ କରିଛି । ତା' ଗୋଡ଼ରେ ଜିପିଏସ ଟ୍ରାକର ଓ ଏକ ରିଙ୍ଗ ଲାଗିଥିବା ଦେଖିବାକୁ ମିଳିଛି । ବିଏସଏଫ ଯବାନମାନେ ଏହି ଇଗଲକୁ ଧରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ମାତ୍ର ପକ୍ଷୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୀମା ସୁରକ୍ଷା ବଳ (BSF) ଅଧିକାରୀଙ୍କ ସୂଚନା ଅନୁସାରେ ଏହି ପକ୍ଷୀଟି ଭାରତ ଓ ପାକିସ୍ତାନ ସୀମା ଉପରେ ଉଡ଼ୁଥିଲା । ଇଗଲକୁ ଦେଖିବା ମାତ୍ରେ ବିଏସଫ ଯବାନ ସତର୍କ ହୋଇ ସଙ୍ଗେ ସଙ୍ଗେ ଆକ୍ସନ ମୋଡକୁ ଆସିଥିଲେ । ଏହାପରେ ଏହି ଇଗଲକୁ କାବୁ କରିବା ଲାଗି ଉଦ୍ୟମ କରାଯାଇଥିଲା । ଇଗଲକୁ କାବୁ କରାଯିବା ପରେ ସେ ଆହତ ଅବସ୍ଥାରେ ଥିଲା । ଏହାପରେ ଯବାନାମାନେ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କୁ ଆହତ ପକ୍ଷୀକୁ ହସ୍ତାନ୍ତର କରିଥିଲେ । ବନ ବିଭାଗର ରେସ୍କ୍ୟୁ ସେଣ୍ଟରରେ ହିଁ ଆହତ ଇଗଲର ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- ବିହାରରୁ ଧରାପଡ଼ିଲା ଗୁପ୍ତଚର ଇଗଲ

ବନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବିଏସଏଫ ଯବାନମାନେ ଏହି ଆହତ ପକ୍ଷୀକୁ ହସ୍ତାନ୍ତର କରିବା ପରେ ତାର ମୃତ୍ୟୁ ଘଟିଥିଲା । ଏହାପରେ ବ୍ୟବଚ୍ଛେଦ ଲାଗି ବନ ବିଭାଗ ସ୍ଥାନୀୟ ସରକାରୀ ପଶୁ ଚିକିତ୍ସାଳୟରେ ତାର ମୃତଦେହକୁ ଭର୍ତ୍ତି କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପକ୍ଷୀଟିର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗର ଅଧିକାରୀ କହିଛନ୍ତି । ସେପଟେ ବିଏସଏଫ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ତାଲିମପ୍ରାପ୍ତ ପକ୍ଷୀର ଗୋଡ଼ରେ ରିଙ୍ଗ ବନ୍ଧାଯାଇଥିଲା । ଏହାସହ ଏକ ଜିପିଏସ ଟ୍ରାକର ମଧ୍ୟ ତାର ଗୋଡ଼ରେ ଲାଗିଥିଲା ।

ଏହି ଇଗଲଟି କେଉଁଠୁ ଆସିଛି ସେ ସମ୍ପର୍କରେ କୌଣସି ତଥ୍ୟ ରଖିନାହାନ୍ତି ବିଏସଫ ଅଧିକାରୀ । ହେଲେ ଏକ ରିପୋର୍ଟ ଅନୁସାରେ ଏହି ପକ୍ଷୀ ଆରବ ରାଜକୁମାରଙ୍କ ହୋଇପାରେ । ସୂଚନା ଥାଉ କି ପ୍ରତିବର୍ଷ ଆରବ ରାଜପରିବାରର ରାଜକୁମାର ମାନେ ପକ୍ଷୀ ଶିକାର ପାଇଁ ପାକିସ୍ତାନ ଆସିଥାନ୍ତି । ଭାରତ-ପାକ ସୀମାବର୍ତ୍ତୀ ଅଞ୍ଚଳରେ ସେମାନେ ଅନେକ ପକ୍ଷୀ ଶିକାର କରିଥାନ୍ତି । ଏହାସହିତ ସେମାନେ ଅନେକ ତାଲିମପ୍ରାପ୍ତ ଛଞ୍ଚାଣକୁ ସାଙ୍ଗରେ ଧରି ଆସିଥାନ୍ତି । ବେଳେବେଳେ ଏହି ପକ୍ଷୀ ବାଟବଣା ହୋଇ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳକୁ ଚାଲିଆସିଥାନ୍ତି । କୁହାଯାଏ ପାକିସ୍ତାନ ସରକାର ପକ୍ଷୀ ଶିକାର ଲାଗି ଆରବ ରାଜପରିବାରକୁ ଅନୁମତି ଦେଇଛି । ଏହାବଦଳରେ ଆରବ ରାଜପରିବାରରୁ ମୋଟା ଅଙ୍କର ଧନ ଆଣିଥାଏ ପାକିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.