ETV Bharat / bharat

G20 Education Working Group meeting: ଏପ୍ରିଲ 27 ରୁ 29 ଭୁବନେଶ୍ବରରେ ତୃତୀୟ ବୈଠକ

author img

By

Published : Apr 17, 2023, 11:01 PM IST

ପ୍ରେସମିଟ କରି ଶିକ୍ଷା ମନ୍ତ୍ରଣାଳୟର ସଚିବ କେ. ସଞ୍ଜୟ ମୂର୍ତ୍ତୀ କହିଛନ୍ତି ଭୁବନେଶ୍ୱର ଠାରେ ଆସନ୍ତା ୨୭-୨୮ ରେ ଜି20 ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ । ଏଥି ପୂର୍ବରୁ ଏପ୍ରିଲ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ । ଅଧିକ ପଢନ୍ତୁ

ଏପ୍ରିଲ 27 ରୁ 29 ଭୁବନେଶ୍ବରରେ  ତୃତୀୟ ବୈଠକ
ଏପ୍ରିଲ 27 ରୁ 29 ଭୁବନେଶ୍ବରରେ ତୃତୀୟ ବୈଠକ

ନୂଆଦିଲ୍ଲୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଓ ଏହାର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟର ପ୍ରେସମିଟ ।

ପ୍ରେସମିଟ କରି ଶିକ୍ଷା ମନ୍ତ୍ରଣାଳୟର ସଚିବ କେ. ସଞ୍ଜୟ ମୂର୍ତ୍ତୀ କହିଛନ୍ତି ଭୁବନେଶ୍ୱର ଠାରେ ଆସନ୍ତା ୨୭-୨୮ ରେ ଜି20 ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ । ଏଥି ପୂର୍ବରୁ ଏପ୍ରିଲ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ । ଏହାକୁ ସାଧାରଣ ଜନତାଙ୍କ ପାଇଁ ଏପ୍ରିଲ ୨୩ ରୁ ୨୫ ଏବଂ ଏହାପରେ ଏପ୍ରିଲ ୨୭ ଏବଂ ୨୮ ତାରିଖ ପର୍ଯ୍ୟନ୍ତ ଖୋଲାଯିବ ।

ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକରେ ଜି୨୦ ରାଷ୍ଟ୍ରସମୂହର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଓ ମାର୍ଗଦର୍ଶନରେ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ କାର୍ଯ୍ୟକ୍ରମ, ବିଭିନ୍ନ ବିଷୟବସ୍ତୁ ଚୟନ ଏବଂ ଏସବୁ କାର୍ଯ୍ୟକ୍ରମରେ ଦେଶର ଯୁବକମାନଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି । ଓଡ଼ିଶା ପରିଦୃଶ୍ୟରେ ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଚୟନ କରାଯାଇଛି । ଏହାକୁ ରାଜ୍ୟର ସବୁ ଜିଲ୍ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଯଦ୍ଦ୍ୱାରା ସମ୍ପୃକ୍ତ ଜିଲ୍ଲାରେ ଭବିଷ୍ୟତର କୌଶଳ ଆବଶ୍ୟକତା ଏବଂ ନିରନ୍ତର ଦକ୍ଷତା ବିକାଶ ତଥା ଉନ୍ନତିକରଣ ବା ସ୍କିଲିଂ, ରିସ୍କିଲିଂ ଏବଂ ଅପ-ସ୍କିଲିଂ ପ୍ରକ୍ରିୟାର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ତଥା ପ୍ରଭାବୀ ସଚେତନତା ସୃଷ୍ଟି କରାଯାଇପାରିବ ।

ସେ ଆହୁରି କହିଥିଲେ ଯେ ଜି-୨୦ ରାଷ୍ଟ୍ରମାନେ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ପରିବର୍ତ୍ତନର ଅନୁଭୂତି ହାସଲ କରୁଛନ୍ତି । ସେମାନେ ଆବଶ୍ୟକ କୌଶଳ, ଗତି ଏବଂ ସ୍ଫୂର୍ତ୍ତି ପ୍ରଦାନ କରିବା ଦ୍ୱାରା ନିଜ ଦେଶର ଯୁବକମାନଙ୍କୁ ଭବିଷ୍ୟତର କାର୍ଯ୍ୟ ପାଇଁ ପ୍ରସ୍ତୁତ କରିପାରିବେ। ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକରେ ଆମେ ଏହି ପରିବର୍ତ୍ତନ ଓ ଏହାର ସମାଧାନ ସହିତ କାର୍ଯ୍ୟର ଭବିଷ୍ୟତ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବୁ । ପ୍ରାକ ବୈଠକ କାର୍ଯ୍ୟକ୍ରମ ଏବଂ ପ୍ରଦର୍ଶନୀରେ ବିଶେଷଜ୍ଞ, ଅଂଶୀଦାର ଏବଂ ବୁଦ୍ଧିଜୀବୀମାନଙ୍କୁ ଏକତ୍ରିତ କରିବା ଦ୍ୱାରା ସଂସ୍କାରକୁ ପ୍ରାଥମିକତା ଦେବା ଲାଗି ଏକ ସମନ୍ୱିତ ଦୃଷ୍ଟିକୋଣ ବିକଶିତ ହୋଇପାରିବ । ଏହାବ୍ୟତୀତ ଅଧ୍ୟୟନ ପ୍ରକ୍ରିୟାକୁ ପୁନଃପରିକଳ୍ପନା କରିବା, ପ୍ରତିଭାମାନଙ୍କୁ ପୁନଃପରିଭାଷିତ କରିବା ଏବଂ କାର୍ଯ୍ୟର ଭବିଷ୍ୟତ ପାଇଁ ସାମାଜିକ, ରାଜନୈତିକ ଏବଂ ବ୍ୟବସାୟିକ ନେତୃବର୍ଗଙ୍କୁ ପ୍ରସ୍ତୁତ କରିବା ଲାଗି ଏକ ଢାଞ୍ଚା ପ୍ରସ୍ତୁତ କରିବାରେ ସହାୟତା ମିଳିପାରିବ ବୋଲି ସଚିବ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଆହୁରି ସୂଚନା ଦେଇ କହିଥିଲେ ଯେ, ଭାରତର ଜି-୨୦ ଅଧ୍ୟକ୍ଷତାକୁ ଜନଭାଗିଦାରୀ ମାଧ୍ୟରେ ଅଧିକ ଫଳପ୍ରଦ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଓଡ଼ିଶାରେ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଏକ ମାସ ବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ସମ୍ମିଳନୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ରାଜ୍ୟରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଏପ୍ରିଲ ପହିଲା, ଉତ୍କଳ ଦିବସ ଠାରୁ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନର ୮୬ ହଜାରରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ କର୍ମକର୍ତ୍ତାମାନେ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି । ଏହି ଅବସରରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା, ଯୁବା ସମ୍ବାଦ କାର୍ଯ୍ୟକ୍ରମ, ସେମିନାର ଆୟୋଜନ କରାଯାଉଛି ।

ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏନଆଇଟି, ଆଇଏମଏମଟି ଭୁବନେଶ୍ୱର, ଇଣ୍ଡିଆନ ସ୍କୁଲ ଅଫ ବିଜନେସ ହାଇଦ୍ରାବାଦ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ସହଯୋଗରେ ପ୍ରାକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଡେଲଏଟ, ସିଆଇଆଇ ଏବଂ ୟୁଏସଆଇବିସି ଆଦି ଶିଳ୍ପ ସଂସ୍ଥା ସହଯୋଗ ଯୋଗାଇ ଦେଉଛନ୍ତି । ପ୍ରାକ ବୈଠକ କାର୍ଯ୍ୟକ୍ରମ ଏକ ସପ୍ତାହବ୍ୟାପୀ ଆୟୋଜନ କରାଯିବାକୁ ଥିବା ବେଳେ ଏଥିରେ ଅନ୍ତର୍ଜାତୀୟ ସହଭାଗିତା ଏବଂ ଭବିଷ୍ୟତର କାର୍ଯ୍ୟ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରାଯିବ ବୋଲି କହିଛନ୍ତି ।

ସେହିଭଳି ଶିକ୍ଷା ସଚିବ କହିଛନ୍ତି ଓଡ଼ିଶା ଏକ ପ୍ରମୁଖ ଜନଜାତି ଜନସଂଖ୍ୟା ବହୁଳ ରାଜ୍ୟ ହୋଇଥିବାରୁ ଓଡ଼ିଶାର ଜନଜାତିମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ଜନଜାତି ବର୍ଗଙ୍କ ଉତ୍ପାଦ ପ୍ରଦର୍ଶିତ ହେବ । ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଥିବାରୁ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ବା ମିଲେଟ ଉପରେ ଏକ ଖାଦ୍ୟ ମେଳା ଆୟୋଜନ କରାଯିବା ସହିତ ଏଥିରେ ସ୍ଥାନୀୟ ବ୍ୟଞ୍ଜନ ପ୍ରଦର୍ଶିତ ହେବ । ଜି୨୦ ପ୍ରତିନିଧିମାନଙ୍କୁ ଭାରତର ପାରମ୍ପରିକ ଖାଦ୍ୟଦ୍ରବ୍ୟ ପରିବେଷଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.