ETV Bharat / bharat

Terror Conspiracy Case: ମଧ୍ୟପ୍ରଦେଶର 13ଟି ସ୍ଥାନରେ NIA ରେଡ୍

author img

By

Published : May 27, 2023, 4:15 PM IST

ଭୋପାଲ ଟେରର୍ ଫଣ୍ଡିଂ ମାମଲାରେ ମଧ୍ୟପ୍ରଦେଶ ସ୍ଥିତ ଜବଲପୁରର 13ଟି ସ୍ଥାନରେ NIA ପକ୍ଷରୁ ରେଡ୍ କରାଯାଇଛି । ଆତଙ୍କୀଙ୍କ ଟାର୍ଗେଟରେ ଆଉ କେଉଁ କେଉଁ ରାଜ୍ୟ ରହିଛି ? ଜାଣିବା ପାଇଁ ଅଧିକ ପଢନ୍ତୁ

ମଧ୍ୟପ୍ରଦେଶର 13ଟି ସ୍ଥାନରେ NIA ରେଡ୍
ମଧ୍ୟପ୍ରଦେଶର 13ଟି ସ୍ଥାନରେ NIA ରେଡ୍

ଭୋପାଲ: ଟେରର୍ ଫଣ୍ଡିଂ ମାମଲାରେ ମଧ୍ୟପ୍ରଦେଶର 13ଟି ସ୍ଥାନରେ ରେଡ୍ କରିଛି ଜାତୀୟ ଦତନ୍ତ କାରୀ ସଂସ୍ଥା (NIA) । ଭୋପାଲ ଟେରର୍ ଫଣ୍ଡିଂରେ ଜମାତ୍ ଉଲ ମୁଜାହିଦ୍ଦିନ ବାଙ୍ଗଲାଦେଶ (JMB) ଗ୍ରୁପର ଲିଙ୍କ ଥିବା ସନ୍ଦେହ କରାଯାଉଛି। ମଧ୍ୟପ୍ରଦେଶ ପୋଲିସ ଓ NIA ଟିମ୍ ମିଳିତ ଭାବେ ଜବଲପୁରର ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି। ଭୋପାଲ ଟେରର ଫଣ୍ଡିଂ ମାମଲାକୁ ନେଇ ଗତ 25 ତାରିଖରେ ଉତ୍ତରପ୍ରଦେଶର 2ଟି ସ୍ଥାନରେ ମଧ୍ୟ ରେଡ୍ ହୋଇଥିଲା। ଘଟଣାରେ ବର୍ତ୍ତମାନସୁଦ୍ଧା 10ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ନ୍ୟାସନାଲ ଇନଭେଷ୍ଟିଗେଟିଂ ଏଜେନ୍ସି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ 6 ଜଣ ବାଙ୍ଗଲାଦେଶ ନାଗରିକ ହୋଇଥିବାବେଳେ ସେମାନଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ।

ସୂଚନା ମୁତାବକ ଅପରାଧୀମାନେ ଜାଲ୍ ପରିଚୟପତ୍ର ତିଆରି କରିବା ସହ ଭାରତରେ ବେଆଇନ ଭାବେ ପ୍ରବେଶ କରିଛନ୍ତି। ଦେଶରେ ଆତଙ୍କ ରଚିବା ନିମନ୍ତେ କେତେକ ଇସଲାମ ସମ୍ପ୍ରଦାୟର ଲୋକଙ୍କୁ ପ୍ରବର୍ତ୍ତାଇବା ସହ ହିନ୍ଦୁ ଧର୍ମ ବିରୋଧରେ ହିଂସା ସୃଷ୍ଟି କରୁଥିବା ଜଣାପଡିଛି। ଏପରିକି ଅନେକ ଆତଙ୍କବାଦୀ ସଂଗଠନ ସହ ଅଭିଯୁକ୍ତମାନଙ୍କର ଲିଙ୍କ୍ ଥିବା ଜଣାପଡିଛି। ସେମାନଙ୍କ ନିକଟରୁ ଜିହାଦୀ ସାହିତ୍ୟ (ପୁସ୍ତିକା), ପ୍ରିଣ୍ଟର, ଡିଜିଟାଲ ଯନ୍ତ୍ରପାତି ଭଳି ଅନେକ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ହସ୍ତଗତ ହୋଇଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହାସହ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ତ୍ରିପୁରା, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟକୁ ଟାର୍ଗେଟ କରିଥିଲେ ଏହି ଆତଙ୍କୀମାନେ। ସେଠାରେ ଇସଲାମ ସମ୍ପ୍ରଦାୟର ଯୁବକଙ୍କୁ ପ୍ରବର୍ତ୍ତାଇ ସେମାନଙ୍କୁ କଠୋରପନ୍ଥୀରେ ସାମିଲ କରି ଦେଶରେ ହିଂସା ସୃଷ୍ଟି କରିବା ଲକ୍ଷ୍ୟରେ ସେମାନେ ଭାରତକୁ ପ୍ରବେଶ କରିଥିବା ସୂଚନା ମିଳିଛି। ପୂର୍ବରୁ ଉତ୍ତରପ୍ରଦେଶରେ NIA ପକ୍ଷରୁ ରେଡ୍ କରାଯାଇଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଜବଲପୁରରେ ଅତର୍କିତ ଚଢାଉ କରିଛି ଟିମ୍।

ଚଢାଉରେ 12ଜଣ IPS ଅଫିସରଙ୍କ ସମେତ ପାଖାପାଖି 200ଜଣ ପୋଲିସ କର୍ମୀ ନିୟୋଜିତ ରହିଥିଲେ। ରାସ୍ତା ଉପରେ ପୋଲିସ ପକ୍ଷରୁ ବ୍ୟାରିକେଡ ଲଗାଯାଇ ଗାଡି ଗୁଡିକର ଯାଞ୍ଚ ହେବା ସହିତ ସନ୍ଦିଗ୍ଧଙ୍କୁ କାବୁ କରିବାକୁ ଘରକୁ ଘର ଯାଇ ପଚରାଉଚରା କରାଯାଇଛି। ଶନିବାର ମଧ୍ୟ ସମଗ୍ର ଅଞ୍ଚଳରେ ପୋଲିସ ଛାଉଣୀ ହୋଇଥିବା ଦେଖିବାକୁ ମିଳିଛି।ତେବେ ଆତଙ୍କୀଙ୍କ ଟାର୍ଗେଟରେ ଥିବା ରାଜ୍ୟ ଗୁଡିକରେ ଜୋରଦାର ଚଢାଉ କରାଯାଉଥିବା ଦେଖିବାକୁ ମିଳିଛି। ତେଣୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରେ ଅନ୍ଯ ରାଜ୍ୟମାନଙ୍କରେ ମଧ୍ୟ ରେଡ୍ କରିପାରେ ନ୍ୟାସନାଲ ଇନଭେଷ୍ଟିଗେଟିଂ ଏଜେନ୍ସି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.