ETV Bharat / bharat

Telangana Elections: ଦକ୍ଷିଣରେ ବିଜେପିର ଦ୍ୱିତୀୟ ଦ୍ୱାର ହେବ ତେଲେଙ୍ଗାନା !

author img

By

Published : Feb 3, 2023, 10:42 PM IST

ବିଜେପି ଗତ ନିର୍ବାଚନରେ 9ଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅବଶିଷ୍ଟ ଆସନରେ ଅମାନତ ହରାଇଥିଲା । 2018 ନିର୍ବାଚନ ପରେ ପରେ 2019ରେ ଦେଶର ହୋଇଥିଲା ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ବିଜେପି କିନ୍ତୁ ଆଶା ଠାରୁ ଅଧିକ ଫଳ ପାଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବର୍ଷ 2018 ବିଧାନସଭା ନିର୍ବାଚନରେ ମାତ୍ର ଗୋଟିଏ ଆସନ ଜିତିଥିବା ଦଳ ଚଳିତ ବର୍ଷ (2023) ଶେଷ ଆଡକୁ ହେବାକୁ ଥିବା ନିର୍ବାଚନରେ କ୍ଷମତାସୀନ ବିଆରଏସ ଠାରୁ ତେଲେଙ୍ଗାନା କ୍ଷମତା ଛଡାଇ ଆଣିବାକୁ ଦମ୍ଭ ଲଗାଇଛି ଭାରତୀୟ ଜନତା ପାର୍ଟି ବିଜେପି । କିଛି ବର୍ଷ ପୂର୍ବେ ମାତ୍ର କିଛି ସହରରେ ସୀମିତ ଥିବା ବିଜେପି ଏବେ ଦକ୍ଷିଣ ଭାରତ କର୍ଣ୍ଣାଟକ ପରେ ତେଲେଙ୍ଗାନା ଦଖଲ ପାଇଁ ପୁରା ଅଣ୍ଟା ଭିଡିଛି ।

Telengana Elections: ଦକ୍ଷିଣରେ ବିଜେପିର ଦ୍ବିତୀୟ ଦ୍ବାର ହେବ ତେଲେଙ୍ଗାନା
Telangana Elections

2019 ଲୋକସଭା ନିର୍ବାଚନରେ ତେଲେଙ୍ଗାନାରେ ଦଳ 4 ଟି ଆସନ ଜିତିବା ପରେ ଉତ୍ସାହିତ ବିଜେପି ଯୋଜନାବଦ୍ଧ ଭାବେ ଆଗକୁ ବଢୁଛି । ଲୋକସଭା ପରେ ପରେ ଦୁଇଟି ବିଧାନସଭା ଉପ ନିର୍ବାଚନ ସହ ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ଦମଦାର ପ୍ରଦର୍ଶନ ପରେ ଦଳର ବିଶ୍ବାସ ବଢିବାରେ ଲାଗିଲା । ଦଳ ଭାବନାତ୍ମକ ରାଜନୀତି ସହ ପ୍ରସଙ୍ଗଭିତ୍ତିକ ଗୋଟିଚାଳନା କରି ଆଗକୁ ବଢିବାରେ ଲାଗିଛି ।

Telengana Elections: ଦକ୍ଷିଣରେ ବିଜେପିର ଦ୍ବିତୀୟ ଦ୍ବାର ହେବ ତେଲେଙ୍ଗାନା
Telangana Elections

ଏହାବି ପଢନ୍ତୁ- Most Popular World Leader: 78% ସହ ଆଗରେ ମୋଦି, ପଛରେ ବାଇଡେନ-ସୁନାକ

ଗତ 2018 ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଥିଲା । ନିର୍ବାଚନରେ ତତ୍କାଳିନ ଟିଆରଏସ(ବର୍ତ୍ତମାନ) ବିଆରଏସରେ ରୂପାନ୍ତରିତ ହୋଇଥିବା ଦଳ ମୋଟ 119 ଆସନରୁ 88 ଟି ଆସନରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ପାଇଥିଲା । ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିଲା । ବିଜେପି 9 ଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅବଶିଷ୍ଟ ଆସନରେ ଅମାନତ ହରାଇଥିଲା । 2018 ନିର୍ବାଚନ ପରେ ପରେ 2019ରେ ଦେଶର ହୋଇଥିଲା ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ବିଜେପି କିନ୍ତୁ ଆଶା ଠାରୁ ଅଧିକ ଫଳ ପାଇଥିଲା । କେବଳ ସିକନ୍ଦରାବାଦ ଆସନକୁ ସୁରକ୍ଷିତ ରଖିନଥିଲା । ଦଳ ସିକନ୍ଦରାବାଦ ସମେତ କରିମନଗର, ନିଜାମାବାଦ ଓ ଆଦିଲାବାଦ ଲୋକସଭା ଆସନକୁ ମଧ୍ୟ ଦଖଲ କରିଥିଲା । ଯାହା ବିଜେପିର ଜୋଶକୁ ରାଜ୍ୟରେ ବଢାଇଥିଲା । ପୁଣି ଦୁଇଟି ବିଧାନସଭା ଉପନିର୍ବାଚନରେ ମଧ୍ୟ ଦଳ ବିଆରଏସ ଠାରୁ 2 ଟି ଆସନ ଛଡାଇ ଆଣିଥିଲା । ଗତବର୍ଷ ନଭେମ୍ବରରେ ହୋଇଥିବା ମୁନୁଗୋଡେ ଉପନିର୍ବାଚନରେ ବିଜୟୀ ହୋଇ ଦଳ ହ୍ୟାଟ୍ରିକ ଲକ୍ଷ୍ୟ ରଖିଥିଲା । କିନ୍ତୁ କେସିଆରଙ୍କ ରଣନୀତି ଆଗରେ ବିଜେପି ଅଳ୍ପକେ ପରାଜିତ ହୋଇଥିଲା ।

ଗତ ବର୍ଷ ଅଗଷ୍ଟରେ କଂଗ୍ରେସ ବିଧାୟକ କୋମାଟିରେଡ୍ଡୀ ରାଜଗୋପାଳ ରେଡ୍ଡୀ ମୁନୁଗୋଡେ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏହି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ତାଙ୍କୁ ହିଁ ଟିକେଟ ଦେଇ କେସିଆରଙ୍କୁ ବଡ ଧକ୍କା ଦେବାକୁ ଯୋଜନା କରିଥିଲା । କିନ୍ତୁ ଦଳ ପାଖାପାଖି 10 ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲା । ଏହି ଉପ ନିର୍ବାଚନକୁ ବିଜେପି ବେଶ ଗୁରୁତ୍ବ ସହ ନେଇଥିଲା । କାରଣ ଖୋଦ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ କୋମାଟିରେଡ୍ଡୀ ରାଜଗୋପାଳ ରେଡ୍ଡୀଙ୍କୁ ଦଳରେ ସାମିଲ କରିବା ପାଇଁ ନିଜେ ମୁନୁଗୋଡେ ଆସିଥିଲେ । ଏହାସହ ବିଆରଏସକୁ ନେଇ ବଡ ଭବିଷ୍ୟତବାଣୀ କରିଥିଲେ । ବିଜେପି ମୁନୁଗୋଡେ ଜିତିବା ପାଇଁ ଏଥିପାଇଁ ମଧ୍ୟ ଆଶ୍ବସ୍ତ ଥିଲା, କାରଣ 2021 ରେ କେସିଆର ନିଜ ସ୍ବାସ୍ଥ୍ୟମନ୍ତ୍ରୀ ଏଟଲା ରାଜେନ୍ଦ୍ରଙ୍କୁ ବହିଷ୍କାର କରିଥିଲେ । ଏଟଲା ଦଳରୁ ବହିଷ୍କୃତ ହେବା ପରେ ହୁଜୁରାବାଗ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ହୁଜୁରାବାଗ ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ଏଟଲା ରାଜେନ୍ଦ୍ର ବିଜେପି ପ୍ରାର୍ଥୀ ହୋଇ ବିଜୟ ବାନା ଉଡାଇଥିଲେ । ଯାହା ବିଜେପିର ତେଲେଙ୍ଗାନ ସ୍ବପ୍ନକୁ ବଡ ବୁଷ୍ଟର ଡୋଜ ଯୋଗାଇଥିଲା । ପରେ ଗୋଟିଏ ବର୍ଷ ପରେ କେସିଆରଙ୍କ ପଡୋଶୀ ଆସନ ଡୁବ୍ବକାରେ ହୋଇଥିବା ଉପନିର୍ବାଚନକୁ ମଧ୍ୟ ବିଜେପି ବିଆଆରଏସ ଠାରୁ ଛଡାଇ ଆଣିଥିଲା ।

Telengana Elections: ଦକ୍ଷିଣରେ ବିଜେପିର ଦ୍ବିତୀୟ ଦ୍ବାର ହେବ ତେଲେଙ୍ଗାନା
Telangana Elections

ଏତତ ବ୍ୟତୀତ 2021 ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ମଧ୍ୟ ବିଜେପି ଗୈରିକ ବାନା ଉଡାଇଥିଲା । କେନ୍ଦ୍ରୀୟ ନେତାଙ୍କ ଘନ ଘନ ପ୍ରଚାର ହାଇଦ୍ରାବାଦ ସହରର ନାମ ପରିବର୍ତ୍ତନ ପ୍ରସଙ୍ଗ ସହ ହିନ୍ଦୁତ୍ବ ଓ ରାଷ୍ଟ୍ରବାଦ ମୁଦ୍ଦାରେ ବିଜେପି ମହାନଗର ନିଗନ ନିର୍ବାଚନ ଲଢିଥିଲା । ମହାନଗର ନିଗମର ମୋଟ 150 ଆସନରୁ ଦଳ ପ୍ରଥମ ଥର ପାଇଁ ପ୍ରଭାବଶାଳୀ ପ୍ରଦର୍ଶନ କରି 4 ରୁ 48 ଟି ଆସନରେ ବିଜୟୀ ହୋଇଥିଲା । ଯାହା ବିଜେପିର ମନୋବଳକୁ ଶୀର୍ଷରେ ପହଞ୍ଚାଇଥିଲା । ଏହି ବିଜୟ ପରେ ବିଜେପିର ତେଲେଙ୍ଗାନା ସ୍ବପ୍ନ ଆହୁରି ଉଜ୍ଜଳ ହେଲା । ଆଉ ଯୋଜନାବଦ୍ଧ ଭାବେ ତେଲେଙ୍ଗାନାକୁ ଦଖଲ କରିବା ପାଇଁ ପୁରା ଶକ୍ତି ଲଗାଇଛି ।

ଏହାବି ପଢନ୍ତୁ- ଫେବୃଆରୀ 13ରେ ହାଇଦ୍ରାବାଦ ଆସିବେ ପ୍ରଧାନମନ୍ତ୍ରୀ

ଗତ କିଛି ମାସ ଧରି ତେଲେଙ୍ଗାନାକୁ ନିଜେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ବିଏଲ ସନ୍ତୋଷଙ୍କ ସମେତ ବରିଷ୍ଠ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଘନଘନ ଗସ୍ତ କରୁଛନ୍ତି । ଏଥିରୁ ସ୍ପଷ୍ଚ ହେଉଛି ବିଜେପି ତେଇଶରେ ତେଲେଙ୍ଗାନା ଦଖଲ ପାଇଁ ପୁରା ଶକ୍ତିର ସହ ଲଢେଇ କରିବାକୁ ମାନସିକ ଭାବେ ପ୍ରସ୍ତୁତି ଚଳାଇଛି ।

ତେଲେଙ୍ଗାନାକୁ ବିଜେପି ଏଥିପାଇଁ ମଧ୍ୟ ଗୁରୁତ୍ବ ଦେଉଛି, କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ବର୍ତ୍ତମାନ ଜାତୀୟ ରାଜନୀତିରେ ଧ୍ୟାନ କେନ୍ଦ୍ରୀତ କରିଛନ୍ତି । ନିଜ ମୂଳଦଳ ଟିଆରଏସକୁ ବିଆରଏସରରେ ରୂପାନ୍ତରିତ କରି କେସିଆର ଜାତୀୟ ରାଜନୀତିରେ ବିଜେପିକୁ ଘେରିବାକୁ ଯୋଜନା ଚଳାଇଛନ୍ତି । ବିଜେପି ଏହାର ମୁକାବିଲା କରିବା ପାଇଁ କେସିଆରଙ୍କୁ ତାଙ୍କରି ଗଡରେ ଘେରିବାରେ ଲାଗିଛି । ବିଜେପି ଚାହୁଁଛି ବିଗତ 4 ବର୍ଷରେ ଦଳକୁ ରାଜ୍ୟରେ ଯେଉଁଭଳି ଭାବେ ସଫଳତା ମିଳିଛି, ଲୋକଙ୍କ ଦ୍ବାରା ଦଳ ଗ୍ରହଣୀୟ ହୋଇଛି, ତାହା ବଜାୟ ରଖିବା ସହ ସରକାର ବିରୋଧୀ ହାୱାରୁ ଫାଇଦା ନେବାକୁ । ଏଥିପାଇଁ ଚଳିତ ମାସ 13ରେ ଖୋଦ ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରୁଛନ୍ତି । ମୋଦି ଏହି ଗସ୍ତ ଜରିଆରେ ରାଜ୍ୟରେ ନିର୍ବାଚନୀ ବିଗୁଲ ବଜାଇବେ । ମୋଦି ଗସ୍ତ ବେଳେ ତେଲେଙ୍ଗାନାରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପରେ ପରେ ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀ ଓ ଶୀର୍ଷନେତାଙ୍କ ମାରାଥନ ଗସ୍ତ ଜାରି ରଖିବାକୁ ବିଜେପି ରଣନୀତି କରୁଛି ।

ବିଜେପି ବିଆରଏସ ବିରୋଧରେ ପୁରା ଶକ୍ତିର ସହ ଲଢିବାକୁ ଚୂଡାନ୍ତ କରିଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ପରେ ଦଳ କେସିଆରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେବ । ଭାବନାତ୍ମକ, ବିକାଶ ଓ ରାଷ୍ଟ୍ରବାଦକୁ ଆୟୁଦ୍ଧ କରି ଦଳ କେସିଆରଙ୍କୁ ଗାଦିଚ୍ୟୁତ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏହା ଦ୍ବାରା ରାଜ୍ୟରେ ଦଳ ବହୁସଂଖ୍ୟକ ଓ ସହର ଭୋଟରଙ୍କ ଭୋଟ ପାଇବ ବୋଲି ଆଶା ରଖିଛି ।

କରିମନଗର ସାଂସଦ ଥିବା ବଣ୍ଡି ସଞ୍ଜୟ 2020 ରେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ହେବା ପରେ ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ରାଜନୈତିକ ଫାଇଦା ନେବାକୁ ଯୋଜନା କରୁଛନ୍ତି । ବିଜେପିର ସାରା ଦେଶରେ ଥିବା ପ୍ରଦେଶ ୟୁନିଟ ମଧ୍ୟରୁ ତେଲେଙ୍ଗାନା ବିଜେପି ଭଲ କାମ କରୁଥିବା ଖୋଦ ପ୍ରଧାନମନ୍ତ୍ରୀ ସର୍ବସାଧାରଣରେ ପ୍ରକାଶ କରିଛନ୍ତି । ଯାହା ରାଜ୍ୟ ବିଜେପିର ଜୋଶକୁ ବଢାଇ ଦେଇଛି । ଆଉ ରାଜ୍ୟ ନେତା ମାନେ ସଞ୍ଚୟଙ୍କ ନେତୃତ୍ବରେ ଏକାଠି ହୋଇ କେସିଆରଙ୍କୁ ଆକ୍ରମଣ କରୁଛନ୍ତି ।

ସେପଟେ ବିଆରଏସକୁ ବିଜେପି ଖାଲି ଘେରି ନାହିଁ । ଏଆଇଏମଆଇଏମକୁ ମଧ୍ୟ ତାରି ଘରୋଇ ମୈଦାନରେ ଗୋଟିଏ ପରେ ଗୋଟିଏ ସରପ୍ରାଇଜ୍ ଦେବାରେ ଲାଗିଛି । ବଣ୍ଡି ସଞ୍ଜୟ କୁମାର ଭାଗ୍ୟଲକ୍ଷ୍ମୀ ମନ୍ଦିରରୁ ଐତିହାସିକ ଚାରମୀନାରର ଛାତି ଚିରି ଏଆଇଏମଆଇଏମଗଡରେ ପ୍ରବେଶ କରି ସାରା ରାଜ୍ୟରେ ପ୍ରଜା ସଂଗ୍ରାମ ଯାତ୍ରାକୁ ପହଞ୍ଚାଇଛନ୍ତି । ଚାରମୀନାର ଛାତି ଉପରେ ଛିଡା ହୋଇଥିବା ଭାଗ୍ୟଲକ୍ଷ୍ମୀ ମନ୍ଦିର ହେଉଛି ଏକ ଚର୍ଚ୍ଚିତ ମନ୍ଦିର । ଏହି ମନ୍ଦିର ସମ୍ମୁଖରୁ ଅତୀତରେ ଏକାଧିକ ସାମ୍ପ୍ରଦାୟିକ ଘଟଣାର ନିଆଁ ଲାଗିଛି । ଆଉ ଏବେ ଏହି ମନ୍ଦିର ଗୈରିକ ଦଳର ରାଜନୈତିକ କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ବିଜେପିର ଶୀର୍ଷ ନେତା ଏହି ମନ୍ଦିରରୁ ଦର୍ଶନ ପୂଜନ କରି ରାଜ୍ୟରେ ରାଜନୈତିକ ଯାତ୍ରା ଆରମ୍ଭ କରିଆସୁଛନ୍ତି । ଆଉ ବଡ କଥା ହେଉଛି ବିଜେପିର ଫାୟାରବ୍ରାଣ୍ଡ କଠୋର ହିନ୍ଦୁବାଦୀ ନେତା ତଥା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥ ତେଲେଙ୍ଗାନା ଗସ୍ତ ବେଳେ ଏହି ମନ୍ଦିର ଦର୍ଶନ କରିବା ସହ ହାଇଦ୍ରାବାଦକୁ ଭାଗ୍ୟନଗରରେ ପରିଣତ କରିବା ପାଇଁ ଘୋଷଣା କରିଥାନ୍ତି । ଏଆଇଏମଆଇଏମର ଗଡରେ ଯୋଗୀଙ୍କ ଏହି ଘୋଷଣା ଅନେକ ଗୁରୁତ୍ବ ବହନ କରିଥାଏ ।

ବିଜେପି 2023 ବିଧାନସଭା ନିର୍ବାଚନରେ ସହର ଭୋଟ ବ୍ୟାଙ୍କ ସମେତ ଉତ୍ତର ତେଲେଙ୍ଗାନା ଉପରେ ଅଧିକ ଫୋକସ କରୁଛି । ଯେଉଁ କ୍ଷେତ୍ରରୁ ଦଳକୁ 2019 ରେ 3 ଟି ଲୋକସଭା ଆସନ ମିଳିଥିଲା । ଏତତ ବ୍ୟତୀତ ଗ୍ରେଟର ହାଇଦ୍ରାବାଦ ଓ ଏହାର ଆଖପାଖ ନିର୍ବାଚନ ମଣ୍ଡଳୀରେ ବିଜେପିର ନଜର ପଡିଛି । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନା ଦଖଲ ପାଇଁ 2019 ରୁ କେନ୍ଦ୍ରୀୟ ବିଜେପିର ଏକ ସ୍ବତନ୍ତ୍ର କୋର ଟିମ କାମ କରୁଛି । ଏହି ଟିମ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଯୋଗ ସୂତ୍ର ସ୍ଥାପନ କରି ରାଜ୍ୟରେ ସଂଗଠନର ଶକ୍ତିବଢାଇବାରେ ଲାଗିଛି । ମୋଟ 119 ଆସନରୁ କେନ୍ଦ୍ରୀୟ ବିଜେପି 60 ଟି ଆସନ ଉପରେ ସ୍ବତନ୍ତ୍ର ରଣନୀତି ନେଇ କାମ କରୁଛି । ଅବଶିଷ୍ଟ ଆସନକୁ 3 ଟି ଜୋନରେ ବିଭକ୍ତ କରି ପ୍ରତି ଜୋନ ପାଇଁ ଭିନ୍ନ ଭିନ୍ନ ରଣନୀତି ରଚନା କରୁଛି । ବିଜେପିର ନିଜସ୍ବ ସର୍ଭେ ଅନୁସାରେ ନିର୍ଦ୍ଦିଷ୍ଟ 40 ଟି ଆସନରେ ଦଳର ସଂଗଠନ ସେତେ ଶକ୍ତିଶାଳୀ ହୋଇପାରି ନାହିଁ । ଏଥିପାଇଁ ରାଜ୍ୟ ପ୍ରଭାରୀ ଥିବା ତରୁଣ ଚୁଗଙ୍କୁ ଏହି 40 ଆସନ ଉପରେ ଅଧିକ ଫୋକସ କରିବାକୁ ବିଜେପି ନିର୍ଦ୍ଦେଶ ଦେଇଛି ।

ଚଳିତ ବର୍ଷ ଶେଷ ଆଡକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ । କିନ୍ତୁ ବିଜେପି ଆଗାମୀ 8 ମାସର ଟାସ୍କ ଦଳୀୟ ନେତାଙ୍କୁ ପ୍ରଦାନ କରିସାରିଛି । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଆଗାମୀ 8 ମାସ ଦଳ ରାଜ୍ୟରେ ଛୋଟ ବଡ ଏକ ହଜାର ରାଲି, ସଭା ସମିତି କରିବ । ପ୍ରତି ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ ସଫଳତା କେସିଆର ସରକାରର ବିଫଳତା ନେଇ ଦଳ ପହଞ୍ଚିବ । ସାରା ରାଜ୍ୟରେ ସୁପ୍ତ ଅବସ୍ଥାରେ ଥିବା ସରକାର ବିରୋଧୀ ହାୱାକୁ ବିଜେପି ବୁଷ୍ଟର ଡୋଜ ଦେଇ ମାହୋଲ ସୃଷ୍ଟି କରିବ । ବିଜେପିର ଏହି ମେଗା ଯୋଜନା ହାଇଟେକ କାର୍ଯ୍ୟକ୍ରମ ଓ ପ୍ରତିଶୃତିର ପାହାଡକୁ ତେଲେଙ୍ଗାନାବାସୀ କେତେ ଗ୍ରହଣ କରୁଛନ୍ତି ଏବେ ସାରା ଦେଶକୁ ଅପେକ୍ଷା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.