ETV Bharat / bharat

ବିବାହ ପ୍ରସ୍ତାବରେ ରାଜି ନହେବାରୁ ନାବାଳିକାଙ୍କୁ ଗୁଳି କରି ହତ୍ୟା

author img

By ETV Bharat Odisha Team

Published : Aug 30, 2023, 9:52 PM IST

ପଞ୍ଜାମ ଅମୃତସରର ଅଜନାଲା ଅଞ୍ଚଳରେ ଅଭାବନୀୟ ଘଟଣା । ବିବାହ ପ୍ରସ୍ତାବରେ ମନା କରିବାରୁ ନାବାଳିକାଙ୍କୁ ଗୁଳି କରି ହତ୍ୟା । ଅଧିକ ପଢ଼ନ୍ତୁ

stalkar kills minor girl in Amritsar
ନାବାଳିକାଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼: ବିବାହ ପ୍ରସ୍ତାବରେ ମନା କରିବାରୁ ନାବାଳିକାଙ୍କୁ ଗୁଳି କରି ହତ୍ୟା । ପଞ୍ଜାମ ଅମୃତସରର ଅଜନାଲା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ବାରମ୍ବାର ବିବାହ ପାଇଁ ବାଧ୍ୟ କରିବା ପରେ ନାବାଳିକା ଏଥିରେ ରାଜି ନହେବାରୁ ଯୁବକ ଜଣକ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଛି । ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅଭିଯୋଗ ଅନୁଯାୟୀ, ଅଜନାଲା ଅଞ୍ଚଳର ଜଣେ ୨୩ ବର୍ଷୀୟ ଯୁବକ ଉକ୍ତ ଅଞ୍ଚଳର ୧୩ ବର୍ଷୀୟ ନାବାଳିକାକୁ ଏକ ତରଫା ପ୍ରେମ କରୁଥିଲା । ଅନେକ ସମୟରେ ନାବାଳିକାଙ୍କୁ ବାଟରେ ଅଟକାଇ ହଇରାଣ ହରକତ କରୁଥିଲା । ଏପରିକି ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲା । ଏନେଇ ନାବାଳିକା ନିଜ ଘରେ କହିଥିଲେ । କିଛି ମାସ ଧରି ଯୁବକ ଉକ୍ତ ନାବାଳିକାଙ୍କୁ ହଇରାଣ କରିବା ପରେ ପରିବାର ଲୋକେ ତାଙ୍କୁ ମାଉସୀ ଘରକୁ ପଠାଇ ଦେଇଥିଲେ । ଏହାପରେ ଯୁବକ ଜଣକ ନିଜ ସାଙ୍ଗ ମାନଙ୍କୁ ଧରି ନାବାଳିକାଙ୍କ ମାଉସୀ ଗ୍ରାମକୁ ପହଞ୍ଚିଥିଲା । ହଠାତ ନାବାଳିକାଙ୍କ ମାଉସୀ ଘରକୁ ପଶି ଆସି ଘଟାଇଥିଲା ଉନ୍ମତ୍ତ କାଣ୍ଡ । ବନ୍ଧୁକ ଧରି ନାବାଳିକାଙ୍କୁ ବିବାହ ପ୍ରସ୍ତାବରେ ରାଜି ହେବାକୁ କହିଥିଲା । କିନ୍ତୁ ନାବାଳିକା ଏଥିରେ ମନା କରିଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ନାବାଳିକାଙ୍କୁ ଗୁଳି ଚଳାଇଥିଲା । ତାଙ୍କ ବେକରେ ଗୁଳି ବାଜିଥିବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରଥମେ ଦୁଷ୍କର୍ମ, ପରେ ବିବାହ ପ୍ରସ୍ତାବ; ରାଜି ନହେବାରୁ ନାବାଳିକାକୁ ମାଡ

ପରିବାର ଲୋକଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣେ ମଦ୍ୟପ ଥିଲା । ଝିଅ ସହ ଜୋର ଜବରଦସ୍ତ ସମ୍ପର୍କ ରଖିବାକୁ ଚାହୁଁଥିଲା । ପୁଅର ଏଭଳି କାଣ୍ଡରେ ପରିବାର ଲୋକେ ମଧ୍ୟ ସମର୍ଥନ କରୁଥିଲେ । ତେଣୁ ଅଭିଯୁକ୍ତ ସମେତ ତା'ର ପରିବାରକୁ ମଧ୍ୟ କଠୋର ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.