ETV Bharat / bharat

Manipur: ଛୁଟିରେ ଘରକୁ ଫେରିଥିବା ଯବାନଙ୍କୁ ପୁଅ ସାମ୍ନାରେ ଅପହରଣ ପରେ ହତ୍ୟା

author img

By ETV Bharat Odisha Team

Published : Sep 17, 2023, 9:36 PM IST

ମଣିପୁରରେ ପୁଅ ସାମ୍ନାରେ ସେନା ଯବାନଙ୍କୁ ଘରୁ ଅପହରଣ କରି ହତ୍ୟା କଲେ ଉଗ୍ରବାଦୀ । ମିଳିଲା ଗୁଳିବିଦ୍ଧ ମୃତଦେହ । ଅଧିକ ପଢନ୍ତୁ

Manipur : ଛୁଟିରେ ଥିବା ଯବାନଙ୍କୁ ଘରୁ ଅପହରଣ ପରେ ହତ୍ୟା
Manipur : ଛୁଟିରେ ଥିବା ଯବାନଙ୍କୁ ଘରୁ ଅପହରଣ ପରେ ହତ୍ୟା

ଇମ୍ଫାଲ: ମଣିପୁରରେ ହିଂସାର ପୁଣି ଏକ ବର୍ବର ଚିତ୍ର ସାମ୍ନାକୁ ଆସିଛି । ଛୁଟିରେ ଘରକୁ ଯାଇଥିବା ସେନାର ଜଣେ ଯବାନଙ୍କୁ ଘରୁ ଅପହରଣ ପରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଶନିବାର କିଛି ଉଗ୍ରବାଦୀ ଯବାନଜଣଙ୍କୁ ନିଜ ପୁଅ ସାମ୍ନାରେ ଘରୁ ଅପହରଣ କରି ନେଇଥିଲେ । ଆଜି ତାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିଛି । କେଉଁ ଉଗ୍ରବାଦୀ ଗୋଷ୍ଠୀ ତାଙ୍କୁ ଅପହରଣ କରିଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନି । ତଦନ୍ତ ଆରମ୍ଭ ହୋଇଛି । ସେନା ମଧ୍ୟ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛି ।

ହତ୍ୟାର ଶିକାର ହୋଇଥିବା ଯବାନଙ୍କ ନାମ ସେପୟୋ ସର୍ଟୋ ଥାଙ୍ଗଥାଙ୍ଗ କୋମ (Sepoy Serto Thangthang Kom) । ସେ ଭାରତୀୟ ସେନାରେ ଜଣେ ଯବାନ ଭାବେ କାର୍ଯ୍ୟରତ ଥିଲେ । ଗତ କିଛି ଦିନ ତଳେ ସେ ଛୁଟିରେ ନିଜ ରାଜ୍ୟ ମଣିପୁରକୁ ଫେରିଥିଲେ । ଗତକାଲି(ଶନିବାର) ତାଙ୍କୁ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଥିବା ତାଙ୍କ ଘରୁ କିଛି ମାରଣାସ୍ତ୍ରଧାରୀ ଦୁର୍ବୃତ୍ତ ଯବାନଙ୍କ 10 ବର୍ଷୀୟ ପୁଅ ସାମ୍ନାରେ ତାଙ୍କୁ ଉଗ୍ରବାଦୀ ଅପହରଣ କରିନେଇଥିଲେ ।

ଯବାନଙ୍କ ପୁଅଙ୍କ କହିବା ଅନୁସାରେ, ପ୍ରାୟ 3ଜଣ ମାରଣାସ୍ତ୍ର ଧରିଥିବା ବ୍ୟକ୍ତି ହଠାତ ଘର ଭିତରେ ପ୍ରବେଶ କରି ତାଙ୍କ ବାପାଙ୍କୁ ମାଡ଼ ମାରିଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ଏକ ଗାଡ଼ିରେ ବସାଇ ଅପହରଣ କରିନେଇଥିଲେ । ପରିବାର ସଦସ୍ୟ ତାଙ୍କୁ ଅପହରଣ କରାଯାଇଥିବା ନେଇ ଏକ ମାମଲା ମଧ୍ୟ ରୁଜୁ କରିଥିଲେ । ତେବେ ଆଜି ପୂର୍ବାହ୍ନରେ ଇମ୍ଫାଲ-ପୂର୍ବ ମୋଙ୍ଗଜାମର ନିକଟବର୍ତ୍ତୀ ଖୁନିଙ୍ଗଟେକ୍ ଗ୍ରାମ ନିକଟରୁ ତାଙ୍କର ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ପରିବାର ସଦସ୍ୟଙ୍କୁ ସୂଚନା ଦେଇଥିଲା । ମୃତ ଯବାନଙ୍କ ଭାଇ ଓ ଭିଣୋଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି । ଯବାନଙ୍କ ମୁଣ୍ଡକୁ ଗୁଳି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- Manipur Violence: ୪ ମାସରେ ଯାଇଛି ୧୭୫ ଜୀବନ, ୧୧୦୮ ଆହତ

ଛୁଟିରେ ଘରକୁ ଯାଇଥିବା ଜଣେ ଯବାନଙ୍କୁ ଏପରି ହତ୍ୟାକୁ ନେଇ ସେନା ମଧ୍ୟ ଦୁଖଃ ପ୍ରକାଶ କରିଛି । ଘଟଣାସ୍ଥଳକୁ ସେନାର ଏକ ଟିମ୍‌ ମଧ୍ୟ ଆସୁଥିବା ସେନା ପକ୍ଷରୁ ସୂଚନା ମିଳିଛି । ଘଟଣାର ତଦନ୍ତ ଜାରି ରହିଥିବା ସ୍ଥାନୀୟ ପୋଲିସ କହିଛି । ହତ୍ୟାର ଶିକାର ଯବାନଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସେନା ପକ୍ଷରୁ ସ୍ଥାନୀୟ ପୋଲିସକୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.