ETV Bharat / bharat

Manipur Violence: ୪ ମାସରେ ଯାଇଛି ୧୭୫ ଜୀବନ, ୧୧୦୮ ଆହତ

author img

By ETV Bharat Odisha Team

Published : Sep 15, 2023, 12:49 PM IST

ଗତ ମେ' ମାସରୁ ମଣିପୁରରେ ଚାଲିଥିବା ହିଂସାକାଣ୍ଡରେ ୧୭୫ ଜଣଙ୍କ ଜୀବନ ଯାଇଛି । ୧,୧୦୮ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ମଣିପୁର ହିଂସା
ମଣିପୁର ହିଂସା

ଇମ୍ଫାଲ: ଆଜକୁ ୪ ମାସ ବିତିଗଲାଣି, ଆୟତ୍ତ ହେଉନି ମଣିପୁର ନିଆଁ । ସଂରକ୍ଷଣକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ସଂଘର୍ଷରେ ବିରାମ ଲାଗୁନି । କେବେ ଏହି ହିଂସାରେ ବ୍ରେକ ଲାଗିବ, ତାହାର ଉତ୍ତର ବି କାହା ପାଖରେ ନାହିଁ । ଗତ ମେ' ମାସରୁ ଜାରି ରହିଥିବା ଏହି ସଂଘର୍ଷରେ ଅଦ୍ୟାବିଧି ୧୭୫ ଜଣଙ୍କ ଜୀବନ ଗଲାଣି । ପ୍ରାୟ ୧,୧୦୮ ଜଣ ଆହତ ହୋଇଥିବା ବେଳେ ୩୨ ଜଣଙ୍କ ପତ୍ତା ମିଳୁନି । ଦଙ୍ଗାକାରୀମାନେ ରାଜ୍ୟରେ ୪,୭୮୬ଟି ଘର ଜାଳି ଦେଇଛନ୍ତି । ପ୍ରାୟ ୩୮୬ଟି ଧାର୍ମିକ ସ୍ଥଳୀରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଏନେଇ ଆଇଜିପି(ଅପରେସନ) ଆଇ.କେ ମୁଇଭା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ଆଇଜିପି କହିଛନ୍ତି ଯେ, ମଣିପୁରରେ ଏଭଳି ଆହ୍ବାନପୂର୍ଣ୍ଣ ସମୟରେ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ ଓ ପ୍ରଶାସନ ସ୍ବାଭିବିକ ସ୍ଥିତି ଫେରାଇ ଆଣିବାକୁ ଅହରହ ପ୍ରଚେଷ୍ଟା କରୁଛନ୍ତି । ଲୁଟ୍ ହୋଇଥିବା ୧,୩୫୯ଟି ଅସ୍ତ୍ରଶସ୍ତ୍ର ଓ ୧୫,୦୫୦ଟି ଗୋଳାବାରୁଦ ଉଦ୍ଧାର କରାଯାଇଛି । ହିଂସା ସମୟରେ ଦଙ୍ଗାକାରୀମାନେ ଅସ୍ତ୍ରାଗାରରୁ ବିପୁଳ ସଂଖ୍ୟାକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ । ରାଜ୍ୟରେ ମୋଟ ୫,୧୭୨ଟି ପୋଡାଜଳା ମାମଲା ରୁଜୁ ହୋଇଛି । ୨୫୪ଟି ଚର୍ଚ୍ଚ ଓ ୧୩୪ଟି ମନ୍ଦିରରେ ପଶି ଉପଦ୍ରବୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ବର୍ତ୍ତମାନ ବିଷ୍ଣପୁର ଜିଲ୍ଲାର ଫୌଗାକଚାଓ ଇକାଇରୁ ଚୁରାଚାନ୍ଦପୁର ଜିଲ୍ଲାର କାଙ୍ଗବଇ ଯାଏଁ ସୁରକ୍ଷା ବ୍ୟାରିକେଡ ହଟାଇ ଦିଆଯାଇଥିବା ବେଳେ ଜାତୀୟ ରାଜପଥରେ ସୁରକ୍ଷା କଡାକଡା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Manipur: ପୁଣି ହିଂସା, ଦଙ୍ଗାକାରୀଙ୍କ ଗୁଳିରେ 3 ମୃତ

ଆଇଜିପି(ପ୍ରଶାସନ) କେ ଜୟନ୍ତ କହିଛନ୍ତି ଯେ, ହିଂସାରେ ଏବେସୁଦ୍ଧା ୧୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୯ ଜଣଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନି । ଇମ୍ଫାଲ ସ୍ଥିତ ଆରଆଇଏମଏସ ଓ ଜେଏନଆଇଏମଏସ ହସ୍ପିଟାଲରେ ଯଥାକ୍ରମେ ୨୮ ଓ ୨୬ଟି ମୃତଦେହ ବର୍ତ୍ତମାନ ସୁଦ୍ଧା ପଡିରହିଛି । ଚୁରାଚାନ୍ଦପୁର ହସ୍ପିଟାଲରେ ୪୨ଟି ମୃତଦେହ ଅଛି । ହିଂସା ଘଟଣାରେ ବିଭିନ୍ନ ଥାନାରେ ୯,୩୩୨ଟି ମାମଲା ରୁଜୁ ହୋଇଥିବା ବେଳେ ୩୨୫ ଜଣଙ୍କୁ ଗିରଫ କରାଯାଇଛି ।

ଗତ ମେ' ୩ ତାରିଖରେ ଚୁରାଚାନ୍ଦପୁରରେ ମେଇତି ସମ୍ପ୍ରଦାୟର ଏକ ପ୍ରତିବାଦ ଶୋଭାଯାତ୍ରା ସମୟରେ ହିଂସାର ସୂତ୍ରପାତ ହୋଇଥିଲା । ସଂରକ୍ଷଣକୁ ନେଇ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିଲେ । ଏହି ସାମ୍ପ୍ରଦାୟିକ ହିଂସା କ୍ରମଶଃ ସାରା ରାଜ୍ୟକୁ ନିଆଁ ଭଳି ବ୍ୟାପି ଯାଇଥିଲା । ଚାରିଆଡେ ଆକ୍ରମଣ, ହତ୍ୟା, ପୋଡାଜଳା, ଭଙ୍ଗାରୁଜା ଦେଖିବାକୁ ମିଳିଥିଲା । ଏସବୁ ମଧ୍ୟରେ ସବୁଠୁ ହୃଦୟ ବିଦାରକ ଥିଲା ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା । ଏହି ଲଜ୍ଜାଜନକ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.