ETV Bharat / bharat

ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

author img

By

Published : Mar 5, 2023, 10:06 AM IST

ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ନିଶାସକ୍ତ ଯାତ୍ରୀ । ଅଭିଯୁକ୍ତ ଯାତ୍ରୀ ଆମେରିକା ବିଶ୍ବବିଦ୍ୟାଳୟର ଛାତ୍ର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ
ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ନିଶାସକ୍ତ ଯାତ୍ରୀ । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଆମେରିକାର ଏୟାରଲାଇନ୍ସ ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ଯାତ୍ରୀ ନିଜର ସହଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ବିମାନ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି । ତେବେ ସେହି ଯାତ୍ରୀ ଜଣକ ଆମେରିକା ବିଶ୍ବବିଦ୍ୟାଳୟର ଛାତ୍ର ହୋଇଥିବା ଖବର ମିଳିଛି ।

ସୂଚନା ମୁତାବକ, ଶୁକ୍ରବାର ରାତି ୯ଟା ୧୬ ମିନିଟ୍‌ରେ ଆମେରିକାନ ଏୟାରଲାଇନ୍ସର AA292 ବିମାନ ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ପ୍ରାୟ ୧୪ ଘଣ୍ଟା ୨୬ ମିନିଟ୍‌ର ଯାତ୍ରା ପରେ ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା । ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଯାତ୍ରା ସମୟରେ ଜଣେ ଯାତ୍ରୀ ଶୋଇଥିବା ଅବସ୍ଥାରେ ବିମାନରେ ପରିସ୍ରା କରିଦେଇଥିଲେ । ପରିସ୍ରା ଲିକ୍ ହୋଇ ତାଙ୍କ ସହଯାତ୍ରୀଙ୍କ ଉପରେ ପଡିଥିଲା । ଏନେଇ ସହଯାତ୍ରୀ କ୍ରୁ ନିକଟରେ ଅଭିଯୋଗ କରିଥିଲେ ।

ଏହାପରେ ପରିସ୍ରା କରିଥିବା ଯାତ୍ରୀ ଜଣକ ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ସେ ଜଣେ ଛାତ୍ର ହୋଇଥିବାରୁ ତାଙ୍କ କ୍ୟାରିଅର କଥା ଚିନ୍ତା କରି ସହଯାତ୍ରୀ ପୋଲିସରେ ଅଭିଯୋଗ କରିନଥିଲେ । ହେଲେ କ୍ରୁ ମେମ୍ବର ଏକଥା ଜାଣି ପାଇଲଟଙ୍କୁ ଅବଗତ କରିଥିଲେ । ପାଇଲଟ ଏ ସମ୍ପର୍କରେ ଦିଲ୍ଲୀ ବିମାନ ବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲଙ୍କୁ ଜଣାଇଥିଲେ । ଏହାପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଆଇଏସଏଫ୍(CISF) କର୍ମଚାରୀଙ୍କୁ ଏ ବିଷୟରେ ଅବଗତ କରିବାରୁ ଅଭିଯୁକ୍ତ ଯାତ୍ରୀ ଦିଲ୍ଲୀରେ ପହଞ୍ଚିବା ପରେ ସେମାନେ ତାଙ୍କୁ ହେପାଜତକୁ ନେଇ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଯାତ୍ରୀ ଜଣକ ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: Pee on Passenger: ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ଏହି ଯୁବକ, ଗଲା ଚାକିରି

କିଛି ମାସ ତଳେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ପାଖରେ ବସିଥିଲା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଚାରିଆଡେ ଚହଳ ପକାଇଥିଲା । ଶଙ୍କର ମିଶ୍ରା ନାମକ ବ୍ୟକ୍ତି ମଦ ନିଶାରେ ଜଣେ ବୃଦ୍ଧା ଯାତ୍ରୀଙ୍କ ଉପରେ ପରିସ୍ରା କରିପକାଇଥିଲେ । ଏଥିପାଇଁ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲାଗୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.