ETV Bharat / bharat

Death Threats: ଶରଦ ପାୱାର-ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

author img

By

Published : Jun 9, 2023, 1:49 PM IST

ଏନସିପି ମୁଖ୍ୟ ଶରଦ ପାୱର ଓ ସଞ୍ଜୟ ରାଉତଙ୍କୁ ମିଳିଲା ହତ୍ୟା ଧମକ । ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଲେ ସୁପ୍ରିୟା ସୁଲେ । ଅଧିକ ପଢନ୍ତୁ

ଶରଦ ପାୱାର-ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ
ଶରଦ ପାୱାର-ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

ମୁମ୍ବାଇ: ନ୍ୟାସନାଲ କଂଗ୍ରେସ ପାର୍ଟି(NCP) ସୁପ୍ରିମୋ ଶରଦ ପାୱାରଙ୍କୁ ହତ୍ୟା ଧମକ । ଏନସିପି ସାଂସଦ ତଥା ଝିଅ ସୁପ୍ରିୟା ସୁଲେଙ୍କ ହ୍ବାର୍ଟ୍ସଆପରେ ଧମକ ମିଳିଛି । ଏକ ଅଜଣା ୱେବସାଇଟରୁ ତାଙ୍କ ହ୍ବାର୍ଟ୍ସଆପକୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି । ବାପାଙ୍କୁ ଏମିତି ଧମକ ମିଳିବା ନେଇ ସୁପ୍ରିୟା ଥାନାରେ ଅଭିଯୋଗ କରିବା ସହ ମାମଲାରେ ମହାରାଷ୍ଟ୍ର ସରକାର ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ସୁପ୍ରିୟା ସୁଲେ ସମ୍ବାଦ ସରବରାହ ସଂସ୍ଥା ANIକୁ କହିଛନ୍ତି, ଶରଦ ପାୱାରଙ୍କୁ ହତ୍ୟା ପାଇଁ ମୋ ହ୍ବାର୍ଟ୍ସଆପକୁ ଏକ ମେସେଜ ଆସିଛି । ଗୋଟିଏ ୱେବସାଇଟରୁ ମେସେଜଟି ମିଳିଛି । ତେଣୁ ନ୍ୟାୟ ପାଇଁ ମୁଁ ପୋଲିସ ପାଖରେ ପହଞ୍ଚିଛି ଏବଂ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ନିବେଦନ କରିଛି । ହତ୍ୟା ଧମକ ଦେବା ଭଳି ଘୃଣ୍ୟ ରାଜନୀତି ବନ୍ଦ ହେବା ଉଚିତ୍ । ଶରଦ ପାୱରଙ୍କ ସୁରକ୍ଷା ଗୃହ ମନ୍ତ୍ରଣାଳୟର ଦାୟିତ୍ବ । ତେଣୁ ଏହି ମାମଲାରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶାହା ହସ୍ତକ୍ଷେପ କରିବା ଉଚିତ୍ । ମୁଁ ପୋଲିସକୁ ଧମକପୂର୍ଣ୍ଣ ମେସେଜ ସମ୍ପର୍କରେ ଜଣାଇଛି ଏବଂ ସେମାନେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ସଞ୍ଜୟ ରାଉତଙ୍କୁ ଗୁଳି କରି ହତ୍ୟା ଧମକ: ଅନ୍ୟପଟେ ଉଦ୍ଧବ ଠାକରେଙ୍କ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟ ହତ୍ୟା ଧମକ ଆସିଛି । କେହି ଅଜଣା ବ୍ୟକ୍ତି ଗତକାଲି ତାଙ୍କ ଭାଇ ସୁନୀଲ ରାଉତଙ୍କୁ ଫୋନ କରି ସଞ୍ଜୟଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ଦେଇଛି । ଏହି ଫୋନ ବାର୍ତ୍ତାଳାପ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଫୋନ କରିଥିବା ବ୍ୟକ୍ତି ଜଣକ ହିନ୍ଦୀରେ କଥାବାର୍ତ୍ତା କରିଥିଲା । ସେ ସଞ୍ଜୟଙ୍କୁ ସମ୍ବାଦିକ ସମ୍ମିଳନୀ ନ କରିବାକୁ କହିଥିଲା ଏବଂ କଥା ନମାନିଲେ ଗୁଳି କରିବ ବୋଲି ଧମକ ଦେଇଥିଲା । ଭାଇରାଲ ଅଡିଓରେ ଉଭୟ ପଟୁ ଅସଭ୍ୟ ଭାଷାରେ ଗାଳିଗୁଲଜ ହେଉଥିବା ମଧ୍ୟ ଶୁଣିବାକୁ ମିଳୁଛି ।

ପୂର୍ବରୁ ଅନେକ ଥର ଶିବସେନା ନେତାଙ୍କୁ ଧମକ ମିଳିଛି । ଗତ ଏପ୍ରିଲରେ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ ମିଳିଥିଲା । ଧମକ ଦେଇଥିବା ଯୁବକଙ୍କୁ ପୋଲିସ ପୁଣେରୁ ବାନ୍ଧିଥିଲା । ତେବେ ମହାରାଷ୍ଟ୍ରର ଦୁଇ ଦୁଇ ଜଣ ବରିଷ୍ଠ ରାଜନେତାଙ୍କୁ ଏମିତି ହତ୍ୟା ଧମକ ମିଳିବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.