ETV Bharat / bharat

Services Row: କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ଜୁନ 11ରେ AAPର ମହାରାଲି

author img

By

Published : May 22, 2023, 8:39 PM IST

ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଜୁନ 11 ରେ ରାସ୍ତାକୁ ଓହ୍ଲାଇବ AAP । ଏପଟେ ରାଜନୈତିକ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

Services row: କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ଜୁନ 11 ରେ AAP ର ମହାରାଲି
Services row: କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ଜୁନ 11 ରେ AAP ର ମହାରାଲି

ନୂଆଦିଲ୍ଲୀ: ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ସର୍ବୋଚ୍ଚ କୋର୍ଟରୁ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଆସିବା ପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ରାସ୍ତାକୁ ଓହ୍ଲାଇବ ଆମ ଆଦମୀ ପାର୍ଟି । ଦଳ ଆସନ୍ତା ମାସ (ଜୁନ) 11 ତାରିଖରେ ଏକ ଐତିହାସିକ ରାମଲୀଳା ମୈଦାନରେ ମହାରାଲି କରିବାକୁ ଯାଉଛି । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ‘କଳା ଅଧ୍ୟାଦେଶ’ ବୋଲି ଦଳ କହିଛି ।

ଆଜି ଦଳ ପକ୍ଷରୁ ଆୟୋଜିତ ଏକ ପ୍ରେସମିଟରେ ଦିଲ୍ଲୀ ଆବାହକ ଗୋପାଳ ରୟ କହିଛନ୍ତି, ‘‘ଏହି ଅଧ୍ୟାଦେଶ ଜାରି କରିବା କେନ୍ଦ୍ରର ଏକଛତ୍ରବାଦ ନିଷ୍ପତ୍ତି । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଆଣିଥିବା ଏହି ଅଦ୍ୟାଦେଶ ସମଗ୍ର ଦେଶ ପାଇଁ ଏକ କଳା ଅଧ୍ୟାଦେଶ । ଏହା ଏକ ଛତ୍ରବାଦର ଏକ ଉଦାହରଣ ମଧ୍ୟ । ଏହା ବିରୋଧରେ ଆମ ଆଦମୀ ପାର୍ଟି ଏକ ମହାରାଲିର ଆୟୋଜନ କରିବାକୁ ଯାଉଛି । 11 ଜୁନରେ ଦିଲ୍ଲୀର ରାମଲୀଳା ମୈଦାନରେ ଏହି ମହାରାଲି ହେବ । ବହୁସଂଖ୍ୟାରେ ଜନତା ଏଥିରେ ସାମିଲ ହୁଅନ୍ତୁ ।’’

ଦିଲ୍ଲୀ ସରକାରଙ୍କ ସପକ୍ଷରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ସରକାର ମେ’ 19 ତାରିଖରେ ଏହି ଅଧ୍ୟାଦେଶ ଆଣିଥିଲା । ଜାରି ଅଧ୍ୟାଦେଶ ଅନୁସାରେ, ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନିଷ୍ପତ୍ତି ଦିଲ୍ଲୀ ସରକାର ନୁହନ୍ତି ବରଂ ନ୍ୟାସନାଲ କ୍ୟାପିଟାଲ ସର୍ଭିସ ଅଥରିଟି ନିକଟରେ ନ୍ୟସ୍ତ ହେବ । ଏହି ପ୍ରାଧିକରଣରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ସଦସ୍ୟ ଭାବେ ରହିବେ । ହେଲେ କେବଳ ସଦସ୍ୟଙ୍କ ବହୁମତ ଆନୁପାତିକ ଭାବେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ । ନଚେତ ମାମଲା ଉପରାଜ୍ୟପାଳଙ୍କ ନିକଟରେ ପହଞ୍ଚିବ ଓ ରାଜଭବନ ହିଁ ଚୂଡାନ୍ତ ନିର୍ଣ୍ଣୟକାରୀ ହେବ ।

କେନ୍ଦ୍ର ପକ୍ଷରୁ ଏହି ଅଧ୍ୟାଦେଶ ଜାରି କରାଯିବା ପରେ ଦିଲ୍ଲୀ ସରକାର ଏହାକୁ ତୀବ୍ର ବିରୋଧ କରିବା ସହ ଚ୍ୟାଲେଞ୍ଜ କରିବା ପାଇଁ ଗ୍ରୀଷ୍ମ ଅବକାଶ ପରେ ସୁପ୍ରିମକୋର୍ଟ ଖୋଲିବାକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ଏକାଧିକ ବିରୋଧୀ ରାଜନୈତିକ ଦଳ ମଧ୍ୟ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରହିଥିବା କହିସାରିଛନ୍ତି । ସେହିପରି 24 ଓ 25 ରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମୁମ୍ବାଇ ଗସ୍ତ କରି ଏନସିପି ନେତା ଶରଦ ପାଓ୍ବାର ଓ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବେ । ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଦଳ ଗୋଟିଏ ପଟେ ରାଜନୈତିକ ସମର୍ଥନ ଯୋଗାଡ କରିବା ସହ ଏବେ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.