ETV Bharat / bharat

ଋଣ କରି ପୁଅକୁ ପାଠ ପଢାଉଛନ୍ତି ରାଜସ୍ଥାନର ଭାବି ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 13, 2023, 10:03 PM IST

(Rajasthan CM Elect Bhajan Lal Sharma is educating his son by taking education loan)ଋଣ କରି ପୁଅକୁ ପାଠ ପଢାଉଛନ୍ତି ରାଜସ୍ଥାନର ଭାବି ମୁଖ୍ୟମନ୍ତ୍ରୀ । ପ୍ରଥମ ଥରର ବିଧାୟକ ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଋଣ କରି ପୁଅକୁ ପାଠ ପଢାଉଛନ୍ତି ରାଜସ୍ଥାନର ଭାବି ମୁଖ୍ୟମନ୍ତ୍ରୀ
ଋଣ କରି ପୁଅକୁ ପାଠ ପଢାଉଛନ୍ତି ରାଜସ୍ଥାନର ଭାବି ମୁଖ୍ୟମନ୍ତ୍ରୀ

ଜୟପୁର: 3 ରାଜ୍ୟରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଭାବେ 3 ଅପ୍ରତ୍ୟାଶିତ ଚେହେରାଙ୍କୁ ଚୟନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଶେଷରେ ଘୋଷଣା ହୋଇଥିବା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭଜନଲାଲ ଏକାଧିକ ହେଭିଓ୍ବେଟଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ଭାବେ ଦଳ ପକ୍ଷରୁ ଚୟନ ହେବା ପରେ ତାଙ୍କ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ସବୁଠୁ ଆଗରେ ରହିଛି ତାଙ୍କର ଆର୍ଥିକ ପୃଷ୍ଠଭୂମି । ପୁଅର ପାଠପଢା ପାଇଁ 16.53 ଲକ୍ଷ ଟଙ୍କାର ଲୋନ କରିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଜନଲାଲ ।

ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପୁଅର ଉଚ୍ଚଶିକ୍ଷା ପାଇଁ 16.53 ଲକ୍ଷ ଟଙ୍କାର ଏକ ଲୋନ ନେଇଥିବା ସହ ଏସବିଆଇରୁ ମଧ୍ୟ ଅନ୍ୟ କାରଣ ପାଇଁ 29.46 ଲକ୍ଷ ଟଙ୍କାର ଲୋନ ନେଇଛନ୍ତି । ସେହିପରି ତାଙ୍କ ନାମରେ ଥିବା ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ 1.3 କୋଟି ବୋଲି ତାଙ୍କ ନିର୍ବାଚନୀ ସତ୍ୟପାଠରୁ ଜଣାପଡିଛି । ଏହାକୁ ତୁଳନାତ୍ମକ ଭାବେ ଦେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ତୂଳନାରେ ବେଶ ପଛରେ ରହିଛନ୍ତି ଭଜନ । କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହନ୍ତି,ବରଂ ବହୁ ବିଧାୟକଙ୍କ ସମ୍ପତ୍ତି ମଧ୍ୟ ଭଜନଲାଲଙ୍କ ଠାରୁ ଢେର ଅଧିକ ରହିଛି ।

ଏହା ମଧ୍ୟ ପଢନ୍ତୁ :- ପ୍ରଥମ ଦିନରୁ ଆକ୍ସନ ମୋଡରେ ମୋହନ, ମଧ୍ୟ ପ୍ରଦେଶର ସବୁ ଧର୍ମାନୁଷ୍ଠାନରେ ବ୍ୟାନ ହେଲା ଲାଉଡସ୍ପିକର

ଆଜି ଦୁଇ ରାଜ୍ୟ ମଧ୍ୟ ପ୍ରଦେଶ ଓ ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଓ ବିଷ୍ଣୁଦେବ ସାଏ ଶପଥ ଗ୍ରହଣ କରିସାରିଛନ୍ତି । ଆସନ୍ତା 15 ତାରିଖରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଭଜନଲାଲ ଶର୍ମା ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଗତକାଲି (ମଙ୍ଗଳବାର) ଆଶ୍ଚର୍ଯ୍ୟଜନକ ଭାବେ ବିଧାୟକ ଦଳ ବୈଠକରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ବିଧାୟକ ଦଳ ବୈଠକ ଆରମ୍ଭ ହେବା ପୂର୍ବରୁ ପାର୍ଟି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ତୃତୀୟ ଧାଡିର ଏକ କଣରେ ବସିଥିବା ନଜର ଆସିଥିଲା ଶର୍ମା । ପ୍ରଥମରୁ ତାଙ୍କ ନାମ ଆଦୌ ଚର୍ଚ୍ଚାରେ କିମ୍ବା ସମ୍ଭାବିତ ମୁଖ୍ୟମନ୍ତ୍ରୀ ତାଲିକାରେ ନଥିବା ବେଳେ ପ୍ରଥମ ଥରର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ବିଜେପିର ରଣନୀତି ରାଜନୀତି ସମୀକ୍ଷକଙ୍କ ଅଙ୍କ ଭୁଲ କରିଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.