ETV Bharat / bharat

ରବିବାର ଚୂଡାନ୍ତ ହେବ କଂଗ୍ରେସର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

author img

By

Published : Feb 3, 2022, 5:10 PM IST

ରବିବାର କଂଗ୍ରେସ ସ୍ପଷ୍ଟ କରିପାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ରାହୁଲ ଗାନ୍ଧୀ କରିପାରନ୍ତି ଆନୁଷ୍ଠାନିକ ଘୋଷଣା । ଜନମତ ଆଧାରରେ ନିଆଯାଇପାରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ରବିବାର ଚୂଡାନ୍ତ ହୋଇପାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ରବିବାର ଚୂଡାନ୍ତ ହୋଇପାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଦ୍ବନ୍ଦ ମଧ୍ୟ ବଢିବାରେ ଲାଗିଛି । ଚଳିତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ ଆଶାୟୀ ପ୍ରାର୍ଥୀ ତାଲିକାର ଦୌଡରେ ସବୁଠୁ ଆଗରେ ଥିବା ବେଳେ ରବିବାର ଏହି ଚର୍ଚ୍ଚା ଓ ଦ୍ବନ୍ଦର ଅବସାନ ଘଟିପାରେ । ଦଳର କେନ୍ଦ୍ରୀୟ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଚୂଡାନ୍ତ ଘୋଷଣା କରିପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (APP) ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ପଷ୍ଟ କରିସାରିଛି । ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପୂର୍ବରୁ ଫୋନକଲ ମାଧ୍ୟମରେ ପଞ୍ଜାବବାସୀଙ୍କ ଜନମତ ସଂଗ୍ରହ କରିଥିଲା । କଂଗ୍ରେସ ମଧ୍ୟ ଉକ୍ତ ମାଧ୍ୟମକୁ ଆପଣାଇବା ନେଇ ପ୍ରସ୍ତୁତି ଚଳାଇଛି । ସେହିପରି ବିଜେପି କ୍ୟାପଟେନଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ସହ ମେଣ୍ଟରେ ନିର୍ବାଚନ ଲଢୁଥିବାରୁ ମୁଖ୍ୟମନ୍ତ୍ରୀ ପଦ ସ୍ପଷ୍ଟ ହେବାର କୌଣସି ଅବକାଶ ନଥିବା ପରି ଦୃଶ୍ଯମାନ ହେଉଛି । ସେହିକ୍ରମରେ କ୍ଷମତାରେ ଥିବା କଂଗ୍ରେସ ମଧ୍ୟରେ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ସର୍ବାଧିକ ଛକାପଞ୍ଝା ଲାଗି ରହିଛି ।

ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ସୂଚନା ଦେଇ କହିଥିଲେ ଯେ, ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ପଷ୍ଟ କରିବ ଦଳ । ତେବେ ଏକାଧିକ ଆଶାୟୀଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରି ପ୍ରାର୍ଥୀ ଚୂଡାନ୍ତ କରିବା ଦଳ ପାଇଁ ସାମାନ୍ୟ କଷ୍ଟସାଧ୍ୟ ବ୍ୟାପାର ପରି ଅନୁମାନ କରୁଛନ୍ତି ରାଜନୈତିକ ବିଶେଷଜ୍ଞ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଦଳରେ ସର୍ବାଧିକ ଲୋକପ୍ରିୟ ବୋଲି ମଧ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଅନ୍ୟ ଏକ ଦଳୀୟ ନିଷ୍ପତ୍ତି ମଧ୍ୟ ଭିନ୍ନ ଏକ ସଙ୍କେତ ପ୍ରଦାନ କରିଛି । ଗତକାଲି ଉତ୍ତରାଖଣ୍ଡ ପାଇଁ ଦଳ ତାର ତାରକା ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇଥିବା ବେଳେ ବାଦ ପଡିଛନ୍ତି ପ୍ରଦେଶ କଂଗ୍ରେସ ମୁଖ୍ୟ ସିଦ୍ଧୁ । ଏସବୁ ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡାନ୍ତ ହେବା ସୂତ୍ରରୁ ସୂଚନା ମିଳିବା ପରେ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.