ETV Bharat / bharat

ମୂଷା ଖାଇଗଲା ୧୯ କିଗ୍ରା ଗଞ୍ଜେଇ, ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

author img

By

Published : Jan 10, 2023, 9:47 AM IST

ବେଆଇନ ଗଞ୍ଜେଇ ବିକ୍ରି ଅଭିଯୋଗରେ ୩ଜଣ ମହିଳାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩୦ କିଗ୍ରା ଗଞ୍ଜେଇ ଜବତ କରିଥିଲା ତାମିଲନାଡ଼ୁର କୋୟମ୍ବେଡ଼ୁ ପୋଲିସ । ଏହି ମାମଲାର ଶୁଣାଣି ବେଳେ କେବଳ ୧୧ କିଗ୍ରା ଗଞ୍ଜେଇ କୋର୍ଟରେ ଦାଖଲ କରିଥିଲା ପୋଲିସ । ବଳକା ୧୯ କିଗ୍ରା ଗଞ୍ଜେଇ ମୂଷା ଖାଇଦେଇଥିବା ପୋଲିସ ସୂଚନା ଦେଇଛି । ଫଳରେ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

ମୂଷା ଖାଇଗଲା ୧୯ କିଗ୍ରା ଗଞ୍ଜେଇ
ମୂଷା ଖାଇଗଲା ୧୯ କିଗ୍ରା ଗଞ୍ଜେଇ

ଚେନ୍ନାଇ: ତାମିଲନାଡ଼ୁର ଚେନ୍ନାଇସ୍ଥିତ କୋୟମ୍ବେଡ଼ୁ ବସ ଷ୍ଟାଣ୍ଡରେ ବେଆଇନ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣ ମହିଳାଙ୍କୁ ୨୦୧୮ ମସିହାରେ ଗିରଫ କରି ଜେଲ ପଠାଇଥିଲା କୋୟମ୍ବେଡ଼ୁ ପୋଲିସ । ଏହି ମାମଲାରେ ସେମାନଙ୍କଠାରୁ ୩୦ କିଗ୍ରା ଗଞ୍ଜେଇ ଜବତ ହୋଇଥିବା ପୋଲିସ ସୂଚନା ଦେଇଥିଲା । ତେବେ କୋର୍ଟରେ ଏହି ମାମଲାର ଶୁଣାଣୀ ବେଳେ କେବଳ ୧୧ କିଗ୍ରା ଗଞ୍ଜେଇ ଦାଖଲ କରିଥିଲା ପୋଲିସ । ବଳକା ୧୯ କିଗ୍ରା ଗଞ୍ଜେଇ ବିଷୟରେ କୋର୍ଟ ପଚାରିବାରୁ ଏହାକୁ ମୂଷା ଖାଇଯାଇଥିବା ଲିଖିତ ଭାବେ କୋର୍ଟଙ୍କୁ ଜଣାଇଛି ପୋଲିସ ।

ପୋଲିସ କୋର୍ଟଙ୍କୁ ଲିଖିତ ଭାବେ ଦେଇଥିବା ସୂଚନା ଅନୁସାରେ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ସମସ୍ତ ୩୦ କିଗ୍ରା ଗଞ୍ଜେଇ ଟେଷ୍ଟିଂ ପାଇଁ ଥାନାରେ ରଖାଯାଇଥିଲା । କିନ୍ତୁ ଥାନା ବିଲ୍ଡିଂର ସ୍ଥିତି ଅତ୍ୟନ୍ତ ଖରାପ । ବର୍ଷା ଯୋଗୁଁ ଏହି ବିଲ୍ଡିଂ ଅସୁରକ୍ଷିତ ହୋଇପଡ଼ିଛି । ତେବେ ମୂଷା ଖାଇଯିବାରୁ ଏହି ଗଞ୍ଜେଇର ପରିମାଣ କମିଯାଇଛି ବୋଲି ପୋଲିସ କୋର୍ଟଙ୍କୁ ଜଣାଇଛି । ପୋଲିସର ଏଭଳି ପ୍ରତିକ୍ରିୟାରେ ଅସନ୍ତୁଷ୍ଟ ହୋଇ ବିଚାରପତି ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନଙ୍କ ବିରୋଧରେ କୌଣସି ସଠିକ ପ୍ରମାଣ ନଥିବାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୩ ଅଭିଯୁକ୍ତ ।

ସେହିଭଳି ଉତ୍ତରପ୍ରଦେଶ ପୋଲିସ ୨୦୧୮ ମସିହାରେ ଚୋରାଚାଲାଣକାରୀଙ୍କ ଠାରୁ ୫୮୧ କିଗ୍ରା ଗଞ୍ଜେଇ ଜବତ କରିଥିଲା । ଏହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । ଏହାକୁ ପୋଲିସ ଗୋଦାମ ଗୃହରେ ରଖିଥିଲା । ତେବେ ଏହି ମାମଲାର ଶୁଣାଣି ବେଳେ ପୋଲିସ ଜବତ ହୋଇଥିବା ଗଞ୍ଜେଇ କୋର୍ଟରେ ଦାଖଲ କରିପାରିନଥିଲା । ୫୮୧ କିଗ୍ରା ଗଞ୍ଜେଇ ମୂଷା ଖାଇ ଦେଇଥିବା ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.