ETV Bharat / bharat

ମୋଦି-ହାରିସ ଭେଟଘାଟ, କେମିତି ରହିବ ହାଇପ୍ରୋଫାଇଲ ନେତାଙ୍କ ସାକ୍ଷାତ ?

author img

By

Published : Sep 23, 2021, 10:30 PM IST

ଗୁରୁବାର ବିଳମ୍ବିତ ରାତିରେ ୱାଶିଂଟନରେ ହେବ ମୋଦି-ହାରିସ ଭେଟଘାଟ । ଅନେକ ଦିଗରୁ ଏହି ସାକ୍ଷାତ ବେଶ ଖାସ ହେବାକୁ ଯାଉଛି । କାରଣ ପ୍ରଥମ ଥର କୌଣସି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଉପରାଷ୍ଟ୍ରପତି ଆମେରିକା ମାଟିରେ ହିଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ କରିବେ ସ୍ବାଗତ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ...

କମଲା ହାରିସଙ୍କୁ ଭେଟିବେ ମୋଦି, କେମିତି ରହିବ ହାଇପ୍ରୋଫାଇଲ ନେତାଙ୍କ ସାକ୍ଷାତ ?
କମଲା ହାରିସଙ୍କୁ ଭେଟିବେ ମୋଦି, କେମିତି ରହିବ ହାଇପ୍ରୋଫାଇଲ ନେତାଙ୍କ ସାକ୍ଷାତ ?

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି କମଲା ହାରିସଙ୍କୁ କରିବେ ସାକ୍ଷାତ । ଗୁରୁବାର ବିଳମ୍ବିତ ରାତିରେ ୱାଶିଂଟନରେ ହେବ ଏହି ଭେଟଘାଟ । ଅନେକ ଦିଗରୁ ଏହି ସାକ୍ଷାତ ବେଶ ଖାସ ହେବାକୁ ଯାଉଛି । କାରଣ ପ୍ରଥମ ଥର କୌଣସି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଉପରାଷ୍ଟ୍ରପତି ଭାବେ ଆମେରିକା ମାଟିରେ ହିଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ କରିବେ ସ୍ବାଗତ ସମ୍ବର୍ଦ୍ଧନା ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ପୂର୍ବରୁ ଉପରାଷ୍ଟ୍ରକପତି କମଲା ହାରିସଙ୍କ ସହ ମୋଦିଙ୍କର ହେବ ସାକ୍ଷାତ । ମୋଦି-ହାରିସଙ୍କ ଏହି ସାକ୍ଷାତକାର ଆମେରିକାରେ ରହୁଥିବା ଭାରତୀୟଙ୍କୁ ସେମାନଙ୍କ ଶକ୍ତି ସହିତ କରାଇବ ପରିଚତ ।

କମଲା ହାରିସ ଏହାପୂର୍ବରୁ ଜୁନରେ ଫୋନ ଯୋଗେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିଥିଲେ ଆଲୋଚନା । ହେଲେ ଗୁରୁବାର ସାମ୍ନାସାମ୍ନି ହେବ ମୋଦି-ହାରିସଙ୍କ ଭେଟଘାଟ । କମଲା ହାରିସ ଓ ପିଏମ ମୋଦିଙ୍କ ସାକ୍ଷାତର ଫୋକସ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କହିଛି ହ୍ବାଇଟହାଉସ । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ, ମାନବାଧିକାର, ଗଣତନ୍ତ୍ର ସମେତ ଅନ୍ୟ ମାମଲାରେ ଆଲୋଚନା ହେବ ।

ଆମେରିକାର ରାଜନୀତିର ସର୍ବୋଚ୍ଚ ପଦରେ ପହଁଞ୍ଚିବାକୁ ଯଦିଓ ଭାରତୀୟ-ଆମେରିକୀୟ ସମୁଦାୟଙ୍କୁ ଦୀର୍ଘ ଦିନ ଲାଗିଥାଇପାରେ, ହେଲେ କମଲା ହାରିସ ସ୍ବଳ୍ପ ଦିନର ରାଜନୀତି କ୍ୟାରିଅରରେ ରଚିଥିଲେ ଇତିହାସ । ଡେମୋକ୍ରାଟ ପାର୍ଟି ପକ୍ଷରୁ ଆମେରିକା ନିର୍ବାଚନରେ ଉପରାଷ୍ଟ୍ରପତି ପଦ ପାଇଁ ମୈଦାନକୁ ଓହ୍ଲାଇଥିଲେ ଭାରତୀୟ ବଂଶୋଦ୍ଭବ କମଲା ହାରିସ । ଆଉ ହାସଲ କରିଥିଲେ ଐତିହାସିକ ବିଜୟ । ଏହି ବିଜୟରୁ ଦକ୍ଷିଣ ଏସୀୟ ଆମେରିକୀୟ ପ୍ରବାସୀଙ୍କ ସ୍ବପ୍ନ ହୋଇଥିଲା ପରିପୂର୍ଣ୍ଣ ।

ପ୍ରବାସୀ ପିତାମାତାଙ୍କ ଔରସରୁ କାଲିଫର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ କମଲା । ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ ଭାବେ ପଢୁଥିବା ସମୟରେ ତାଙ୍କ ପିତା ଡୋନାଲଡ ହାରିସ ଏବଂ ମାଆ ଶ୍ୟାମଲା ଗୋପାଲନ୍‌ଙ୍କ ମଧ୍ୟରେ ୟୁସି ବର୍କଲେ ବିଶ୍ବବିଦ୍ୟାଳୟରେ ପ୍ରଥମ ସାକ୍ଷାତ ହୋଇଥିଲା ଏବଂ ସେତେବେଳେ ସେମାନେ ନାଗରିକ ଅଧିକାର ଆନ୍ଦୋଳନରେ ସକ୍ରିୟ ରହିଥିଲେ । ଗୋଟିଏ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଉପ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାରେ କମଲା ହାରିସ୍‌ ହେଉଛନ୍ତି ପ୍ରଥମ କୃଷ୍ଣକାୟ ଏବଂ ଦକ୍ଷିଣ ଏସୀୟ ଆମେରିକୀୟ ମହିଳା । ତାଙ୍କ ବାପା ଡୋନାଲ୍ଡ ଜାମାଇକାରୁ ଆସି ଆମେରିକାରେ ରହୁଥିଲେ । ୟୁସି ବର୍କଲେର ଜଣେ ଛାତ୍ରୀ ହିସାବରେ ତାଙ୍କ ମାଆ ତାମିଲନାଡୁରୁ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ ।

ଭିନ୍ନ ଭିନ୍ନ ବଂଶଜ ପିତାମାତାଙ୍କ ସନ୍ତାନ ରୂପରେ ଏବଂ ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ସହିତ ଭାରତରେ ଏକ ହିନ୍ଦୁ ଜାତୀୟତାବାଦୀ ଦଳ ଶାସନ କ୍ଷମତାରେ ରହିଥିବା ସମୟରେ, ଉପ ରାଷ୍ଟ୍ରପତି ଭାବେ କମଲା ହାରିସଙ୍କ ସହ ମୋଦିଙ୍କ ଭେଟଘାଟକୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଇପାରେ । ଏହାପୂର୍ବରୁ ହୁଏତ ହ୍ୟୁଷ୍ଟନ୍‌ରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଭାରତୀୟ-ଆମେରିକୀୟମାନଙ୍କ ଦ୍ବାରା ଷ୍ଟାଡିଅମ୍‌ ଭରିଯାଇଥିଲା ଏବଂ ସେତେବେଳେ ସାର୍ବଜନୀନ ଭାବେ ପ୍ରକାଶିତ ମୋଦି-ଟ୍ରମ୍ପଙ୍କ ଅମାୟିକ ବନ୍ଧୁତାକୁ ହର୍ଷଧ୍ବନିରେ ସ୍ବାଗତ କରାଯାଇଥିଲା । ହେଲେ ପ୍ରବାସୀ ରୂପରେ କମଲା ହାରିସ୍‌ଙ୍କ ଦୃଢ଼ ସ୍ଥିତି ଏବଂ ଭାରତୀୟ ବଂଶୋଦ୍ଭବ ହୋଇଥିବା କାରଣରୁ ଭାରତୀୟ-ଆମେରିକୀୟମାନଙ୍କ ସମେତ ଦକ୍ଷିଣ ଏସୀୟ ଆମେରିକୀୟମାନେ ମଧ୍ୟ ତାଙ୍କ ପ୍ରତି ସମର୍ଥନ ଜଣାଇବାର ସଶକ୍ତ କାରଣ ରହିଥିଲା ।

ଭାରତ ସରକାରଙ୍କ ବିଭିନ୍ନ ନୀତି ସମ୍ବନ୍ଧରେ ଶାଣିତ ସ୍ବର ରଖୁଥିଲେ କମଲା ହାରିସ । ସମ୍ବିଧାନର 370 ଧାରା ଉଚ୍ଛେଦ ଏବଂ କାଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥାର ଅବରୋଧକୁ ନାପସନ୍ଦ କରୁଥିଲେ ସେତେବେଳର ଭାରତୀୟ ବଂଶୋଦ୍ଭବ ଆମେରିକୀୟ କଂଗ୍ରେସ ସଦସ୍ୟ । ‘ଜାମ୍ମୁ ଓ କାଶ୍ମୀରରେ ଯୋଗାଯୋଗ ଉପରେ ପ୍ରତିବନ୍ଧକ ଏବଂ ସାମୂହିକ ଅଟକ ବ୍ୟବସ୍ଥାର ଅନ୍ତ’ ପାଇଁ ଏବଂ ‘ସବୁ ନାଗରିକଙ୍କ ଧାର୍ମିକ ସ୍ବାଧୀନତା ବଜାୟ ରଖିବା ପାଇଁ ଭାରତକୁ ଆହ୍ବାନ ଦେଇ ଆମେରିକା କଂଗ୍ରେସରେ ଡେମୋକ୍ରାଟ ସଦସ୍ୟ ତଥା ଭାରତୀୟ ବଂଶୋଦ୍ଭବ ଜୟପାଲ ଏକ ପ୍ରସ୍ତାବ ଆଗତ କରିଥିଲେ । ଏଭଳି ସମାଲୋଚନାରେ ଅସନ୍ତୁଷ୍ଟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର 2019 ଡିସେମ୍ବରରେ ତାଙ୍କର ଆମେରିକା ଗସ୍ତ ବାତିଲ କରିଦେଇଥିଲେ ।

ସେତେବେଳେ ସେ ଆମେରିକା କଂଗ୍ରେସର ପ୍ରଭାବଶାଳୀ ବୈଦେଶିକ ବ୍ୟାପାର କମିଟି ସହିତ ଆୟୋଜିତ ଏକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇଥିଲା ଏବଂ ଏହି କମିଟିରେ ଆମେରିକା କଂଗ୍ରେସର ସଦସ୍ୟ ଜୟପାଲ ମଧ୍ୟ ଥିଲେ । ‘ୱାଶିଂଟନ ପୋଷ୍ଟ’ର ଏକ ରିପୋର୍ଟ ଅନୁସାରେ, ଜୟପାଲଙ୍କୁ ଏହି ପ୍ୟାନେଲରୁ ବାଦ ଦେଇ ବୈଠକ କରିବା ଲାଗି ଜୟଶଙ୍କରଙ୍କ ଦାବିକୁ କମିଟିର ଅଧ୍ୟକ୍ଷ ଏଲିଅଟ୍‌ ଏନ୍‌ଗେଲ ଅଗ୍ରାହ୍ୟ କରିଦେଇଥିଲେ । ତାଙ୍କ ସହକର୍ମୀଙ୍କୁ ସମର୍ଥନ କରି କମଲା ହାରିସ୍‌ କରିଥିବା ଏକ ଟ୍ବିଟ୍‌ରେ ଲେଖିଥିଲେ, କୌଣସି ବିଦେଶୀ ସରକାର ପକ୍ଷରେ କ୍ୟାପିଟଲ ହିଲ୍‌ରେ ହେବାକୁ ଥିବା ବୈଠକରେ ଆମେରିକା କଂଗ୍ରେସର କେଉଁ ସଦସ୍ୟ ରହିବେ ତାହା କହିବା ଭୁଲ ।

୨୦୧୯ ଟେକ୍‌ସାସ୍‌ରେ ହାରିସ୍‌ ଏକ ବିବୃତି ଦେଇ କହିଥିଲେ, କାଶ୍ମୀରବାସୀଙ୍କୁ ଆମେ ମନେ ପକାଇ ଦେବାକୁ ଚାହୁଁଛୁ ଯେ ସେମାନେ ଏ ବିଶ୍ବରେ ଏକାକୀ ନୁହଁନ୍ତି । ଆମେ ପରିସ୍ଥିତି ଉପରେ ନଜର ରଖିଛୁ । ଯଦି ସେଭଳି ପରିସ୍ଥିତି ଉପୁଜେ, ତେବେ ଆମେ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ।

ମୁଖ୍ୟତଃ ରଣନୈତିକ ସହଭାଗିତା ଭିତ୍ତିରେ ଭାରତ ଓ ଆମେରିକାର ସମ୍ପର୍କ ଗଢ଼ି ଉଠିଛି । ଆମେରିକା କଂଗ୍ରେସରେ ଏହାକୁ ଦ୍ବିଦଳୀୟ ସମର୍ଥନ ମିଳିଆସିଛି । ତେବେ କମଲା ହାରିସଙ୍କ ଧର୍ମ ନିରପେକ୍ଷ, ପ୍ରଗତିଶୀଳ ଗଣତାନ୍ତ୍ରିକ ଦୃଷ୍ଟିକୋଣ ଯୋଗୁଁ ମୋଦିଙ୍କ ସହ ରହିଥିବା ସମ୍ପର୍କର ଝଲକ ଏହି ସାକ୍ଷାତକାରରୁ କିଭଳି ପ୍ରତିଫଳିତ ହେବେ ଏହା ଉପରେ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.