ETV Bharat / bharat

UP Global Investors Summit: ୟୁପି ବିଶ୍ବ ନିବେଶକ ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

author img

By

Published : Feb 10, 2023, 11:25 AM IST

ଆଜିଠୁ ଲକ୍ଷ୍ନୌରେ ଆରମ୍ଭ ହୋଇଛି ୟୁପି ବିଶ୍ବ ନିବେଶକ ସମ୍ମିଳନୀ । ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

UP Global Investors Summit
UP Global Investors Summit

ଲକ୍ଷ୍ନୌ: ଲକ୍ଷ୍ନୌରେ ''ୟୁପି ବିଶ୍ବ ନିବେଶକ ସମ୍ମିଳନୀ'' ଆଜିଠୁ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ନିବେଶକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଥିଲେ । ଲକ୍ଷ୍ନୌ ସ୍ଥିତ ବୃନ୍ଦାବନ ଯୋଜନାର ବିଶାଳ ମଇଦାନରେ ସମ୍ମିଳନୀ ଆୟୋଜିତ ହୋଇଛି । ଯାହାକି ତିନି ଦିନ ଯାଏଁ ଚାଲିବ । ଏହା ଜରିଆରେ ରାଜ୍ୟର ମ୍ୟାନୁଫ୍ୟାକ୍ଚରିଂ, ଫାର୍ମାସ୍ୟୁଟିକାଲ ଓ ମେଡିକାଲ, ଟେକ୍ସଟାଇଲ, ଅକ୍ଷୟ ଶକ୍ତି, ସ୍ବାସ୍ଥ୍ୟସେବା, ପର୍ଯ୍ୟଟନ, ଆଇଟି, ଶିକ୍ଷା ଓ ଇଲେକ୍ଟ୍ରୋନିକ ସେକ୍ଟରରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଉତ୍ତରପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି ।

ତିନି ଦିନ ଧରି ଚାଲିବାକୁ ଥିବା ଉତ୍ତରପ୍ରଦେଶ ବିଶ୍ବ ନିବେଶକ ସମ୍ମିଳନୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବଙ୍କ ସମେତ ଯୋଗୀ ସରକାରଙ୍କ ଅନେକ ମନ୍ତ୍ରୀ ସାମିଲ ହେବେ । ଏହାବ୍ୟତୀତ ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖର, ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ମହେନ୍ଦ୍ରା ଆଣ୍ଡ ମହେନ୍ଦ୍ରର ମୁଖ୍ୟ ଆନନ୍ଦ ମହେନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ଗ୍ରୁପର ଅନୀଲ ଅଗ୍ରୱାଲ ଏବଂ ହୀରାନନ୍ଦାନୀ ଗ୍ରୁପ ସହ ଜଡିତ ବିଶିଷ୍ଟ ଶିଳ୍ପପତି ସମ୍ମିଳନୀରେ ଯୋଗ ଦେବେ ।

ୟୁପି ସରକାରଙ୍କ ଏହି ଶିଳ୍ପ ମହାକୁମ୍ଭ ରାଜ୍ୟରେ ବ୍ୟବସାୟର ସୁଯୋଗ ଓ ସହଭାଗିତା ବୃଦ୍ଧି ପାଇଁ ଦେଶବିଦେଶର ବଡ ବଡ ଶିଳ୍ପପତିଙ୍କୁ ଏକଜୁଟ କରିବ । ସମ୍ମିଳନୀରେ ପ୍ରାୟ ୨୫ ହଜାର କୋଟିର ନିବେଶ ପ୍ରସ୍ତାବ ହାସଲ କରିବାକୁ ଯୋଗୀ ସରକାର ଆଶା ରଖିଛନ୍ତି । ଯାହାଫଳରେ ରାଜ୍ୟରେ ୨ କୋଟି ନିଯୁକ୍ତ ସୁଯୋଗ ସୃଷ୍ଟି ହେବ । ୧୦ ସହଯୋଗୀ ରାଷ୍ଟ୍ର ବ୍ୟତୀତ ୪୦ଟି ଦେଶର ପ୍ରାୟ ୬୦୦ ଶିଳ୍ପ ପ୍ରତିନିଧି ମଧ୍ୟ ଏଥିରେ ସାମିଲ ହେବ ।

ୟୁପି ବିଶ୍ବ ନିବେଶକ ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୪ ଜଣ ଆଇଏଏସ, ୬୮ ଆଇପିଏସ ନିୟୋଜିତ ହେବା ସହ ଏଣ୍ଟ୍ରି ଡ୍ରୋନ ସିଷ୍ଟମ ସହିତ ପୋଲିସ ଫୋର୍ସ ଓ ଏଟିଏସ୍ ସ୍ପୋଟ ଟିମ୍ ମଧ୍ୟ ମୁତୟନ କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା ୧୨ ତାରିଖରେ ସମାପନ ହେବ । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସାମିଲ ହେବେ । ଏହାପୂର୍ବରୁ ୨୦୧୮ରେ ୟୁପି ବିଶ୍ବ ନିବେଶକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟକୁ ପ୍ରାୟ ୪.୬୮ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.