ETV Bharat / bharat

ବିଦେଶ ଗସ୍ତରୁ ଫେରି କ୍ୟାବିନେଟ ମନ୍ତ୍ରୀଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ, ଫୋକସରେ ମଣିପୁର ସ୍ଥିତି !

author img

By

Published : Jun 26, 2023, 2:03 PM IST

ବିଦେଶ ଗସ୍ତରୁ ଫେରି କ୍ୟାବିନେଟ ମନ୍ତ୍ରୀଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦି । ମଣିପୁର ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅଗବତ କରାଯାଇଥିବା ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

ବିଦେଶ ଗସ୍ତରୁ ଫେରି କ୍ୟାବିନେଟ ମନ୍ତ୍ରୀଙ୍କ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ
ବିଦେଶ ଗସ୍ତରୁ ଫେରି କ୍ୟାବିନେଟ ମନ୍ତ୍ରୀଙ୍କ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକା ଓ ଇଜିପ୍ଟ ଗସ୍ତରେ ଯାଇ ଗତକାଲି ବିଳମ୍ବିତ ରାତିରେ ଦେଶକୁ ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ସକାଳୁ କ୍ୟବିନେଟ ମନ୍ତ୍ରୀଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ହରଦ୍ବୀପ ସିଂ ପୁରୀଙ୍କ ସମେତ ଏକାଧିକ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖତଃ ମଣିପୁର ହିଂସା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ଚର୍ଚ୍ଚା ହେଉଛି ।

ଆଜି ବୈଠକ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ମଣିପୁର ସ୍ଥିତି ସମ୍ପର୍କରେ ଅବଗତ ମଧ୍ୟ କରିଥିଲେ । କାରଣ ମଣିପୁର ପ୍ରସଙ୍ଗରେ ଗୃହମନ୍ତ୍ରୀ ଶାହଙ୍କର ପ୍ରତ୍ୟକ୍ଷ ତତ୍ବାବଧାନ ରହିଛି । ଶାହ ଗତକାଲି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ନିକଟରେ ଶାହଙ୍କ ଅଧ୍ୟକ୍ଷତାରେ ମଣିପୁର ପ୍ରସଙ୍ଗ ନେଇ ଏକ ସର୍ବଦଳୀୟ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା । ତେବେ ଉତ୍ତର-ପୂର୍ବ ରାଜ୍ୟରେ ସ୍ଥିତି ନେଇ ଶାହ ଆଜି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ ମଣିପୁରରୁ ଏକ ରାଜନୈତିକ ପ୍ରତିନିଧି ମଣ୍ଡଳୀ ଆସି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଅପେକ୍ଷା କରିଥିଲା । ହେଲେ ସେମାନେ 20 ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବା ସତ୍ତ୍ବେ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ପକ୍ଷରୁ ସେମାନଙ୍କୁ ସମୟ ଦିଆଯାଇନଥିଲା । ପରେ ପ୍ରଧାନମନ୍ତ୍ରୀ 20 ତାରିଖରେ ବିଦେଶ ଗସ୍ତ କରିବା ପରେ ସେମାନେ ଅସନ୍ତୋଷ ବ୍ୟକ୍ତ କରି ପ୍ରେସମିଟ କରି ପ୍ରଶ୍ନ ଉଠାଇବା ସହ ଫେରି ଯାଇଥିଲେ ।

ସର୍ବଦଳୀୟ ବୈଠକରେ ବିରୋଧୀ ମଧ୍ୟ ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ନେଇ ପ୍ରଶ୍ନ ଉଠାଇବା ସହ ମଣିପୁରକୁ ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ପଠାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ନିକଟରେ ଦାବି କରିଥିଲେ । ହେଲେ କେନ୍ଦ୍ର ସରକାର ମଣିପୁରରେ ହିଂସା ପ୍ରଶମିତ କରି ଶାନ୍ତି ଫେରାଇବା ପାଇଁ ସମସ୍ତ ବ୍ୟବସ୍ଥା କରୁଛି । ବିରୋଧୀ ଭରସା ରଖନ୍ତୁ ବୋଲି ଶାହ କହିଥିଲେ । ଗତକାଲି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଶାହଙ୍କ ସହ ଆଲୋଚନା କରିବା ପରେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଭାବୀ ଭାବେ ଶାନ୍ତି ଫେରାଇବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ରାଜ୍ୟରେ 13 ତାରିଖ ପର ଠାରୁ ହିଂସାରେ କାହାର ମୃତ୍ୟୁ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.