ETV Bharat / bharat

ନଡ୍ଡାଙ୍କ ଗସ୍ତ ପୂର୍ବରୁ ଦବଦବା ଜାହିର କଲେ ନକ୍ସଲ, ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

author img

By

Published : Feb 11, 2023, 8:13 AM IST

ନକ୍ସଲଙ୍କ ଟାର୍ଗେଟରେ ଛତିଶଗଡର ବିଜେପି ନେତା । ନାରାୟଣପୁର ବିଜେପି ଜିଲ୍ଲା ଉପସଭାପତିଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ । ଅଧିକ ପଢନ୍ତୁ

Naxalite attack in Narayanpur
Naxalite attack in Narayanpur

ରାୟପୁର: ଛତିଶଗଡରେ ଲାଲବାହିନୀଙ୍କ ନାରକୀୟ କାଣ୍ଡ । ନକ୍ସଲଙ୍କ ଟାର୍ଗେଟରେ ବିଜେପି ନେତା । ଘରେ ପଶି ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟାକଲେ ନକ୍ସଲ । ମୃତକ ଜଣଙ୍କ ହେଉଛନ୍ତି ନାରାୟଣପୁର ଜିଲ୍ଲାର ବିଜେପି ଉପସଭାପତି ସାଗର ସାହୁ । ଗତକାଲି ରାତି ୮ଟା ସମୟରେ ଦୁଇ ନକ୍ସଲ ବିଜେପି ନେତାଙ୍କ ଘରେ ପଶି ଏପରି ବର୍ବରକାଣ୍ଡ ଘଟାଇଥିବା ଜଣାପଡିଛି । ପୋଲିସ ଷ୍ଟେସନ ଠାରୁ ବିଜେପି ନେତାଙ୍କ ଘର ପ୍ରାୟ ୫୦ ମିଟର ଦୂରରେ ଥିଲେ ମଧ୍ୟ ଏଭଳି କାଣ୍ଡ ଘଟାଇବାକୁ ଫଟାଇନଥିଲେ ଲାଲବାହିନୀ । ମୃତକ ଜଣଙ୍କ ୨୫ ବର୍ଷ ଧରି ବିଜେପି ସହତି ଜଡିତ ଥିଲେ ।

ଏନେଇ ନାରାୟଣପୁର ଏସପି ପୁଷ୍କର କହିଛନ୍ତି ଯେ, ''ବିଜେପି ଜିଲ୍ଲା ଉପ ସଭାପତିଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା । ଏହାପରେ ତାଙ୍କୁ ଛୋଟେଡୋଙ୍ଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ୪୩ କିଲୋମିଟର ଦୂରରେ ଥିବା ନାରାୟଣପୁର ଜିଲ୍ଲା ଡାକ୍ତରଖାନାରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଇଜଣ ଅଜଣା ବ୍ୟକ୍ତି ବାଇକ ଯୋଗେ ଆସି ବିଜେପି ନେତାଙ୍କୁ ଶୁକ୍ରବାର ରାତିରେ ଗୁଳି ଚଳାଇଥିଲେ । ଏହାପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ''

ଚଳିତ ମାସ ୭ ତାରିଖରେ ଛତିଶଗଡ ବିଜାପୁରରେ ଜଣେ ବିଜେପି ନେତାଙ୍କୁ ଘର ସାମ୍ନାରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ ନକ୍ସଲ । ମୃତକ ଜଣଙ୍କ ହେଲେ ବିଜେପି ନେତା ନୀଳକଣ୍ଠ କକ୍କେମ । ସେ ଉସୁର ମଣ୍ଡଳର ବିଜେପି ସଭାପତି ଥିଲେ । ନୀଳକଣଠଙ୍କୁ ହତ୍ୟା କରିବା ପରେ ଉପସ୍ଥିତି ଯାହିର କରିବାକୁ ଘଟଣାସ୍ଥଳରେ ପାମ୍ପଲେଟ୍ ଫିଙ୍ଗି ଚାଲିଯାଇଥିଲେ ନକ୍ସଲ ।

ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଉକ୍ତ ପାମ୍ପଲେଟରେ ଉଲ୍ଲେଖ ରହିଥିଲା । ନୀଳକଣ୍ଠ ପ୍ରାୟ ୧୫ ବର୍ଷ ହେବ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ବ ତୁଲାଇଆସୁଥିଲେ । ମୃତ୍ୟୁର ପୂର୍ବ ଦିନ ଶାଳୀଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିଜ ପୈତୃକ ଗ୍ରାମ ଆଭାପାଲ୍ଲୀ ଯାଇଥିଲେ । ଏହାପରେ ସେଠାରେ ସଶସ୍ତ୍ର ନକ୍ସଲଙ୍କ ଏକ ଟିମ୍‌ ପହଞ୍ଚି ନୀଳକଣ୍ଠକୁ ଘରୁ ଡାକି ପରିବାର ସଦସ୍ୟଙ୍କ ସମ୍ମୁଖରେ ହିଁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ ।

ଜେପି ନଡ୍ଡାଙ୍କ ଗସ୍ତ ପୂର୍ବରୁ ଦୁଇ ବିଜେପି ନେତାଙ୍କୁ ହତ୍ୟା: ତେବେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଛତିଶଗଡର ବସ୍ତର ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହା ପୂର୍ବରୁ ଗୋଟିଏ ପରେ ଗୋଟିଏ ବିଜେପି ନେତାଙ୍କୁ ହତ୍ୟା କରି ନିଜର ଦବଦବା ଜାହିର କରିଛନ୍ତି ଲାଲାବାହିନୀ । ଜେପି ନଡ୍ଡା ଜଗଦଲପୁରରେ ଏକ ବିଶାଳ ସଭା ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ । କାହିଁକିନା ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ଦଳୀୟ କର୍ମୀଙ୍କୁ ଟିପ୍ସ ଦେଇପାରନ୍ତି ନଡ୍ଡା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.