ETV Bharat / bharat

ଟମାଟୋ ବୋଝେଇ ଗାଡ଼ି ନେଇ ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ

author img

By

Published : Jul 11, 2023, 10:03 AM IST

କର୍ଣ୍ଣାଟକରେ ଟମାଟୋ ବୋଝେଇ ଗାଡି ହାଇଜାକ । କାରରେ ଆସି ଟମାଟୋ ବୋଝେଇ ଗାଡି ନେଇ ଫେରାର୍ ହୋଇଗଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଟମାଟୋ ବୋଝେଇ ଗାଡି ହାଇଜାକ
ଟମାଟୋ ବୋଝେଇ ଗାଡି ହାଇଜାକ

ବେଙ୍ଗାଲୁରୁ: ସାରା ଦେଶରେ ଏବେ ଗୋଟିଏ ଚର୍ଚ୍ଚା...ଟମାଟୋ ଦର । ଆଖିକୁ ସୁନ୍ଦର ଦିଶୁଥିବା ଏହି ଲାଲ୍ ଟହଟହ ପରିବା ପକେଟ୍ ଜାଳି ଦେଉଛି । ୧୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି ଟମାଟୋ । ତେବେ ଟମାଟୋ ଦର ଅହେତୁକ ବୃଦ୍ଧି ପରେ ଅନେକ ଅଜବ ଘଟଣାମାନ ସାମ୍ନାକୁ ଆସିବାରେ ଲାଗିଛି । କେଉଁଠି ଟମାଟୋ ଲୁଟ୍ ହେଲାଣି ତ ଆଉ କେଉଁଠି ଟମାଟୋ ଜଗିବାକୁ ବ୍ୟବୟାସୀ ବାଉନ୍ସର ରଖିଲେଣି । ଏହାରି ଭିତରେ କର୍ଣ୍ଣାଟକରେ ଗୋଟିଏ ଟମାଟୋ ବୋଝେଇ ଗାଡି ହାଇଜାକ ହୋଇଥିବାର ଖବର ମିଳିଛି ।

ଟମାଟୋ ବୋଝେଇ ଗାଡି ହାଇଜାକ
ଟମାଟୋ ବୋଝେଇ ଗାଡି ହାଇଜାକ

ଘଟଣାଟି ଦୁଇ ଦିନ ତଳର । କର୍ଣ୍ଣାଟକ ଚିତ୍ରାଦୁର୍ଗା ଅଞ୍ଚଳରେ ଏକ ଟମାଟୋ ବୋଝେଇ ପିକଅପ ଭ୍ୟାନ ହାଇଜାକ କରାଯାଇଛି । ପୋଲିସର ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଜଣେ ଚାଷୀ ନିଜ ଜମିରେ ଫଳିଥିବା ପ୍ରାୟ ୨୫୦ କେଜି ଟମାଟୋ ପିକଅପ୍ ଭ୍ୟାନରେ ଲଦି ବଜାରକୁ ବ୍ୟବସାୟ ପାଇଁ ନେଉଥିଲେ । ବାଟରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଗାଡିକୁ ଅଟକାଇ ଥିଲେ । ଏହାପରେ ଗାଡି ସହ ଟମାଟୋ ନେଇ ଫେରାର୍ ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଚର୍ଚ୍ଚାରେ ପରିବା ଦୋକନୀ, ଟମାଟୋ ପାଇଁ ଆଣିଲେ ବାଉନସର

ଯାହା ସୂଚନା ମିଳିଛି, ଚାଷୀ ପିକଅପ ଭ୍ୟାନରେ ଟମାଟୋ ନେଇ ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ କାର୍‌ରେ ଆସି ଅଟକାଇ ଥିଲେ । ତାଙ୍କ ଗାଡି କାର୍‌କୁ ଧକ୍କା ଦେଇଥିବା ସେମାନେ ଅଭିଯୋଗ କରି ଟଙ୍କା ମାଗିଥିଲେ । ଏହାକୁ ନେଇ ଚାଷୀ ଓ ଦୁର୍ବୃତ୍ତମାନଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏମିତିକି ଦୁର୍ବୃତ୍ତମାନେ ପିକଅପ୍ ଭ୍ୟାନ ଡ୍ରାଇଭରକୁ ମାଡ଼ ମାରି ଡିଜିଟାଲ ପେମେଣ୍ଟ ଜରିଆରେ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଏତିକି ବେଳେ ପିକଅପ୍ ଭ୍ୟାନରେ ଥିବା ଟମାଟୋ ଉପରେ ସେମାନଙ୍କ ନଜର ପଡିଥିଲା । ଏହାପରେ ସେମାନେ ଟୋମାଟୋ ବୋଝେଇ ଉକ୍ତ ଗାଡ଼ିକୁ ହାଇଜାକ କରି ନେଇଥିଲେ । ଦୁର୍ବୃତ୍ତମାନେ ଚାଷୀ ଓ ଡ୍ରାଇଭରକୁ ସେଠାରେ ଛାଡି ଟମାଟୋ ସହ ପିକଅପ୍ ଭ୍ୟାନ ନେଇ ଫେରାର୍ ହୋଇଯାଇଥିଲେ । ଏନେଇ ଚାଷୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଖୋଜାଖୋଜି ଆରମ୍ଭ କରିଛି ।

ଦେଶରେ ଟମାଟୋ ଦର ବୃଦ୍ଧି ସହ ଚୋରି ମଧ୍ୟ ବଢିବାରେ ଲାଗିଛି । କିଛି ଦିନ ତଳେ ହାସନ ଜିଲ୍ଲାରେ ଜଣେ ଚାଷୀଙ୍କ ଜମିବାରୁ ୨ ଲକ୍ଷ ୫୦ ହଜାର ଟଙ୍କାର ଟମାଟୋ ଚୋରି ହୋଇଯାଇଥିଲା । ଦୁର୍ବୃତ୍ତମାନେ ରାତିରେ ଟମାଟୋ କିଆରିରେ ପଶି ଗାଡ଼ିରେ ଟମାଟୋ ବୋହି ନେଇ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.