ETV Bharat / bharat

ଆସନ୍ତାକାଲି ଠାରୁ କର୍ଣ୍ଣାଟକରେ ଖୋଲିବ ସ୍କୁଲ, ବିଶୃଙ୍ଖଳାକାରୀଙ୍କୁ କଡା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Feb 13, 2022, 6:46 PM IST

ହିଜାବ ବିବାଦ ମଧ୍ୟରେ ଆସନ୍ତାକାଲି (ସୋମବାର) ଠାରୁ କର୍ଣ୍ଣାଟକରେ ଖୋଲିବାକୁ ଯାଉଛି ସ୍କୁଲ । ତେବେ ହିଜାବ ବିବାଦକୁ ନେଇ ବିଶୃଙ୍ଖଳାକାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ । ଅଧିକ ପଢନ୍ତୁ

ଆସନ୍ତାକାଲି ଠାରୁ କର୍ଣ୍ଣାଟକରେ ଖୋଲିବ ସ୍କୁଲ, ବିଶୃଙ୍ଖଳାକାରୀଙ୍କୁ କଡା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ
ଆସନ୍ତାକାଲି ଠାରୁ କର୍ଣ୍ଣାଟକରେ ଖୋଲିବ ସ୍କୁଲ, ବିଶୃଙ୍ଖଳାକାରୀଙ୍କୁ କଡା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି (ସୋମବାର) ଠାରୁ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ । ସ୍କୁଲରେ ଶାନ୍ତିପୂର୍ଣ୍ଣ ପାଠପଢା ଜାରି ରଖିବା ପାଇଁ ସରକାର ଓ ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି । ତେବେ ଘଟଣାକୁ ନେଇ ବିବାଦ ବଢାଉଥିବା ବିଶୃଙ୍ଖଳାକାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଗୋଷ୍ଠୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ପୋଷ୍ଟ ସମ୍ପର୍କରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି । କୌଣସି ପ୍ରକାର ବିଶୃଙ୍ଖଳା କିମ୍ବା ଉତ୍ତେଜନା ସୃଷ୍ଟି କରିବା ପାଇଁ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ପ୍ରୟାସ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି ଠାରୁ ରାଜ୍ୟରେ ସ୍କୁଲ ଖୋଲିବା ଓ ଶାନ୍ତିପୂର୍ଣ୍ଣ ତଥା ସ୍ବାଭାବିକ ଭାବେ ପାଠପଢା ଆରମ୍ଭ କରିବା ସରକାରଙ୍କ ପ୍ରାଥମିକତା । ସେ ଦିଗରେ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ବେମ୍ମାଇ କହିଛନ୍ତି ।

ଆହୁରି ମଧ୍ୟ ବୋମ୍ମାଇ କହିଛନ୍ତି, ମାର୍ଚ୍ଚରେ ପିଲାମାନଙ୍କ ପରୀକ୍ଷା । ତେଣୁ ସେମାନେ ଆନ୍ଦୋଳନ ପରିବର୍ତ୍ତେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ଆବଶ୍ୟକ । ଅନ୍ୟ ପ୍ରସଙ୍ଗ ତଦନ୍ତକାରୀ ସଂସ୍ଥାମାନେ ଦେଖିବେ ବୋଲି ମଧ୍ୟ ସେ ମତ ଦେଇଛନ୍ତି । ଏହି ମାମଲାର ଶୁଣାଣି କର୍ଣ୍ଣାଟକ ହାଇକୋର୍ଟରେ ଜାରି ରହିଥିବାବେଳେ ହାଇକୋର୍ଟ ଏକ ଅନ୍ତରୀଣ ରାୟ ମଧ୍ୟ ପ୍ରକାଶ କରିଛନ୍ତି । ମାମଲାର ଚୂଡାନ୍ତ ରାୟ ନ ଆସିବା ଯାଏ, ସମସ୍ତ ଗୋଷ୍ଠୀ ସ୍କୁଲକୁ ଧାର୍ମିକ ପୋଷାକ ପରିବର୍ତ୍ତେ କେବଳ ସ୍କୁଲ ଦ୍ବାରା ନିର୍ଦ୍ଧାରିତ ଡ୍ରେସକୋଡରେ ଆସିବା ପାଇଁ ଅନ୍ତରୀଣ ରାୟରେ କହିଛନ୍ତି କୋର୍ଟ ।

କୋର୍ଟ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ଘଟଣାର ସମାଧାନ ନୁହେଁ ବୋଲି ମତ ପ୍ରକାଶ କରିଥିଲେ । ଘଟଣାର ସମାଧାନ ଦିଗରେ ଆଗକୁ ବଢିବା ସହ ଶୃଙ୍ଖଳାର ସହ ଶିକ୍ଷାଦାନ ପ୍ରକ୍ରିୟା ମଧ୍ୟ ଜାରି ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଉକ୍ତ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଆସନ୍ତାକାଲି ଠାରୁ ସ୍କୁୁଲ ଖୋଲିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.