ETV Bharat / bharat

ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ; ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଦିନ ବିଶ୍ବକପ୍ ଥିବାରୁ ଇଣ୍ଡିଆ ହାରିଲା

author img

By ETV Bharat Odisha Team

Published : Nov 23, 2023, 8:52 AM IST

ଇଣ୍ଡିଆର ବିଶ୍ବକପ୍ ହାରିବାର କାରଣ କହିଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା । ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଦିନ ବିଶ୍ବକପ୍ ଥିବାରୁ ଇଣ୍ଡିଆ ହାରିଲା । ଅଧିକ ପଢନ୍ତୁ

ଗାନ୍ଧୀ ପରିବାରକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ
ଗାନ୍ଧୀ ପରିବାରକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଇଣ୍ଡିଆର ବିଶ୍ବକପ୍ ପରାଜୟକୁ ନେଇ ଦେଶରେ ଜୋର୍ ଧରିଛି ରାଜନୀତି । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପନୌତି(ଅଶୁଭ) କହିବା ପରଠୁ ବିଜେପି ଗାନ୍ଧୀ ପରିବାରକୁ କଟୁ ସମାଲୋଚନା କରୁଛି । ଏହି କ୍ରମରେ ଏବେ ରାହୁଲଙ୍କ କାଉଣ୍ଟର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସେ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଦିନ ବିଶ୍ବକପ୍ ଫାଇନାଲ ଥିଲା, ସେଥିପାଇଁ ଇଣ୍ଡିଆ ମ୍ୟାଚ୍ ହାରିଲା । ତେଣୁ ନେହେରୁ-ଗାନ୍ଧୀ ପରିବାରର ସଦସ୍ୟଙ୍କ ଜନ୍ମଦିନ ଦିନ କେବେ ବି କୌଣସି ଫାଇନାଲ ମ୍ୟାଚ୍‌ ଆୟୋଜିତ ନକରିବାକୁ ଆମେ ବିସିସିଆଇକୁ କହିବୁ ।

ଗାନ୍ଧୀ ପରିବାରକୁ ସିଧାସଳଖ ଟାର୍ଗେଟ କରି ବିଜେପି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି, ''ଆମେ ବିଶ୍ବକପର ସବୁ ମ୍ୟାଚ ଜିତିଥିଲୁ ହେଲେ ଫାଇନାଲରେ ହାରିଗଲୁ । ତେଣୁ ମୁଁ ଏହି ପରାଜୟର କାରଣ ଅନୁଧ୍ୟାନ କରିଥିଲି । ଜାଣିବାକୁ ପାଇଲେ ଯେ, ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଦିନ ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା । ଯେଉଁଥିପାଇଁ ଇଣ୍ଡିଆ ଟିମ୍ ହାରିଗଲା । ତେଣୁ ଭବିଷ୍ୟତରେ କେବେ ବି ଯେପରି ନେହେରୁ କିମ୍ବା ଗାନ୍ଧୀ ପରିବାରର କୌଣସି ସଦସ୍ୟଙ୍କ ଜନ୍ମଦିନ ଦିନ କିଛି ମ୍ୟାଚ୍ ଆୟୋଜିତ ନହୁଏ ତାହା ସୁନିଶ୍ଚିତ କରିବାକୁ ମୁଁ ବିସିସିଆଇକୁ ଅନୁରୋଧ କରିବି ।''

ଏହା ମଧ୍ୟ ପଢନ୍ତୁ: ନିର୍ବାଚନୀ ମଞ୍ଚରେ ବିଶ୍ବକପ ରାଜନୀତି: ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ‘ପନୌତି ପାଇଁ ହାରିଲା ଇଣ୍ଡିଆ’

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୧୯ରେ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍ ଫାଇନାଲ ହାରିଯାଇଥିଲା । ଯାହାପରେ ରାଜସ୍ଥାନର ଜାଲୋରେ ଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇଣ୍ଡିଆର ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରିଥିଲେ । ସେ କହିଥିଲେ କି, ଆମ ପିଲାମାନେ ବେଶ୍ ଆରାମରେ ବିଶ୍ବକପ୍ ଜିତି ଯାଇଥାଆନ୍ତେ, କିନ୍ତୁ ସେଠାରେ ପନୌତି ହରାଇ ଦେଲା । ତେବେ ରାହୁଲ ମୋଦିଙ୍କ ନାଁ ଧରିନଥିଲେ ହେଁ ଫାଇନାଲ ଦିନ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ଥିବା ଯୋଗୁଁ ତାଙ୍କୁ ଆକ୍ଷେପ କରି ପନୌତି ଶବ୍ଦର ବ୍ୟବହାର କରିଥିବା ସ୍ପଷ୍ଟ ଭାବେ ଜଣାପଡୁଥିଲା ।

ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର କହିଛନ୍ତି ଯେ, ରାହୁଲଙ୍କ ଏଭଳି ବୟାନ ଅତ୍ୟନ୍ତ ନିନ୍ଦନୀୟ ଓ ଅପମାନଜନକ । ସେ ନିଜର ଅସଲ ରଙ୍ଗ ଦେଖାଇଛନ୍ତି । କିନ୍ତୁ ଭୁଲିଯିବା ଉଚିତ୍ ନୁହେଁ ଯେ, ଆପଣଙ୍କ ମାଆ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ (ମୋଦି)ଙ୍କୁ ମୃତ୍ୟୁର ସୌଦାଗର କହିବା ପରେ କେମିତି କଂଗ୍ରେସ ସେଠି ବୁଡ଼ି ଯାଇଥିଲା । ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାରୁ ପରାଜୟ ଆଶଙ୍କାରେ ହତାଶ ହୋଇ କଂଗ୍ରେସ ନେତା ମୋଦିଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେଉଛନ୍ତି ବୋଲି କହିଛନ୍ତି ରବିଶଙ୍କର । ଏଥିପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.