ETV Bharat / bharat

BBC IT Survey: ପ୍ରାୟ ୬୦ ଘଣ୍ଟା ପରେ BBC ଅଫିସରୁ ବାହାରିଲା ଆୟକର ବିଭାଗ

author img

By

Published : Feb 17, 2023, 12:44 PM IST

ପ୍ରାୟ ୬୦ ଘଣ୍ଟା ପରେ BBC ଅଫିସରୁ ବାହାରିଲା ଆୟକର ବିଭାଗ । ଚଢାଉ ବେଳେ ଟିମ୍ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

BBC IT Survey End
BBC IT Survey End

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିର ମୁମ୍ବାଇ ଓ ଦିଲ୍ଲୀ କାର୍ଯ୍ୟାଳୟରେ ତିନି ଦିନ ଧରି ଚାଲିଥିବା ଆୟକର ବିଭାଗର ଚଢାଉ ଶେଷ ହୋଇଛି । ପାଖାପାଖି ୬୦ ଘଣ୍ଟାର ତନଘନା ପରେ ଗୁରୁବାର ବିବିସି କାର୍ଯ୍ୟାଳୟରୁ ବାହାରିଛି ଆୟକର ବିଭାଗ ଟିମ୍ । ଦୀର୍ଘ ସମୟ ଧରି ସର୍ଭେ ପରେ ଆୟକର ଟିମ୍ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ତଥ୍ୟ ସଂଗ୍ରହ କରି ବିବିସି ଅଫିସ ଛାଡିଥିବା ସୂଚନା ମିଳିଛି । ବିବିସି ଅନୁବନ୍ଧିତ କମ୍ପାନୀ ଗୁଡିକର ଅନ୍ତର୍ଜାତୀୟ ଟିକସ ପୈଠ ପ୍ରସଙ୍ଗରେ ଏହି ଛାନଭିନ କରାଯାଇଥିବା ସୂତ୍ରରୁ ଜଣାପଡିଛି ।

ଆୟକର ବିଭାଗ ମଙ୍ଗଳବାର ପୂର୍ବାହ୍ନ ସମୟରେ ବିବିସିର ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିଥିଲା । ତିନି ଦିନ ଧରି ବିବିସି ଅଫିସରେ ଚଢାଉ ଜାରି ରହିଥିଲା । ଏହି ସମୟରେ ଟିମ୍ ବିବିସି କର୍ମଚାରୀଙ୍କୁ ଅନେକ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । ଏହି ଯାଞ୍ଚରେ ସରକାରୀ ସଂସ୍ଥାକୁ ବିବିସି ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଏହାର କର୍ତ୍ତୃପକ୍ଷ ଜଣାଇଥିଲେ ।

ତେବେ ପ୍ରାୟ ୬୦ ଘଣ୍ଟାର ପରେ ଗତକାଲି ଆୟକର ବିଭାଗର ଯାଞ୍ଚ ଶେଷ ହୋଇଛି । ଏନେଇ ବିବିସି ପକ୍ଷରୁ କୁହାଯାଇଛି, ଆୟକର ଅଧିକାରୀମାନେ କାର୍ଯ୍ୟାଳୟ ଛାଡିଛନ୍ତି । ଦୀର୍ଘ ସମୟ ଧରି ଆମର କର୍ମଚାରୀଙ୍କୁ ପ୍ରଶ୍ନର ସାମ୍ନା କରିବାକୁ ପଡିଛି । ଏଥିପାଇଁ କିଛି କର୍ମଚାରୀଙ୍କୁ ରାତିସାରା ଉପସ୍ଥିତ ରହିବାକୁ ମଧ୍ୟ ପଡିଛି । ଆମେ ଆମର କର୍ମଚାରୀଙ୍କ ସହ ଛିଡା ହୋଇଛୁ । ପୁଣିଥରେ ସବୁକିଛି ସ୍ବାଭାବିକ ହୋଇଛି ।

ତେବେ ଚଢାଉ ସମୟରେ ଆୟକର ବିଭାଗ ଟିମ୍ ବିବିସି କାର୍ଯ୍ୟାଳୟରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ତଥ୍ୟ ସଂଗ୍ରହ କରିଛି । ଗଣମାଧ୍ୟମ ସଂସ୍ଥା ମଧ୍ୟ ଯାଞ୍ଚରେ ପୂର୍ଣ୍ଣ ସହଯୋଗ କରିଛି । ଏପରିକି ବିବିସି ନିଜ କର୍ମଚାରୀମାନଙ୍କୁ ସେମାନଙ୍କ ଇଲେକ୍ଟ୍ରୋନିକ ଡିଭାଇସରୁ କୌଣସି ତଥ୍ୟ ଡିଲିଟ ନକରିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ ଆୟକର ବିଭାଗ ବିବିସି କାର୍ଯ୍ୟାଳୟରେ ପଶିବା ପୂର୍ବରୁ ତିନି ଦିନ ଧରି ସର୍ଭେ ପାଇଁ ଅନୁମତି ମିଳିଥିବା ସମ୍ପର୍କରେ ବିବିସି ସଂପାଦକଙ୍କୁ ଜଣାଇବା ସହ ଏ ସମ୍ପର୍କିତ ଦସ୍ତାବିଜ୍ ଦେଖାଇଥିଲେ ।

୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀ ଇଣ୍ଡିଆ ଦ ମୋଦି କୋଶ୍ଚିନ ପ୍ରସାରଣର କିଛି ଦିନ ପରେ ଦିଲ୍ଲୀ ଓ ମୁମ୍ବାଇରେ ଥିବା ଏହି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ କରିଛି । ଏହାକୁ ନେଇ କଂଗ୍ରେସ ସମେତ ବିରୋଧି ଦଳଗୁଡିକ ବିଜେପି ଟାର୍ଗେଟ କରିଛନ୍ତି । ଚଢାଉକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ବିଜେପିକୁ ଟାର୍ଗେଟ କରି ବିନାଶ କାଳେ ବିପରୀତ ବୁଦ୍ଧି ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.